Unknown

 

 

 

 

 

 

 

 

 

 

 

ପ୍ରତିଧ୍ୱନୀ

ବଳରାମ ପଟ୍ଟନାୟକ

 

ପ୍ରତିଧ୍ୱନୀ

 

ତା’ ବିଷୟରେ କିଛି କହିବିନି ବୋଲି ଭାବିଥିଲି । ସବୁ କଥା କ’ଣ କହିହୁଏ ? ଏମିତି ଅନେକ ଅନେକ କଥା ଅଛି ମନ ଭିତରେ ରହି ରହି ସେସବୁ ହଜମ ହୋଇଯାଏ ସିନା ବାହାରକୁ ବାହାରିପାରେନି । ପଦାରେ ପଡ଼ିଗଲେ ଭଲମନ୍ଦର ତରାଜୁରେ ତଉଲ କରୁ କରୁ କହିବାଲୋକର ମୁଣ୍ଡରେ ଲୋକେ ଆଗ ଅଠା ବୋଳିଦିଅନ୍ତି । ସେଇଥିପାଇଁ ମନର ବନିଶିଖଡ଼ାରେ ଗୁନ୍ଥି ହୋଇ ରହିଥିବା କେତେ କେତେ ଘଟଣା ଓ ଅଗଣିତ ନରନାରୀ ଯୋଉମାନଙ୍କ କଥା ଖୁବ୍‌ କମ୍‌ ମୁଁ କହିଛି, ଅକୁହା ରହିଯାଇଛି ଅନେକ ଅନେକ ଲୋକଙ୍କର କଥା, ଯୋଉମାନେ ବେଳେ ବେଳେ ଅଜାଣତରେ ମୋ ଆଗରେ ଆସି ଠିଆହୋଇଯାଆନ୍ତି, ଠେଲାପେଲା ହେବାରେ ଲାଗିଥାଆନ୍ତି ଆଗେଇ ଆସିବେ ବୋଲି, ମୋର ସାମ୍ନାରେ ଆସି ଛିଡ଼ାହେବେ । ମନ ଗହନର ଅମୁହାଁ ଗଳି ଭିତରେ ଯିଏ କୁଆଡ଼େ ହଜି ଯାଇଥିଲା, ଯାହାର ଚିହ୍ନବର୍ଣ୍ଣ ନ ଥିଲା, ସେଇ ଆସି ମୋର ସାମ୍ନାରେ–

 

ତା’ର ପାତେଳା ଟୁକୁଟୁକୁ ଓଠ, ତା’ର ଶାଣଦିଆ ଆଖି, ଗୋଲେଇ ବାହା ଓ ବେଙ୍କିଏ ହବ ଅଣ୍ଟା ଦିଶିଗଲା ଅବା ନିକଟରେ, ଖୁବ୍‌ ନିକଟରେ । ବିଜୁଳି ଭଳି ମନ ଭିତରୁ ଯାଇ ପ୍ରବେଶ କଲା ମୋର ଆତ୍ମାରେ । ମନ ଓ ଆତ୍ମାର କଥାଗୁଡ଼ା ମୋର ପାଟିରେ ଖାଲି ପ୍ରତିଧ୍ୱନିତ ହେବାରେ ଲାଗିଲା । ମନେ ମନେ ମୁଁ ଘୋଷିହେଉଥିଲି– ଟୁନି, ଟୁନି ଆଉ ଟୁନି । ସେଇ ମୋର ପ୍ରାଣ, ମୋର ଆତ୍ମା, ମୋର ପାପ ଓ ଦୁଷ୍କର୍ମର ପ୍ରତୀକ ସେଇ ତନୁପାତେଳୀ ଟୁନି ।

 

ଟୁନି ପାଞ୍ଚବର୍ଷ ହେଲା ଅଧ୍ୟାପନା କାର୍ଯ୍ୟରେ ନିଯୁକ୍ତି ପାଇଛି ବୋଲି ମୁଁ ଜାଣି ନଥିଲି । ତା’ କ୍ୱାଟରରେ ରହେ ଏକାକୀ । ପାଖରେ ଗୋଟିଏ ଚାକରାଣୀ ବୁଢ଼ୀ । ସେ ଯେ ଏଠି ଆସି ରହୁଛି ଓ ଚାକିରି କରୁଛି ସେ କଥା ମୁଁ ଆଗରୁ ଜାଣି ନଥିଲି । ଜରୁରୀ ଗୋଟିଏ କାମ ଥିଲା । ସପ୍ତାହକ ପାଇଁ କଟକ ଆସିଥିଲି । ସେଦିନ ଅଫିସରେ କାମ ଦାମ ସାରି ହୋଟେଲ ଆଡ଼େ ଫେରୁଛି– ଅଧବାଟରେ ଟୁନି ସାଙ୍ଗରେ ଦେଖା । ସେତେବେଳେ ଦିନକର ଅଧ୍ୟାପନା କାମ ସାରିଦେଇ ସେ ଘରଆଡ଼େ ଫେରୁଥିଲା ରିକ୍‌ସାରେ । ଟୁନି ରିକ୍‌ସାକୁ କାଟି କାଟି ରିକ୍‌ସାଟି ମୋର ଆଗେଇ ଚାଲିଥିଲା । ପଛପଟୁ ଟୁନି ଆସ୍ତେ କରି ଡାକିଦେଲା । ସାଙ୍ଗେ ସାଙ୍ଗେ ମୁଁ ଚମକି ପଡ଼ିଲା ଭଳି ହେଲି । ମନ ଚେଇଁ ଉଠିଲା । ହଜିଲା କରୁଣ ରାଗିଣୀରୁ ପଦେ ହବ ଅବା ଶୁଭିଗଲା । ପରିଚିତ ସ୍ୱର । ଖାଲି ପରିଚିତ ନୁହେଁ । ଅତି ଆପଣାର ।

 

ପଛକୁ ଅନେଇ ଦେଖେ ତ– ଟୁନି ରିକ୍‌ସାରୁ ଓହ୍ଲେଇଯିବାକୁ ଉଦ୍ୟତ ହେଲାଣି । କେତେ କ’ଣ ମତେ ପଚାରୁଛି । କେତେ ଦିନ ହେଲା ଆସିଲଣି ? କୋଉଠି ରହୁଛ ? କାମ କ’ଣ ଅଛି ନାଁ ଏଠିକି ବଦଳି ହୋଇଗଲା ? ଚାକିରି କଥା, ଘର କଥା, ସୁଖଦୁଃଖ ଆଦି କେତେ କ’ଣ ।

 

ସେତେବେଳେ ମୁଁ ଟୁନି ପ୍ରଶ୍ନଗୁଡ଼ିକର ଯଥାଯଥ ଉତ୍ତର ଦେଉଥିଲି ସତ କିନ୍ତୁ ମନ ମୋର ଆଖିରେ ପ୍ରତିବିମ୍ୱିତ ହୋଇ ପଛଆଡ଼ିକି ଲମ୍ୱି ଯାଇଥିଲା । ଦୀର୍ଘ ସାତ ଆଠ ବର୍ଷ ତଳର ଘଟଣା ଗୋଟି ଗୋଟି ହୋଇ ମୋ ସାମ୍ନାରେ ଅବା ଭାସିଯାଉ ଥିଲା । ଚେତନ ମନକୁ କିଛି ଗୋଟିଏ କାମରେ ବ୍ୟସ୍ତ ରଖି କାହିଁ କେତେଆଡ଼େ ଘୁରି ବୁଲୁଥିଲା ମୋର ଅବଚେତନ ମନ, ମଣିଚୂଳ ସାପଟିଏ ମଣିକି ଗୋଟିଏ ଜାଗାରେ ରଖିଦେଇ ବାରଆଡ଼େ ଚରି ବୁଲୁଥିଲାଭଳି ।

 

ଟୁନି ମୋର ମନୋଭାବରୁ ବୋଧେ ବୁଝିପାରିଲା । ତା’ର ନୃତ୍ୟରତ ଭ୍ରୁଲତା ଓ ଥରି ଉଠୁଥିବା ଓଠରୁ ମୁଁ ଠିକ୍‌ ଠଉରେଇ ନେଲି– ମତେ ସେ ଅନୁରୋଧ କରୁଛି– ତା’ ଘରକୁ ଯିବାକୁ । ଯନ୍ତ୍ରଚାଳିତ ଭଳି ମୁଁ ଚାଲିଲି ଟୁନି ରିକ୍‌ସାର ପଛେ ପଛେ । ବେଶି ବାଟ ଯିବାକୁ ପଡ଼ିଲାନି । ଛକଟିଏ ପାର ହୋଇ ଗଲେ ଡାହାଣ ହାତି ଗୋଟିଏ ଗଳି । ଗଳିମୁଣ୍ଡେ ରହିଲା ରିକ୍‌ସା । ଦଶବାର ପାଦ ଆଗେଇ ଯିବାରୁ ପଡ଼ିଲା ଟୁନିର ଘର । ଗଲାବେଳେ କେତେ କେତେ କଥା ସେ ଗପୁଥାଏ । ମୁଁ କିନ୍ତୁ ଅନୁଭବ କରିଛି–ସେତେବେଳେ ସାତ ଆଠ ବର୍ଷ ତଳକୁ ବୟସ ଅବା ମୋର ଖସି ଯାଇଥିଲା । ସେତେବେଳେ ମତେ ତିରିଶି ପାଖାପାଖି । ଟୁନିକି ସତର କି ଅଠର । ଆମ ଭିତରେ ବୟସର ବ୍ୟବଧାନ ବହୁତ ବେଶି । ତା’ଛଡ଼ା ଆମ ମାମୁଁଘର ସାଙ୍ଗେ ଟୂନିଘରର ଏତେ ନିବିଡ଼ ସମ୍ପର୍କ ବୋଲି ମୁଁ ଜାଣି ନଥିଲି । ଯିବାଆସିବା ଓ ଭାବର ଆଦାନପ୍ରଦାନ ଯେତିକି ଯେତିକି ବଢ଼ିବାରେ ଲାଗିଲା ମାମୁଁଘର ସାଙ୍ଗେ ଟୁନି ଘରର ସମ୍ପର୍କଟା ଆଉରି ବେଶି ଗାଢ଼ତର ହେଲା । ବରଂ ତାଙ୍କ ଘରେ ଆସନଟା ମୋର ସେତିକି ଦୃଢ଼ୀଭୂତ କଲା । ସେଇଥି ପାଇଁ କହୁଛି– ସେଇଟା ମୋର ପାପ ଓ ଦୁଷ୍କର୍ମ ଭିତରେ ଗଣତି ହେବ । ସମାଜ ଆଖିରେ ଆମ ଦୁହିଁଙ୍କର ସମ୍ପର୍କ ଦୁଃଷଣୀୟ । ନ କହିବା ଉଚିତ ଥିଲା । ତଥାପି କହୁଛି । ନ କହିଲେ ଅବା ସତ୍ୟର ମୁଁ ଅପଳାପ କରିବି ।

 

ଆଜି ସେ ବିଜୁଳିର ଛଟା ନାହିଁ, ରୂପର ଝଲକ ନାହିଁ, ଆଖିର ଦାଢ଼ ନାହିଁ, ଓଠରେ ଗୋଲାପ ନାହିଁ କି ଦିହରେ କୋଣାର୍କ ଶିଳ୍ପର ବର୍ତ୍ତୁଳତା ନାହିଁ । ଅଛି ଖାଲି ବିସ୍ତୃତି, ସ୍ଥିରତା ଓ ହାତେ ମାପି ଚାଖଣ୍ଡେ ଚାଲିବାର ମନୋବୃତ୍ତି । ନଈର ସୁଅ, ଖାଲ ଜାଗାକୁ ଗଡ଼ିଯାଇ ହ୍ରଦ ସୃଷ୍ଟିକଲେ ନୀଳ ଜଳରାଶୀ ଗମ୍ଭୀର ହୋଇ ଖାଲି ଯେମିତି ଅତୀତକୁ ତା’ର ଚାହିଁ ରହେ । ଟୁନି ସେଦିନ ପଛକଥାଯାକ ଫେଣେଇ ଫେଣେଇ କହିଲା ବେଳେ ତା’ର ଆଖି କହୁଥିଲା, ଚାଲି ବି କହୁଥିଲା ସେ ଯେପରି ମତେ ଭୁଲିନି । ଏ ଯାଏ ବି ଭୁଲିନି । ପଚାରିବା ଦରକାର ନାହିଁ । ଶୁଣିବାର ବି ପ୍ରୟୋଜନ ନାହିଁ । ତା’ ମନ ଭିତରେ ଆଠବର୍ଷ ତଳର ଘଟଣାଯାକ ପଶିଯାଇ ଛାଇଭଳି ମୁହୂର୍ତ୍ତକ ପାଇଁ ମୁହଁରେ ଯେ ତା’ର ଘୂରିଯାଉଛି ସେକଥା ମୁଁ ଅନୁଭବ କରୁଥିଲି ତା’ ସାଙ୍ଗେ କଥା ହେଲାବେଳେ ।

 

ସେଦିନକୁ ମିଶେଇ ଚାରିଦିନ ହେଲା ମୁଁ କଟକ ଆସିଥିଲି । ବାହାରେ ରହି ହୋଟେଲରେ ଖାଇବା ଅପେକ୍ଷା ତା’ ପାଖରେ ନିର୍ବିଘ୍ନରେ ମୁଁ ରହିପାରି ଥାନ୍ତି । କେଜାଣି କାହିଁକି ଟୁନି ସେ ଦିନ ମୋ ପାଖରେ ଜାଣିଶୁଣି ଅବା ଧରା ଦେଉଥିଲାଭଳି ମୁଁ ଅନୁଭବ କଲି । ଅତୀତ କଥାସବୁ ପୁନରାବୃତ୍ତି କଲାବେଳେ ଟୁନି ତା’ର ଶରୀରକୁ ବସିବା ସ୍ଥାନରେ ସ୍ଥିର ରଖି ମନଟିକି ମୋ ଉପରେ ଲଟେଇ ଦେଇଥିବାର ମନେ ହେଲା । ଟୂନି ମୋ ନିକଟକୁ ଆସିବ ବୋଲି ତା’ର କଥାରେ, ହାବଭାବରେ ଓ ଆତିଥେୟତାରେ ଯେତେ ଯାହା ଉପକ୍ରମ କରୁନା କାହିଁକି ସେଦିନ ସେତିକି ସେତିକି ଦୂରକୁ ଅବା ଚାଲିଯାଉଥିଲା । ଉଠାପଡ଼ା ଲହରୀକି ମୋର ବନ୍ଦ କରିଦେଇଥିଲା-। ମୋ’ ମନ ଭିତରେ ସେଦିନ ଅବା ଆତ୍ମହତ୍ୟା କରିଥିଲା ଟୁନି । ସେ ବି ମୋର ଗୋଟିଏ ଅଶୁଭ ମୁହୂର୍ତ୍ତ । ତା’ ପାଖକୁ ନ ଯାଇଥିଲେ ବରଂ ଭଲ ହୋଇଥାଆନ୍ତା । କଥାବାର୍ତ୍ତା ନ କରିଥିଲେ ଚଳିଥାନ୍ତା । ଘରକୁ ସେଦିନ ତା’ ସାଙ୍ଗେ ନ ଯାଇଥିଲେ ଟୁନିକି ଅନ୍ତତଃ ମନ ଭିତରେ ମୁଁ ସାଇତି ରଖିଥାଆନ୍ତି, ଚିରଦିନ ପାଇଁ ।

 

ଟୁନି ସେଦିନ ବି ମତେ ଅବଜ୍ଞା କରି ପାରିଥାଆନ୍ତା । ସାମ୍ନାସାମ୍ନି ପଡ଼ି ନଥିଲେ ହୁଏତ ଦେଖା କରି ନ ଥାଆନ୍ତା । ମଣିଷ ଅଳ୍ପ ଉଚ୍ଚସ୍ତରକୁ ଚାଲିଗଲେ ସେ ସବୁର ପ୍ରୟୋଜନ ପଡ଼େ । ସଭିଙ୍କ ସାଙ୍ଗେ ସମାନ ସମ୍ପର୍କ ରଖିହୁଏନି । ସମୟ ବି ନଥାଏ । ପ୍ରଥମେ ପ୍ରଥମେ ଅବଶ୍ୟ ଅଡ଼ୁଆ ଅଡ଼ୁଆ ଲାଗେ । ଚିହ୍ନା ମୁହଁଟିଏ କି ପରିଚିତ କଥା ପଦିଏ ଜାଣିଶୁଣି ଏଡ଼େଇ ଦେଲେ ମନଟା କେମିତି କାନ୍ଦି ଉଠେ । ଆସ୍ତେ ଆସ୍ତେ ସେ ସବୁ କିନ୍ତୁ ଅଭ୍ୟାସରେ ପଡ଼ିଯାଏ । ଅନ୍ୟକୁ ଅବଜ୍ଞା ନକଲେ ନିଜେ ବଡ଼ ହେବାର ଆଶା ଯେପରି ଏକ ବିଡ଼ମ୍ୱନା । ନିଜକୁ ବଡ଼ ବୋଲି ପ୍ରତିପାଦିତ କରିବାକୁ ହେଲେ ଅନ୍ୟମାନଙ୍କୁ ହେୟ ମନେ କରିବାକୁ ପଡ଼େ । ଟୁନି ଉଚ୍ଚସ୍ତରକୁ ଯାଇ ସେତେବେଳେ ନିଜକୁ ଜୀବନରେ ସୁପ୍ରତିଷ୍ଠିତ କରିପାରିଥିଲା । ସିଧା ରାସ୍ତା ଉପରକୁ ଥରେ ଉଠିଗଲେ ବଙ୍କା ଅଣଓସାରିଆ ରାସ୍ତା ଆଉ ମନେ ପଡ଼େନି । ପଛକଥା ଭାବି ସେ ହୁଏତ ସ୍ୱପ୍ନ ଦେଖିପାରେ । କିନ୍ତୁ କାଦୁଅକୁ ଆଉଥରେ ସେ ଫେରିଯାଏନି । ରାସ୍ତାରେ ଯାଉ ଯାଉ କାହିଁ କେତେ ଲୋକଙ୍କ ସାଙ୍ଗେ ଦେଖା । ଟୁନି ସେଦିନ ମୁହଁ ବୁଲେଇ ଚାଲିଯାଇ ପାରିଥାଆନ୍ତା । ଏତେ ଦିନର ସମ୍ପର୍କଟାକୁ ସେ ଏଡ଼େଇ ପାରିଲାନି । କେଇଜଣଙ୍କ ପାଖରେ ନିଜର ଦୁର୍ବଳତା ରହିଯାଇଥାଏ । ଭୁଲିହୁଏନି ।

 

ଚାଲିଚଳଣ ଓ କଥାବାର୍ତ୍ତାରୁ ତା’ର ସେଇ ଦୁର୍ବଳତାକୁ ସେଦିନ ମୁଁ ଠଉରେଇ ନେଲି । ଯିଏ ବର୍ଷ ବର୍ଷ ଧରି ମତେ କେବେ ଧରା ଦେଇ ନଥିଲା । ପାଖକୁ ଆସି ଦୂରେଇ ଯାଉଥିଲା । କହିବ ବୋଲି ଭାବି ତୁନି ରହୁଥିଲା । ମରୀଚିକା ଭଳି ନାଚି ନାଚି ମୋ ମନ ଭିତରେ ବୁଣି ଦେଇଥିଲା ଖାଲି ସ୍ୱପ୍ନ । ପାଗଳ ଭଳି ସେଇ ମରୀଚିକା ପଛରେ ଧାଇଁ ଧାଇଁ ମୁଁ ବର୍ଷ ବର୍ଷ ବିତେଇ ଦେଇଛି । ଯେତିକି ତାକୁ ମୁଁ ବୁଝିବାକୁ ଚେଷ୍ଟା କରୁଥିଲି, ସେତିକି ସେ ଥିଲା ଅବୋଧ୍ୟ । ନୀତିବାକ୍ୟର ଗଣ୍ଡି ଭିତରେ ମୋର କାମନାଗୁଡ଼ିକୁ ଯେତିକି ଯେତିକି ସେ ପ୍ରତିରୋଧ କରେ, ସେତିକି ସେତିକି ତା’ ନିକଟକୁ ମୁଁ ପାଖେଇଯାଏ । ଦିନଟିଏ ତା’ ପାଖକୁ ନଗଲେ ସେଦିନଟି ମତେ ଅସରା ଲାଗେ । କଥା ପଦିଏ ତା’ଠୁ ନ ଶୁଣିଲେ ବାଇବିଛେଇ ହେଲା ଭଳି ମୁଁ ଅନୁଭବ କରେ । ଯେତେ ଯାହା କାମ ଥାଉ ପଛେ ସେ ସବୁକୁ ପଛରେ ପକେଇ ମୁହୂର୍ତ୍ତେ ପାଇଁ ମୁଁ ତା’ସାଙ୍ଗେ ଦେଖାକରି ଆସେ, କିଛି ଗୋଟିଏ କାମର ଆଳ ଦେଖେଇ । ଟୁନି ଥିଲା ସେତେବେଳେ ମୋର ଗୋଟିଏ ନିଶା ଅବା । ଯେତେ ଚେଷ୍ଟା କଲେ ବି ସେ ଅଭ୍ୟାସଟା ଛାଡ଼ିହେଉ ନଥିଲା । କାହାର ଆଲୋଚନା, ସମାଲୋଚନାକୁ ମୋର ଭ୍ରୂକ୍ଷେପ ନଥିଲା । ଭାବୁଥିଲି–ଟୁନିକି ଦିନଟିଏ ନ ଦେଖିଲେ ମୁଁ ହୁଏତ ବଞ୍ଚିପାରିବିନି ।

 

ମତେ ବୈଠକଖାନାରେ ବସିବାକୁ କହି ଟୁନି ସେଦିନ ଘରଭିତରକୁ ଚାଲିଗଲା । ବୈଠକ ଖାନାର ଫ୍ୟାନ୍‌ଟାକୁ ଘୁରେଇ ଦେଇ, ଚାକରାଣୀ ବୁଢ଼ୀଟି ଚା’ ଜଳଖିଆ କରିବାକୁ ଯାଉଥିଲା, ଟୁନି ତାକୁ କରେଇଦେଲାନି । ଅଣ୍ଡା ପୋଚ୍‌ ସାଙ୍ଗକୁ ଲହୁଣିମରା ପାଉଁରୁଟି । ତା’ ସାଙ୍ଗକୁ ହାଲୁଆ ଓ ଚା’ । ସେ ସବୁ ନିଜ ହାତରେ ସେ ବନେଇଲା । ପ୍ରଥମେ ବୈଠକ ଖାନରେ ମୁଁ ବସିରହିଥିଲି । ଟୁନି ଡାକିଆଣି ରୋଷେଇ ଘର ବାରେଣ୍ଡାରେ ମତେ ବସେଇଲା । କାର୍ଯ୍ୟକଳାପରେ ଜଣେଇ ଦେଉଥିଲା– ମୁଁ ତା’ର ଅତି ଆପଣାର ଲୋକ । ରୋଷେଇ ଘରେ ଜଳଖିଆ କରୁଥିଲାବେଳେ କେତେ କେତେ କଥା ସେ କହିଚାଲିଥାଏ– ତାଙ୍କ ଘରକଥା, ସାଙ୍ଗସାଥୀଙ୍କ କଥା, କିଏ ବିବାହ କରି ପିଲାଝିଲାଙ୍କୁ ନେଇ ସୁଖରେ ଅଛି, କିଏ ଅଭାବ ଅସୁବିଧାରେ ଘାଣ୍ଟିହେଉଛି, କିଏ ଭଲ ଚାକିରିଟିଏ ପାଇଛି, ସେମାନଙ୍କ ଭଳି ଏକେଲା, ଜୀବନ ତାଙ୍କୁ ଭଲ ଲାଗୁନି– ଏମିତି ଅନେକ ଅନେକ କଥା, ଯିଏ ଯେତେ ଭଲରେ ଥିଲେ କି ଯେତେ ଟଙ୍କା କମଉଥିଲେ ପରିଚିତ କି ଆପଣା ଲୋକର ମୁହଁଟିଏ ପାଖରେ ନ ଦେଖିଲେ ସେ ଟଙ୍କା, ସେ ପଦବୀ ସବୁ ଯେପରି ଅସାର ଜଣାପଡ଼େ । ମୋ’ ମୁହଁକୁ ଦଲକାକୁ ଦଲ୍‌କା ହସ ଛାଟି ଟୁନି ସେଦିନ କିଛି ନ କହି ବି ହାବଭାବରେ ମତେ ଜଣେଇ ଦେଉଥିଲା– ସେ ମୋର ଅତି ଆପଣାର ଲୋକ । ସାତଆଠ ବର୍ଷର ବ୍ୟବଧାନ କିଛି ନୁହେଁ । ଅବସ୍ଥା ଚକ୍ରରେ ଦେଖାସାକ୍ଷାତ୍‌ ହୋଇପାରି ନଥିଲା ।

 

ବାରେଣ୍ଡାରେ ସୋଫା ଟେବୁଲଟି ଉପରେ ଟୁନି ସେଦିନ ମତେ ଖାଇବାକୁ ବାଢ଼ିଦେଲା-। ଦଉଡ଼ିଗଲା ଦାଣ୍ଡଦୁଆର ଆଡ଼େ । ଦେଖିବାକୁ– ଦୁଆରଟା ବନ୍ଦଅଛି କି ନାହିଁ । ଚାକରାଣୀ ବୁଢ଼ୀଟା ବାହରକୁ ଯାଇଥିଲା, ସଉଦା ଆଣିବା ପାଇଁ । ଟୁନି ମୋ ପାଖଦେଇ ଦାଣ୍ଡ ଦୁଆର ଦେବ ବୋଲି ଧାଇଁଗଲା ବେଳେ ତା’ ଚାଲିରେ ଛନ୍ଦଭରା ନୂପୁର ଅବା ରୁଣୁଝୁଣୁ ହୋଇ ବାଜି ଉଠିଲା । କିନ୍ତୁ ସାତ ଆଠ ବର୍ଷ ତଳର ଯୋଉ ବେସୁରା ରାଗିଣୀ, ଟୁନି ଚାଲି ଯାଉ ଯାଉ ମୁଁ ଯେପରି ଶିହରୀ ଉଠୁଥିଲି, ସେଥିରେ ନଥିଲା ସେଇ ଛନ୍ଦ । ତାଳଲୟ ସ୍ଥିର ରଖି ସେଦିନ ତା’ ଚାଲିରେ ଅବା ଛପି ରହିଥିଲା ଗୋଟିଏ ଛନ୍ଦଭରା ଗମ୍ଭୀର ଅଥଚ ଶାସ୍ତ୍ରୀୟ ରାଗର ଗୁଞ୍ଜନ । ମୁଁ ଲକ୍ଷ୍ୟ କରୁଥିଲି– ଟୁନି ଦଉଡ଼ିଗଲା ବେଳେ ଶରୀରର ଗୁରୁଭାର ତାର ଗତିସଙ୍ଗେ ସମାନ ଭାବରେ ଚାଲିପାରୁ ନଥିଲା । ନଥିଲା କେଇବର୍ଷତଳର ତା’ର ସେଇ ସୁନାଖଡ଼ିକା ଭଳି ପାତେଳା ଟୁକୁ ଟୁକୁ ଦିହ । ଚାକିରି କରିସାରିଲା ପରେ ସେ ମୋଟେଇ ଯାଇଥିଲା । ଭରପୁର ଦିହ, ସେଥିରେ ଶିଳ୍ପର ପରାକାଷ୍ଠା ନାହିଁ କି ଓଠରେ ତାର ଗୋଲାପ ଫୁଟି ଉଠୁନି । ପୂର୍ଣ୍ଣତା ଅଛି ପ୍ରାଣ ନାହିଁ । ପ୍ରାଚୁର୍ଯ୍ୟ ଅଛି, ଅଭାବର ପ୍ରଚେଷ୍ଟା ନାହିଁ । ଗତି ଅଛି, ଝଲକ ନାହିଁ । ଟୁନି ଦୁଆର ଦେବାକୁ ଗଲାବେଳେ ଅତୀତ ଘଟଣାସବୁ ମୋ’ ମନର ପାତେଳା ପରଦା ଉପରେ ଛାଇଭଳି ଅବା ନାଚିଗଲା । ତା’ ପାଇଁ ସେତେବେଳେ କେତେ ମୂଲ୍ୟବାନ ସମୟ ମୁଁ ନଷ୍ଟ କରିନି ? କେତେ କେତେ ଅସୁବିଧା ଭୋଗ କରିନି ? ଟୁନି ଯେ ସେ ସବୁ ଜାଣୁ ନଥିଲା ଏମିତି ନୁହେଁ । ଜାଣିଶୁଣି ସେତେବେଳେ ମୋ ସାଙ୍ଗରେ ଅବା ଖେଳୁଥିଲା ।

 

ଚା’ କପଟା ଆଣି ଥୋଇଦେଇ ସେ ଆଉଖଣ୍ଡେ ଚଉକିରେ ମୋ ପାଖକୁ କରି ବସିଗଲା । ଜଣାପଡ଼ିଲା– ଅତୀତ ଅପକର୍ମର ସତେ ଅବା ସେ ପ୍ରାୟଶ୍ଚିତ କରୁଛି । ତା’ର ଆତିଥେୟତାରେ ଆନ୍ତରୀକତା ନଥିଲା ବୋଲି କହିଲେ ମୁଁ କୃତଘ୍ନ ହେବି । ବରଂ ବଡ଼ ଚାକିରିଟିଏ କରୁଛି ବୋଲି ଟୁନି ମନରେ ତିଳେ ହେଲେ ଗର୍ବ ନଥିଲା । ଆତ୍ମାଭିମାନ ନଥିଲା । ଆଗଭଳି ସେ ଥିଲା– ସରଳ ଓ ନିଷ୍କପଟ । ପ୍ରାଣଖୋଲା କଥା ଓ ତା’ର ବ୍ୟବହାରରେ ଉଚ୍ଚଶିକ୍ଷା ଓ ଚାକିରିର ଗାରିମା କୃତ୍ରିମତାର ପୁଟ ବୋଳିଦେଇ ନଥିଲା । ଟୁନି ପାଖକୁ ଲାଗି ବସିଥିଲା ବେଳେ ମୁଁ ଗଲା କେଇବର୍ଷର ବ୍ୟବଧାନକୁ ମାପିବାରେ କେବଳ ବ୍ୟସ୍ତ ଥିଲି ।

 

ଚା କପରେ ଓଠ ଲଗେଇଲା ବେଳେ ଉପରକୁ ଅନେଇ ଦେଖିଲି– ସଞ୍ଜ ଆକାଶରେ ଲାଲ୍‌ ରଙ୍ଗର ଟୁକୁରା ମେଘ ଖଣ୍ଡିଏ କିଲିବିଲା ହୋଇ ଧାଇଁ ପଳେଇଛି । ଜଣାଗଲା– ସତେ ଅବା ସେଇ ଟୁନି । ଠିକ୍‌ ଏତିକି ବେଳେ କ’ଣ କହୁ କହୁ ସେ ହସି ଉଠିଲା ଓ ତା’ର ସେଇ ଦରଚିପା ହସଭିତରୁ ସାତ ଆଠ ବର୍ଷ ତଳର ଚପଳା ବାଳିକାଟିଏ ଅବା ବାହାରି ଆସୁଥିଲା ।

 

ଟୁନି ସେଦିନ ବହୁତ ଅନୁନୟ ହୋଇ ଅନୁରୋଧ କଲା ହୋଟେଲରେ କାଇଁ ରହିବ, ବେଡ଼ିଂପତ୍ର ନେଇ ଆସି ତା’ ପାଖରେ ଦିନ କେଇଟା ରହିଯିବାକୁ । ହଁ ବୋଲି କହି ଆସୁଥିଲି । ମୁଁ ଭଲ ଭାବରେ ଜାଣିଥିଲି– ତା’ ଦ୍ୱାରା ମୁଁ ଅତୀତ ଜୀବନର ହା ହୁତାଶକୁ ହୁଏତ ଚରିତାର୍ଥ କରିପାରିବି । ସୁବିଧା ସୁଯୋଗ ସବୁବେଳେ ମଣିଷ ପାଏନି । ଜୀବନରେ ଥରେ ଅଧେ ଆସେ । ହଁ–ନାଇଁ କିଛି ନକହି ମୁଁ କେବଳ ତୁନି ରହିଲି । ଟୁନି ବୋଧେ ଭାବିନେଲା– ତା’ କଥାରେ ମୁଁ ଏକମତ୍ତ । ମନକୁ ମନ ସେ କହିହେଲା–ତା’ ହେଲେ ବୁଢ଼ୀକି କହୁଛି, ସେ ଚାଉଳ ପକେଇବ । ଟୁନିଠୁ ଜାଣିଲି– କଲେଜରେ ସେଦିନ ଗୋଟିଏ ସଭାର ଆୟୋଜନ ଥିଲା । ସେଦିନ କଲେଜ ଯିବନି ବୋଲି ଟୁନି ଆପେ ଆପେ କହି ଚାଲିଲା । କେଜାଣି କାହିଁକି ସେଦିନ ଟୁନି ମୁହଁକୁ ମୁଁ ସିଧାସଳଖ ଚାହିଁ ପାରୁ ନଥିଲି ।

 

ନିଶ୍ଚିତ କଥା– ସେ ଦିନ ଟୁନି ସଙ୍ଗେ ମୁଁ ନିଜକୁ ଖାପ ଖୁଆଇ ପାରୁ ନଥିଲି । ଟୁନି କିନ୍ତୁ ସେଦିନ ଆଗଭଳି ନଥିଲା । ମୋ ମୁହଁକୁ ହସର ପିଚିକାରୀ ମାରିଦେଇ ବୈଠକଖାନାକୁ ସେ ଦଉଡ଼ିଗଲା । ନେଇଆସିଲା ଦିଆସିଲି ଓ ସିଗାରେଟ୍‌ । ବନ୍ଧୁମାନଙ୍କୁ ଚର୍ଚ୍ଚା କରିବା ପାଇଁ ଘରେ ବୋଧେ ସାଇତି ରଖିଥାଏ । ସିଗାରେଟ୍‌ରୁ ପୁଳେହବ ଟାଣିନେଇ ସାମ୍ନାକୁ ଧୂଆଁ ଛାଡ଼ିଲାବେଳେ ଧୂଆଁର ଫୁଟିକିଆ ବାଡ଼ିରେ ଆମ ଭିତରେ ଥିବା ବ୍ୟବଧାନଟାକୁ ସେତେବେଳେ ଅବା ମୁଁ ମାପୁଥିଲି-

 

ଦାଣ୍ଡ ଦୁଆରେ କିଏ ଖଟ୍‌ ଖଟ୍‌ କଲା ।

 

ଟୁନି କହିଲା– ବୁଢ଼ୀଟା ବୋଧେ ସଉଦା ଆଣି ଫେରିଲାଣି ।

 

ଦେଖିଲା ବେଳକୁ ବୁଢ଼ୀ ନୁହେଁ । ଆଉ ଜଣେ କିଏ ଭଦ୍ରଲୋକ । କଥାବାର୍ତ୍ତାରୁ ଜାଣିପାରିଲି– ଟୁନି କଲେଜ ଅଫିସର ଜଣେ କର୍ମଚାରୀ । ଜରୁରୀ କାମନେଇ ଆସିଛନ୍ତି ।

 

ଠିକ୍‌ ଏତିକିବେଳେ ଘର ଭିତରକୁ ପଶିଆସିଲା ସେଇ ବୁଢ଼ୀ ।

 

ଟୁନିକି କହିଲି– ମୁଁ ଯାଉଛି ।

 

ଭଦ୍ରଲୋକଙ୍କ ସାଙ୍ଗେ ସେ କଥାବାର୍ତ୍ତା ନକଲେ ନଚଳେ । କହିଲା– ଶୀଘ୍ର ଆସିବେ ।

 

କହିଲି– ଅଧଘଣ୍ଟେ ଭିତରେ ।

 

ରାସ୍ତାକରର ଦେବଦାରୁ ଗଛର ଡାଳଟା ପବନରେ ସେତେବେଳେ ଅଳ୍ପ ଦୋହଲିଗଲା-। ଗଛଠୁ ପାଞ୍ଚ ଛ’ ହାତ ଛାଡ଼ି ଇଲେକ୍‌ଟ୍ରିକ୍‌ ଖୁଣ୍ଟି । ଅଧା ଛାଇ ଓ ଅଧା ଆଲୁଅରେ ଟୁନିର ନିମନ୍ତ୍ରଣ ସାଙ୍ଗକୁ ତା’ର ସେଇ ଦରଚିପା ହସ ମୋ’ ଛାତିରେ ଅବା ବିଦ୍ଧ କରୁଥିଲା । ମୁହୂର୍ତ୍ତେ ପାଇଁ ପୁଲକି ଉଠି ମନରେ ଅବା ଲାଗିଗଲା କେମିତି ଏକ ଅପୂର୍ବ ଶିହରଣ ।

 

ମୁହଁ ଫେରେଇ ଚାଲିଥାଏ ମୁଁ ହୋଟେଲଆଡ଼େ । ମନ ଭିତରେ ସେତେବେଳେ ଖାଲି ଦ୍ୱନ୍ଦ୍ୱର ଲୁଚକାଳି ଖେଳ । ଫେରି ଯାଉ ଯାଉ ପଛଆଡ଼ିକି ଅନେଇ ଦେବାବେଳେ କାନରେ ଅବା ମୋର ପ୍ରତିଧ୍ୱନୀତ ହେଉଥିଲା– ଶୀଘ୍ର ଆସିବେ ।

 

ଟୁନିର ଏଇ କଥାପଦିକ ଅବା ମତେ ଦୂରକୁ ଦୂରକୁ ଖାଲି ଟାଣିନେଉଥିଲା । ଏତକ ନ କହିଥିଲେ, ମୁଁ ବୋଧେ ନିଶ୍ଚେ ତା’ ଘରକୁ ସେ ଦିନ ଯାଇ ଥାଆନ୍ତି । ଟୁନି କହିଲାନି ଯେ ମୋ ମନ ଭିତରୁ ଯିବାର କାମନାକୁ ଅବା ମାରିଦେଇଥିଲା । ସାତଆଠ ବର୍ଷତଳେ ତା’ ଘରକୁ ଗଲାବେଳେ କାହିଁ କେବେ ହେଲେ ପାଟି ଖୋଲି କିଛି ସେ କହିନି ? ପଦୁଟିଏ ତା’ ସାଙ୍ଗେ କଥା ହେବାପାଇଁ ମନ ମୋର ଖାଲି ଛଟ ପଟ ହେଉଥାଏ । ଟୁନି ଯେତିକି ଯେତିକି ଚୁପ୍‌ ରହେ ସେତିକି ସେତିକି ଚୁପ୍‌ ରହେ ସେତିକି ସେତିକି ମୋ ମନରେ ଆସି ଘୋଟିଯାଏ– ‘‘ତା’ ସାଙ୍ଗରେ ପୁଣିଥରେ ଦେଖା ହେବାର ନିଶା ।’’

 

ରାସ୍ତାରେ ଆଲୋକମାଳାର ସମ୍ଭାର, ଲୋକ ସମାଗମ, ଗାଡ଼ିମଟର ଭିଡ଼ । ଜୀବନ୍ତ ସହରଟା ମୋ ପଛେ ପଛେ ଅବା ଧାଇଁ ଧାଇଁ ଆସୁଥିଲା । ମୋ ପିଛା ଧରି ଧରି ।

ରାତିରେ ହୋଟେଲ ଆଡ଼େ ଫେରୁଥିଲା ବେଳେ ମୁଁ ଟୁନି କଥା ଭାବି ଭାବି ଆସୁଥିଲି ସତ; କିନ୍ତୁ ତା’ ପାଖକୁ ଆଉଥରେ ଆସିବାର ଇଚ୍ଛା ନଥିଲା, କେଜାଣି କାହିଁକି ମନ ଡାକୁ ନଥିଲା । ମନ– ସମୁଦ୍ରରେ ମୋର ନଥିଲା ସେତେବେଳେ ଉଠପଡ଼ ଲହଡ଼ି । ତା’ ପାଖରେ ଯାଇରହିଲେ ଭଲ ମନ୍ଦର ବିଚାର କରି କରି ମୁଁ ଚାଲିଥିଲି ହୋଟେଲଆଡ଼େ । ଟୁନି ପାଖକୁ ଆସିବାର ଉଦ୍‌ବେଗ ମନ ଭିତରେ ମୋର ମରିଯାଇଥିଲା,– ‘ଶୀଘ୍ର ଆସିବେ’ ଟୁନିର ଏଇ କଥାପଦିକ ମୋ କାନ ପାଖରେ ବାରମ୍ୱାର ପ୍ରତିଧ୍ୱନୀତ ହେଉଥିଲେ ହେଁ ମୋ ମନଭିତରେ କ୍ଷୁଧାକୁ ଅବା ସମୂଳେ ମାରି ଦେଇଥିଲା ।

 

ନ ଯାଇ କିନ୍ତୁ ଉପାୟ ନାହିଁ । କାଲି ଯେବେ ପୁଣି ଦେଖାହୁଏ ? ଦେଖାହେଲେ ତାକୁ ମୁହଁ ଦେଖେଇ ହେବନି । ଏଣେ ସେ କହୁଥିଲା ରୋଷେଇବାସର ବନ୍ଦୋବସ୍ତ କରିଛି । ନ ଯିବାର ହେଲେ, ତାକୁ ଅନ୍ତତ ଖବରଦେଇ ଆସିବା ଉଚିତ ଥିଲା । ମନରେ ଖାଲି ସେତେବେଚେ ହଁ– ନାଇଁର ଦ୍ୱନ୍ଦ । କ’ଣ କରିବି ଠିକ୍‌ କରିପାରୁ ନଥିଲି ।

 

ଯୋଗକୁ ଜଣେ ଭଦ୍ରଲୋକଙ୍କ ସାଙ୍ଗେ ଦେଖା । ଯୋଉ କାମ ନେଇ ମୁଁ କଟକ ଯାଇଥିଲି ସେ କାମଟା ସରିଗଲାଣି ବୋଲି ସେ ଖବର ଦେଲେ । ଆଉ ଦି’ ତିନିଦିନ ରହିବା କିଛି ଦରକାର ନାହିଁ । ରହିବାମାନେ ଖାଲି ବେକାରରେ ଦିନ କାଟିବା କଥା । ଠିକ୍‌ କଲି– ମୁଁ ଫେରିଯିବି-। ରହି ଆଉ ଲାଭ ନାହିଁ । ଟୁନିକି ଏଇ ଖବରଟା ଦେଇ ଆସିବି ବୋଲି ଭାବୁଥିଲି । ମୁଁ ଭଲଭାବରେ ଜାଣେ– ତା’ ପାଖକୁ ଯାଇଥିଲେ କେବେହେଲେ ସେ ମତେ ଛାଡ଼ି ନଥା’ନ୍ତା । ତା’ ମୁହଁକୁ ଅନେଇ ମନାକରି ହେବନି । ଯାଇଥିଲେ ପୁରୁଣା ସମ୍ପର୍କରେ ପୁଟ ଦେଇ ପାରିଥାଆନ୍ତି । ଅତୀତକୁ ବର୍ତ୍ତମାନରେ ସାଇତି ରଖି ଥାଆନ୍ତି । ତା’ରି ଉପରେ ଗଢ଼ିଥାଆନ୍ତି ପୁଣି ଭବିଷ୍ୟତର ସୌଧ । କ୍ଷଣିକର ନିଷ୍ପତ୍ତିରେ ସେଇ ଅଟ୍ଟାଳିକାଟିକୁ ନିଜ ହାତରେ ସମୂଲେ ମୁଁ ଧ୍ୱଂସ କରିଦେଲି । ତା’ ନହେଲେ ମତେ ଆଜି ଏତେ କହିବାକୁ ପଡ଼ନ୍ତାନି । ଟୁନି କଥାତକ ନକହି ଦେଲେ ମତେ କେମିତି ଭାରି ଅଶ୍ୱସ୍ଥି ଲାଗୁଛି । ସେ ଦିନ ତା’ର ନିମନ୍ତ୍ରଣ ରକ୍ଷା କରିଥିଲେ କହିବାକୁ ପଡ଼ିନଥା’ନ୍ତା-

 

X X X

 

ପଡ଼ିଥାଆନ୍ତା ଯେବେ ଗହିରୀଆ ପୋଖରୀରେ ଟେକାଟିଏ । କେରା କେରା ଢେଉର ବେଣି ମେଲେଇ କୁଆଡ଼େ ପୁଣି ସେ ଅଦୃଶ୍ୟ ହୋଇଥାଆନ୍ତା ମନଭିତରେ । ଯୋଉଠି ଥିଲା ସେଇଠି । ଚହଲିଯାଇ କୂଳ ଡେଇଁନି କି ବନ୍ଧବାଡ଼ ଭାଙ୍ଗି ବହିଯାଇନି । ଯାହାକିଛି ଟିକିଏ ଚଞ୍ଚଳତା, ଅଳ୍ପ ଶିହରଣ, ଢେଉର ଉଠପଡ଼ ସଙ୍ଗିତରେ ମୁହୂର୍ତ୍ତକ ପାଇଁ ମୂର୍ଚ୍ଛନା । କପାଳ ଉପରେ ଦୋଳି ଖେଳୁଥିବା ହଲାଦୋହଲା ଅଲରା ସଲରା ବାଳ କେରାକ ପୁଣି ତା’କୁ ଯେମିତି ବାନ୍ଧି ଦିଆଯାଏ । ଯଥାସ୍ଥାନକୁ ପୁଣି ସେ ଯେମିତି ଫେରିଆସେ ।

 

ମନର ଉତୁରା ଭାବନାକୁ ଠେଲିପେଲି ସେଦିନ ମୁଁ ଫେରି ଆସିଥିଲି କଟକରୁ ପୁରୀ । କାଠିକୁଟାରେ ଆଚ୍ଛାଦିତ ମୋର ନୀଡ଼କୁ । ବହୁ ଯତ୍ନ ଓ ବହୁ ଆୟାସରେ ନୀଡ଼ଟିକି ମୋର ଟେକି ରଖିଛି । ହଲାଦୋହଲା ପରିବେଶ, ବା’ ବତାସର ଆଲୋଡ଼ନ, ବେଳେ ବେଳେ କାଠିକୁଟା ତା’ର ଉଡ଼େଇ ନେଇଛି ସତ, ସମୂଲେ ତାକୁ ନଷ୍ଟ କରିଦେଇ ପାରିନି । ସେଇଥିରେ ମୋର ସଂସାର । ଗୁଡ଼ୁର ଗାଡ଼ର ପିଲା ତିନୋଟି– ଖଣ୍ଡିଉଡ଼ା ମାରିନାହାନ୍ତି ଓ ସେଇ କଅଁଳିଆ ଛୁଆ ତିନିହିଁଙ୍କି ଚାହିଁ ଚାହିଁ ଚୁଲି ନିଆଁପାଖେ ତପସ୍ୟା କରି ବସିରହିଛି ମୋର ଚାରୁ । ଠୁଙ୍ଗହାଡ଼ ଓ କଳାଶିରାକୁ ବେଢ଼େଇ ରଖିଛି ତା’ର ଶାଢ଼ୀରେ । ସେଠି ଉଠପଡ଼ ଲହରୀ ନାହିଁ । ଅଛି ଦିଗନ୍ତବିସ୍ତାରୀ ‘‘ନୀଳ ଜଳରାଶୀ-କଳି ହୁଏନି ।’’ ଗୁରୁର ଧୈର୍ଯ୍ୟ ଓ ସହନଶୀଳତାକୁ ମୁଁ କଳି ନ ପାରିଲାଭଳି । ସେଠି ସଙ୍ଗୀତ ନାହିଁ ବୋଲି କହି ହେବନି, କିନ୍ତୁ ମୂର୍ଚ୍ଛନା ନାହିଁ । ନୀଡ଼ଟି ମୋର ସମ୍ପୂର୍ଣ୍ଣ ନିରାନନ୍ଦ ନୁହେଁ । କିନ୍ତୁ ଯାହାକିଛି ଆନନ୍ଦ ସେଠି ମପାଚୁପା, ତଉଲିଲାଭଳି, ଏପଟ ସେପଟ ହେବାକୁ ଚାରା ନାହିଁ । ଆନନ୍ଦ ସେଠି ହସରେ ଭିଜା । ଲୁହରେ ବି । ଉଭୟରେ ।

 

ଉଭୟଙ୍କୁ ଏକ ସମୟରେ ଭାବିପାରିବା ସମ୍ଭବ ନୁହେଁ । ଜଣେ ନିକଟରେ । ଅତି ନିକଟରେ । ତା’ ପାଇଁ ଭାବନାର ଅବକାଶ ନାହିଁ । କଇଞ୍ଚ; ଖୋଳ ଭିତରେ ନିଜକୁ ଲୁଚେଇ ରଖିଲାଭଳି ମୋରି ଭିତରେ ଅବା ସେ ଲୁଚି ରହିଛି । ଆଉଜଣେ ଦୂରରେ । ବହୁ ଦୂରରେ । ଆଖି ପାଇବନି । ଏତେବର୍ଷ ପରେ ହାତମୁଠାରେ ପାଇ ମୁଁ ତାକୁ ପ୍ରତ୍ୟାଖ୍ୟାନ କରିଦେଇ ଆସିଛି । ଏତେ ଆଦରର ନିମନ୍ତ୍ରଣ ରକ୍ଷା ନକରି ମନରେ ତା’ର ଆଘାତ ଦେଇଚି । ତା’ରି ପାଇଁ ମନର ସ୍ତରେ ସ୍ତରେ ଆଜି ଭାବନାର ବାମ୍ଫ । ତୁହାକୁତୁହା କୁଣ୍ଡଳୀ କରି କରି ମୋ ପଛେ ପଛେ ଧାଇଁଛି । ଆଗରେ ପଛରେ ଚାରିଆଡ଼େ ସେ ଦିହେଁ । ଟୁନି ଆଉ ଚାରୁ ।

 

କ୍ଷଣିକର ନିଷ୍ପତ୍ତିରେ ସେଇଦିନ ରାତିରେ ଟୁନି ଘରଆଡ଼େ ନଯାଇ ମୁଁ ଠିକ୍‌ କଲି ହୋଟେଲରୁ ବେଡ଼ିଂପତ୍ର ଧରି ଷ୍ଟେସନ ଫେରିଯିବି । ଯୋଗକୁ ସେ ଭଦ୍ରଲୋକଙ୍କ ସାଙ୍ଗେ ଦେଖା । ଅଫିସ କାମର ଆଉ ପ୍ରୟୋଜନ ନାହିଁ । କାଳ ବିଳମ୍ୱ ନକରି ହୋଟେଲରୁ ଚାଲିଲି ଷ୍ଟେସନ୍‌ । ରିକ୍‌ସା ଖଣ୍ଡେ ଧରି । ଅଧଘଣ୍ଟେ ପରେ ଆସିଲା ପାସେଞ୍ଜର ଗାଡ଼ି । ରାତି ଏଗାରଟାରେ କଟକ ଛାଡ଼ି ଭୋରରୁ ଯାଇ ପହଞ୍ଚିବ ପୁରୀରେ । ପଚାଶ ମାଇଲକୁ ଦୀର୍ଘ ଛଅଘଣ୍ଟା । ସାଟେଲାଇଟ୍‌ ପହଞ୍ଚିବ ଯାଇ ଚନ୍ଦ୍ର ପାଖରେ । ପାଖରେ ବୋଲି କେବଳ ବେଡ଼ିଂପତ୍ର । ପାରିଦେଇ ଶୋଇ ପଡ଼ିଲେ ହେଲା ।

 

ଶୋଇପଡ଼ିବାର ବହୁତ ଉପକ୍ରମ ମୁଁ କଲି । ଆଖି ବୁଜି ବୁଜି କର ନେଉଟେଇଲି । ହାଇ ଉପରେ ହାଇ । ତକିଆ ଉପରେ ବାଁ ହାତକୁ ଛନ୍ଦିଦେଇ ଆଖି ବୁଜିଲାବେଳକୁ ଦିଶିଗଲା ଅବା ମୋର ସେଇ ମୂର୍ତ୍ତିମନ୍ତ ମନ । ସେଇ ଅନ୍ଧାର ଭିତରେ ଡେଣା ମେଲେଇ ଉଡ଼ିଯିବାକୁ ବସିଛି । ଗାଡ଼ିରେ ଅନ୍ୟମାନେ ଯିଏ ଯାହାର ସୁବିଧା ଅସୁବିଧାରେ ଶୋଇଯାଇ ଥାଆନ୍ତି । ଦିନଯାକ ଦଉଡ଼ାଧାପଡ଼ା କରି ହାଲିଆ ମାରିଦେଲେ ସକାଳ ପାଉ ନ ପାଉଣୁ ପୁଣି କାମ । ଖାଲି କାମ, କାମ ଆଉ କାମ ।

 

ସାତଦିନର କାମନେଇ କଟକ ଆସିଥିଲି । ଚାରି ଦିନରେ ସରିଗଲା । ତିନିଟା ଦିନ ସେଇ ଚିରାଚରିତ କାମ ଭିତରେ ଗୋଳେଇଘାଣ୍ଟି ନହୋଇ ଖାଲି ଶୋଇ ଶୋଇ ମୁଁ କଟେଇଦେବି-। ଗାଡ଼ିଭିତରେ ଆଖି ବୁଜି ବୁଜି ସେଇକଥାଇ ମୁଁ ଭାବୁଥିଲି ।

 

ଧୀରେ, ସୁସ୍ଥେ ବାଟ କାଟି କାଟି ଗଡ଼ି ଚାଲିଥାଏ ପାସେଞ୍ଜର ଗାଡ଼ି । ନାଚି ନାଚି, ହଲି ଦୋହଲି । ବେଳେ ବେଳେ ଶିଶିର ମାରି, ଧୂଆଁ ବାନ୍ତି କରି କରି ଗଡ଼ି ଯାଉ ଯାଉ ସେଇ ଶବ୍ଦସାଙ୍ଗେ ତାଳ ଦେଇ ଦେଇ ଧାଇଁ ଚାଲିଥିଲା ମୋର ମନ । ଅମାନିଆ ଲଗାମଛଡ଼ା ହୋଇ–

 

ବାହାରର ଘନ ଅନ୍ଧକାର ଭିତରେ ଅଜଣା କାହାର ପାଦଶବ୍ଦ । କୋଉଠୁ ସେ ଆସିଛି-? ଯାଉଛି କୋଉଆଡ଼େ ? କାହିଁକି ? କେତେବେଳେ ଯାଏ ? କେତେ ଦୂର ?

 

ଯାହା ଭିତରେ ସିଏ ହଜି ଯାଇଥିଲା । ସେଇ ଆସି ଆଗରେ ଠିଆ ହେଲାଣି । ଗଡ଼ି ଗଡ଼ି ଚାଲିଛି ସେଇ ବର୍ତ୍ତମାନ । ତାଆରି ଅବା ପାଦଶବ୍ଦ । ମୁହଁରେ ପିଟି ହେଉଥିବା ପବନ ଭଳି ସାଇଁ ସାଇଁ ବହି ଆସୁଛି ସେଇ ଅତୀତ । ହଜି ଯାଇଥିଲା । ପୁଣି ଆସିଛି । ଦିହିଁଙ୍କ ଭିତରେ ସଂଘର୍ଷ-। ସଂଘର୍ଷରୁ ସୃଷ୍ଟି । ଅତୀତ ରହିଲାଣି ବର୍ତ୍ତମାନର ପେଟ ଭିତରେ । ସେ ସବୁ ଏକାଠି ମିଶାମିଶି ଓ ଗୋଳିଆ ପୋଳିଆ । ଅଡ଼ୁଆ ତଡ଼ୁଆ ସୁତା ଗୁଲିଭଳି । ଖିଅ ମିଳୁନି । ଖିଅ ଖୋଜି ଖୋଜି ବାହାରେ ଧାଇଁ ଧାଇଁ ଚାଲିଛି ଅବା ସେଇ ଶବ୍ଦ । ସମୟର ପାଦଶବ୍ଦ ।

 

X X X

 

ସମୟର କୋଉ ଏକ ନିଭୃତ କୋଣରେ ଲୁଚିଛପି ଦିକ୍‌ ଦିକ୍‌ କରୁଥିଲା କଣିକାଏ ନିଆଁ ଝୁଲ । ସେଇ ନିଆଁ ଝୁଲଟି ଭିତରେ ଲୁଚି ରହିଥିଲା ଅବା ସହସ୍ର ସୂର୍ଯ୍ୟର ଆଲୋକ । ଅଣୁ ଭିତରେ ବିଶ୍ୱବ୍ୟାପୀ ଶକ୍ତି ଲୁଚି ରହିଥିଲା ଭଳି । ଭୃଣ ଭିତରେ ବୟସ୍କ ମଣିଷ ଭଳି । ଛୋଟ ଛୋଟ ଆଖି ଦି’ଟିରେ ବିଶ୍ୱ ବ୍ରହ୍ମାଣ୍ଡ ପ୍ରତିବିମ୍ୱିତ ହେଲାଭଳି ।

 

ଟୁନିର ସେଇ ଆଖି ଦି’ଟି ଏବେ ବି ମୋ’ ମନ ଭିତରେ ପ୍ରତିବିମ୍ୱିତ ହୋଇ ରହିଛି । ତା’ ସହିତ ଦେଖା ହେବାଟା ଆକସ୍ମିକ ନୁହେଁ । ସେତେବେଳେ ସେ ଫ୍ରକ୍‌ପିନ୍ଧା ଛାଡ଼ିଥିଲା । ଶାଢ଼ୀ ଆଉ ଫ୍ରକ୍‌ ମିଶା ମିଶି ପିନ୍ଧିବାର ସମୟରୁ । ଭଲ ପାଠ ପଢ଼ୁନି ବୋଲି କେତେଥର ତାକୁ ଗାଳିମନ୍ଦ ଦେଇଛି । ଆଖି ଦେଖେଇ, କାନ ମୋଡ଼ି, ପାଠ ବତେଇ ଦେଇଛି । ଯେତେବେଳେ ସେ ତା’ର ବଡ଼ଭଉଣି ବିନି ପାଖେ ରହି ପାଠ ପଢ଼ୁଥିଲା । ବିନିର ଚାରିଚାରିଟା ଛୁଆ । ସେ ମୋର ସମବୟସ୍କ ହେବ । ବିନିଭଳି ଝିଅ ଖୋଜି ପାଇବା କଷ୍ଟକର । ଚାରି ଚାରିଟାର ମା’ ହେଲେ ବି କେହି ତାକୁ ବାହା ହୋଇଥିଲା ଭଳି କହିବେନି । ନିଜର ବେଶବାଶ କି ଲୁଗାପଟାରେ ସେ ଯତ୍ନ ନିଏନି । ବିନି କିନ୍ତୁ କି ଉପାଦାନରେ ଗଢ଼ା କେଜାଣି ଦେଖିଦେଲେ ଜଣାପଡ଼େ– ସେ ଅବା ଗୋଟିଏ ଅଭିଆଡ଼ୀ ଝିଅ । ତାଙ୍କ ବାପ ମା’ଙ୍କୁ ମଧ୍ୟ ଜାଣେ । ବେଶ୍‌ ସମ୍ଭ୍ରାନ୍ତ ଓ କୁଳୀନ । ବାପା କୋଉଠି ସରକାରୀ ଚାକିରି କରୁଥିଲେ । ବିନି ସାନ ମଝିଆଁ ଝିଅ । ଅଲିଅଳରେ ବଢ଼ି ଆସିଥିଲା । ବାପ ମା’ ଭାବିଥିଲେ– ଭଲ ଜାଗାଟିଏ ଦେଖି ବାହା ଦେବେ । ଅନ୍ୟ ଭଉଣୀମାନଙ୍କ ପାଇଁ ଏତେ ଚିନ୍ତା କରିବାକୁ ପଡ଼ି ନଥିଲା । କେବଳ ବିନିର ସୁନ୍ଦରପଣ ଯୋଗୁଁ । ଭଲ ପାତ୍ରଟିଏ ଦେଖି ନ ଦେଲେ ତା’ ରୂପର ସଦୁପଯୋଗ ହୋଇ ପାରିବନି । ସେଇଥି ପାଇଁ ତା ବିଭାଘର ଦି’ ତିନିବର୍ଷ ଗଡ଼େଇଦବାକୁ ପଡ଼ିଲା । କେତେ ବଡ଼ ବଡ଼ ଜାଗାରୁ ତା’ ପାଇଁ ପ୍ରସ୍ତାବ ଆସିଥିଲା । କିନ୍ତୁ ଯୋଉଠିକି ଯାହାର ବରାଦ୍‌ ଥାଏ ତାକୁ କେହି ଅନ୍ୟଥା କରିପାରିବନି । ବିନି ଅବଶ୍ୟ ଖରାପ ଜାଗାରେ ପଡ଼ି ନଥିଲା । ବାପ ମା’ ପ୍ରଚୁର ସମ୍ପତିବାଡ଼ି ଦେଖି ବାହା ଦେଇଥିଲେ । ନାଁ’କୁ ଖାଲି ଚାକିରି । ସମ୍ପତିବାଡ଼ି ଯାହାଥିଲା ନେଇଆଣି ଥୋଇପାରିଲେ ଖାଇବାକୁ ପେଟ ନାହିଁ । ବାପ ମା’ କିଛି ଭୁଲ କରି ନଥିଲେ । କିନ୍ତୁ ଗୋଟିଏ କଥାକୁ ସେମାନେ ଆଖି ବୁଜି ଦେଇଥିଲେ । ବିନି ତା’ ଶାଶୁଘରକୁ ଦ୍ୱିତୀୟପକ୍ଷ ସ୍ତ୍ରୀ ହିସାବରେ ଯାଇଥିଲା । ବର୍ଷେ ନ ପୁରୁଣୁ ସୁରବାବୁଙ୍କର ପ୍ରଥମ ସ୍ତ୍ରୀ ମରି ଯାଇଥିଲା । ପିଲାପିଲି ନଥିଲେ । ସୁରବାବୁଙ୍କୁ ତେଇଶି ଚବିଶି ବର୍ଷ । ଅସୁବିଧା ନାହିଁ । ବିନି କିନ୍ତୁ ଏ ଘଟଣାଟା ବିଭାଘର ଆଗରୁ ଜାଣି ନଥିଲା । ପରେ ପରେ ସେ ଯେତେବେଳେ ଏକଥା ଶୁଣିବାକୁ ପାଏ ମନଟା ତା’ର କେମିତି ମରିଗଲା । ପଛକଥା ତ ଆଉ ଫେରି ଆସିବନି । ଅବସ୍ଥା ସାଙ୍ଗେ ନିଜକୁ ଖାପ ଖୁଆଇ ନବାଛଡ଼ା ଅନ୍ୟ ଉପାୟ ନଥିଲା ।

 

ମନରେ ତା’ର ଗଭୀର ଦୁଃଖ ରହିଗଲା । ବାପ ମା’ ଏ କଥାଟା ଆଗରୁ ତାକୁ ନ ଜଣେଇଲେ କାହିଁକି ? ଅନେକଥର ଏଇକଥା ତା’ଠୁ ମୁଁ ଶୁଣିଛି । କହିଲାବେଳେ ମନ ତା’ର ମରି ଯାଇଥାଏ । ତଳକୁ ମୁହଁ ପୋତିଦେଇ ଶୁଖିଲା ଓଠ ଦି’ ଫାଳରେ ବ୍ୟକ୍ତିଗତ ଅନୁଭୂତି ଓ ମନଗହୀରର ଦୁଃଖଯାକ ଖୋଲାଖୋଲି କହିଯିବାକୁ ସେ କେବେ କୁଣ୍ଠାବୋଧ କରିନି । ବୋଧହୁଏ ତା’ କଥାକୁ ମୁଁ ମନଯୋଗ ସହକାରେ ଶୁଣେ ବୋଲି । ତା’କଥାରେ ମୁଁ କିଛି ମନ୍ତବ୍ୟ ଦିଏ ନାହିଁ । କିଛି ନ କହିଲେ ବି ମୋ ମୁହଁରୁ ସେ ବୋଧେ ଜାଣିପାରେ– ତା’ ଦୁଃଖରେ ମୁଁ ସମବେଦନା ଜଣାଉଛି ।

 

ବିନିର ଆଉ ଗୋଟିଏ ଗୁଣ ହେଲା ତା’ର ପଢ଼ାପଢ଼ିର ନିଶା । ଯାହାଯୋଗୁ ହିଁ ମୁଁ ବେଳେ ବେଳେ ତା’ ପାଖକୁ ଯାଇଥାଏ । ଘର ଜଞ୍ଜାଳ ଓ ପିଲାଝିଲାଙ୍କ କଥା ବୁଝି ସମୟ ଟିକିଏ ପାଇଗଲେ ଅଭ୍ୟାସଟି ସେ ତା’ର ଛାଡ଼ିପାରେନି । ଯେତେଥର ତା’ ପାଖକୁ ଯାଇଛି କିଛି ନା କିଛି ସେ ପଢ଼ୁଥିବ । ସାଧାରଣ ପାଠକ ବୋଲି କହିଲେ ତା’ ପ୍ରତି ଅସମ୍ମାନ ହେବ । ମୋ ସାଙ୍ଗେ କଥା ହେଲାବେଳେ ସେ ଏମିତି ଗୋଟିଏ ଗୋଟିଏ ପ୍ରଶ୍ନ ପଚାରେ, ଯାହାର ଉତ୍ତର ଦେବାପାଇଁ ମତେ ଅନେକ ସମୟଧରି ଚିନ୍ତା କରିବାକୁ ପଡ଼େ । ତା’ ପ୍ରଶ୍ନରୁ ହିଁ ବିନିକି ଚିହ୍ନି ହୁଏ । ସାହିତ୍ୟ ଆଲୋଚନା କରି ସେ ଘଣ୍ଟା ଘଣ୍ଟା ବିତେଇ ଦେଇପାରେ । ଗପ ଭିତରେ ବୁଡ଼ିରହେ । ଗପ ଅବା ତା’ର ଜୀବନ । ସେଥିପାଇଁ ସୁରବାବୁଙ୍କଠୁ ଅନେକଥର ସେ ଗାଳି ଶୁଣିଛି । ସୁରବାବୁ ମୋର ବଡ଼ଭାଇ ଭଳି । ବିନି ସାଙ୍ଗେ ଗପ କରୁଥିଲାବେଳେ ସେ କିଛି କହନ୍ତିନି । ତୁନିଟି ହୋଇ ସେଇବାଟ ଦେଇ ଚାଲିଯାଆନ୍ତି । ଚାଲିଗଲାବେଳେ ଚାଲିରେ ତାଙ୍କର ଜଣେଇ ଦେଇ ଯାଆନ୍ତି– ଆମ ଗପରେ ଭାଗନେବାକୁ ତାଙ୍କର ଇଚ୍ଛା ନାହିଁ । କିନ୍ତୁ ସୁରବାବୁଙ୍କର ନୀରବତା ଗପର ଗତିକି ଆମର ଧିମେଇ ଦିଏ । ଆଗଭଳି ସେ ପ୍ରାଣଖୋଲା ଆଳାପ ଆଲୋଚନା ଚାଲେନି କି ସାହିତ୍ୟର ରସାଳ ଆତ୍ମପ୍ରକାଶ ଆସ୍ୱାଦନ କରି ହୁଏନି । ସୁରବାବୁ ବଡ଼ ବାସ୍ତବବାଦୀ ଲୋକ । ସାହିତ୍ୟ, ଗପସପ କି ଆଳାପ ଆଲୋଚନା ସେ କିଛି ବୁଝନ୍ତିନି । ଜମିଜମା, ଚାକିରି, ବିକାକିଣା ଓ ଘର ଜଞ୍ଜାଳ ଭିତରେ ସଦାବେଳେ ସେ ବୁଡ଼ି ରହିଥା’ନ୍ତି । ତା’ଛଡ଼ା ପ୍ରତିବର୍ଷ ବିନିକି ମାତୃମଙ୍ଗଳ କେନ୍ଦ୍ରକୁ ଦଉଡ଼େଇପାରିଲେ ସେ ତାକୁ ଜୀବନର ଚରମ କୃତିତ୍ୱ ବୋଲି ଭାବି ନିଅନ୍ତି ।

 

ବିନି ଓ ସୁରବାବୁଙ୍କ ଭିତରେ ମତଭେଦଟା ହେଲା ଏଇଠି । ବିନି କହେ– ଭବିଷ୍ୟତ କଥା ନ ଭାବି ହାଣ୍ଡି ଆଟିକା ଗଢ଼ିଲାଭଳି ଗୋଟିକ ପରେ ଗୋଟିଏ ଆଣି ଅଯଥା ସଂସାର ବଢ଼େଇବାଟା ଭଲ ନୁହେଁ । ଜୀବନରେ ଆଉ ଅନେକ ଅନେକ ଜିନିଷର ପ୍ରୟୋଜନ ଅଛି । ସେଥିପାଇଁ ଦରକାର ମନ । ପାହାଡ଼ ନିକଟକୁ ଚାଲିଗଲେ କେବଳ ପଥରଖଣ୍ଡ ଛଡ଼ା ଆଉ କିଛି ଦିଶେନି । କିନ୍ତୁ ଦୂର ପାହାଡ଼ର ସ୍ତର ସ୍ତର ନୀଳ ବେଣିକି ଦେଖି ଦେଖି ତା’ ଭିତରେ ନିଜକୁ ହଜେଇ ଦେବାପାଇଁ ମନଭିତରୁ କିଏ ଅବା ଡାକଛାଡ଼େ । ଦୂରରେ ବାଜୁଥିବା ମନମୁଗ୍‌ଧକର ବାଦ୍ୟ ଉପଭୋଗ ନକରି ଖାଲି ତା’ର ହିସାବ ବିକାଶ କଲେ କଡ଼ାକର ଲାଭ ମିଳେନି । ପାଖକୁ ଆସିଲେ କି କୁତ୍ସିତ କି କଦାକାର ଏଇ ଜୀବନ । ଦୂରରୁ ଭାସି ଆସୁଥିବା କୁଜନରେ ଆତ୍ମବିଭୋର ନ ହେଲେ ଜୀବନର ସ୍ୱାଦ ଜାଣି ହୁଏନି । ଜୁଆରରେ ଢେଉ ନଦେଇ ସବୁକଥାରେ ଭଲମନ୍ଦର ବିଚାର କରିବସିଲେ ମନର ଏ ତନ୍ତ୍ରୀଗୁଡ଼ିକ ଛିଣ୍ଡି ଉଡ଼ିଯାଏ । ଜୀବନରେ ସ୍ୱପ୍ନର ପ୍ରୟୋଜନ ଅଛି, କଳ୍ପନା ବିଳାସର ଦରକାର ଅଛି । ସିଧାସଳଖ ପିଚୁରାସ୍ତା ତଳକୁ ଗଡ଼ିସାରି ଅଣଓସାରିଆ, ଖାଲଢ଼ିପୁଆ ରାସ୍ତାରେ ପଙ୍କ ଚକଟିଲେ ବି ସେଥିରେ ଆନନ୍ଦ ଅଛି ।

 

ସୁରବାବୁ କିନ୍ତୁ ହାତେ ମାପି ଚାଖଣ୍ଡେ ଚାଲିବା ଲୋକ । ସେ କାହାର କିଛି ନେବିନି କି କାହାକୁ ଦେବେନି । କାହାକୁ ପଦେ କହିବେନି କାହାଠୁ ଚାରିପଦ ଶୁଣିବେନି । ନିଜର ସଂସାର ନେଇ ସେ ବ୍ୟସ୍ତ । ତାଙ୍କ ଅନ୍ତରଖୋଲା କଥା ପଦିଏ ଶୁଣିବା କଷ୍ଟକର । ଯେତେ ବାସ୍ତବ ହେଲେ ବି ତାଙ୍କ ଭିତରେ ସେ ସ୍ନେହ ସୌହାର୍ଦ୍ଦ ଯେ ନଥାଏ, ଏମିତି ନୁହେଁ ମୁଁ ବୋଧେ ଏକମାତ୍ର ଜଣିଏ ଲୋକ, ଯାହା ଆଗରେ ତାଙ୍କର ମନ ଅଧାଅଧି, ଦରଖଣ୍ଡିଆ କରି, ଅଧେ କହି ଅଧେ ଢୋକି କେତେଥର ପ୍ରକାଶ କରିଛନ୍ତି । ସବୁକଥାରେ ଥାଏ– ବିନି ପ୍ରତି ଅଭିଯୋଗ । ଏମିତି ଖାମ୍‌ଖିଆଲି ହେଲେ ସଂସାର କି କେବେ ଚଳିପାରେ ? ଚାରି ଚାରି ଥର ମା’ ହେଲେ ବି ଏଯାଏ ତା’ର ପିଲାଳିଆ ଢଙ୍ଗ୍‍ଢ଼ାଙ୍ଗ୍‌ ଗଲାନି । କାହାକୁ କ’ଣ କୁହାଯାଏ ସେ ସବୁକଥା ବି ତାକୁ ବତେଇବାକୁ ପଡ଼ିବ । ସୁରବାବୁଙ୍କଠାରୁ ଏସବୁ ଶୁଣିସାରି ମୁଁ କେବଳ ହସିଦିଏ । ତା’ ଉପରେ ଟୀକାଟିପ୍‌ଣୀ ଦିଏ ଚୁପ୍‌ ରହେ । କିଛି ନ କହିଲେ ବି ମନଦେଇ ତାଙ୍କ କଥା ଶୁଣେ ବେଳେ ବେଳେ, ସମୟ ଥିଲେ ଅନେକ କଥା ସେ ଏମିତି ଗପି ଥାଆନ୍ତି ।

 

ବିନିର ବି ସେଇକଥା । ସୁରବାବୁଙ୍କ ଉପରେ ଅଭିଯୋଗ– ଅଫିସ୍‍ରୁ ଖଟି ଖଟି ଆସିବେ । ଖାଇଦେଇ ଚାଲିଲେ ବଜାର । ଖାଲି ଏ ଦୋକାନ ସେ ଦୋକାନ । ଗୋଟିଏ ହେଲେ ପଇସା ତାଙ୍କୁ ଯେମିତି କ୍ଷତି ସହିବାକୁ ନ ପଡ଼େ । ବଜାରରୁ ଫେରି ଶେଯ ଶୁଙ୍ଘୁ ଶୁଙ୍ଘୁ ଘୁଙ୍ଗୁଡ଼ି । ପିଲାପିଲି ସବୁ ନିଘୋଡ଼ ନିଦରେ ଶୋଇଗଲେ ତାଙ୍କ ଆଖିରୁ ନିଦ କୁଆଡ଼େ ଛାଡ଼ି ପଳାଇଯାଏ ତା’ ପରେ ଚାଲେ ବଂଶ ବୃଦ୍ଧିର ଯୋଜନା । ଠିକ୍‌ ବଜାରରୁ ସଉଦା କିଣିଲା ଭଳି । ଏଇ କ’ଣ ଜୀବନ-? ବିନି ସବୁ କିଛି କଥା ନିଃସଙ୍କୋଚରେ ମୋ ଆଗରେ କହିଯାଏ । ତା’ର କହିବାର ଭଙ୍ଗି ଓ ଆଖିରୁ ମୁଁ ସେତେବେଳେ ଜାଣିପାରେ– ବିନିର ମନ ଭିତରଟା କେମିତି ଡହଳ ବିକଳ ହେଉଛି-। ଇଆ ବୋଲି ଯେ ସେ ସୁରବାବୁଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରେ ଏମିତି ନୁହେଁ । ଘରକଥା ପିଲା ପିଲିଙ୍କ କଥା ସୁରବାବୁଙ୍କ ମନନେବା ଓ କିଏ ଗଲା ଆଇଲାଠୁ ଆରମ୍ଭ କରି ସମସ୍ତ ସଂସାର ଜଞ୍ଜାଳକୁ ସେ ବିଷ କଣ୍ଠ ପରି ପିଇଯାଏ ସିନା । ସେସବୁ କହିଲା ବେଳେ ଜଣାପଡ଼େ– ବିନି ସତେ ଅବା ସେଇ ଗରଳ ଗୁଡ଼ାକ ମୋ ଆଗରେ ଭକ୍‌ ଭକ୍‌ କରି ବାନ୍ତି କରୁଛି । ସବୁ କିଛି ତା’ର ମୋର ଆଗରେ କହିଦେଲେ ତାକୁ ବୋଧେ ହାଲକା ଜଣାପଡ଼େ ।

 

ସୁରବାବୁଙ୍କ ସାଙ୍ଗେ ମୋର ବନ୍ଧୁତ୍ୱ । ବହୁତ ଦିନର । ତାଙ୍କସାଙ୍ଗେ ମିଳା ମିଶା ଓ ତାଙ୍କ ଘରେ ମୋର ଅବାଧ ପ୍ରବେଶ ଆମ ମାମୁଁଘର ଯୋଗୁ । ଆମ ଘରଠୁ ଦି’ତିନିଟା ବଙ୍କା ଢଙ୍କା ଗଳି ଡେଇଁ ଗଲେ ପଡ଼େ ମାମୁଁଘର । ସେତେବେଳେ ଗୋଟେ ଗୋଡ଼ ମୋର ଆମଘରେତ ଆଉ ଗୋଟିଏ ଗୋଡ଼ ମାମୁଁଘରେ । ମାମୁଁ ଘରକୁ ନାଁ କୁ କେବଳ ଯାଏ । ମୋର ଯା’ ଆସ ମିଳା ମିଶା ଆଦି ସୁରବାବୁଙ୍କ ଘରେ । ପାଣି ଭଳି ସମୟ କେତେବେଳେ ବିତି ଯାଏ ମୁଁ ଜାଣିପାରେନି । ଦି’ତିନିଦିନ ତାଙ୍କଘରକୁ ଲାଗ୍‌ ଲାଗ୍‌ ନ ଗଲେ କଇଫିୟତ୍‌ ଦେବାକୁ ପଡ଼େ । ସୁରବାବୁଙ୍କ ଆଦେଶ– ଯେତେ ଯୁଆଡ଼େ କାମ ଥିଲେ ବି ପାଞ୍ଚ ଦଶ ମିନିଟ୍‌ ପାଇଁ ଖାଲି ମୁହଁ ମାରିଦେଇ ଯାଉଥିବ ! କିନ୍ତୁ ତାଙ୍କ ଘରକୁ କେବେ ପଶି ଆସିଲେ ଘଣ୍ଟେ ଦି’ଘଣ୍ଟାରୁ ମତେ କମ ରହିବାକୁ ପଡ଼େନି । ବିନି ଆସିଗଲେ ଖାଲି ଅନର୍ଥକ ଗପ । ସୁରବାବୁ କହନ୍ତି– ବାହାରକୁ ଯାଇଁ ପାଞ୍ଚଶ ଛ’ଶ ପାଇବା ଅପେକ୍ଷା ଘରେ ରହି ଚାରିଶ ଟଙ୍କା ପାଇବା ବରଂ ଭଲ । ସେଥିରେ ଶାନ୍ତି ଅଛି । ବର୍ତ୍ତମାନ ଯୋଉ ସମୟ ଆସିଲାଣି ନିଜ ସମ୍ପତ୍ତି ବାଡ଼ିକି ଅନ୍ୟ କାହା ଉପରେ ଛାଡ଼ିଦେଇ ଶାନ୍ତିରେ ନିଃଶ୍ୱାସ ମାରି ହେବନି । ନିଜେ ସେଥିପାଇଁ ପରିଶ୍ରମ କରିବାକୁ ପଡ଼ିବ । ଶନିବାର, ରବିବାର ଓ ଛୁଟିଦିନ ମାନଙ୍କରେ ବିଲବାଡ଼ି ଆଡ଼େ ବୁଲି ନ ଆସିଲେ ରକ୍ଷା ନାହିଁ । ଯୁଗ ଏବେ ଦିନକୁ ଦିନ ବଦଳିବାରେ ଲାଗିଛି । କାଲି ଯାହାର ପିଣ୍ଡା ଉପରକୁ ଉଠିବାକୁ ଆହାବ ପାଉ ନଥିଲା ଏବେ ସେ କଳିକି ତିଆରି ହେଲାଣି । ସୁରବାବୁ କଥା କଥାକେ ହୁସିଆର । ସମ୍ପତ୍ତିବାଡ଼ିକି ବାପାଙ୍କ ପରେ ପରେ ସେ ଜଗି ରହିଛନ୍ତି । ତା’ସାଙ୍ଗକୁ ଚାକିରି । ଅଭାବ ବୋଲି କିଛି ନଥାଏ ।

 

କାମଦାମ ନ ଥିଲାବେଳେ ମୁଁ ତାଙ୍କ ଘରକୁ ବୁଲିଯାଏ । ଉଦ୍ଦେଶ୍ୟ ହେଲା ଢିଂକିଶାଳରୁ ଢେଙ୍କାନାଳଯାଏ ଗପ । ବିନିଘର କାମକୁ ପଛ କରିଦେଇ ମୋ ସାଙ୍ଗେ ଘଣ୍ଟା ଘଣ୍ଟା ଧରି ଗପେ । ବସିଥାଏ ସିନା ନଜର ତା’ର ଚାରିଆଡ଼େ । ଘରକୁ କିଏ ଗଲା ଆଇଲା, ଚାକରବାକରମାନେ କାମ କରୁଛନ୍ତି ନା ନାହିଁ, ଟୁନି ପାଠ ପଢ଼ୁଛି ନା ଗପ ବହି ପଢ଼ୁଛି, ସୁରବାବୁଙ୍କର ଖା’ପିଅ ଓ ହେପାଜତ୍‌ ଆଦି ଘରର ଯାବତୀୟ କଥା ଉପରେ ସେ ସମାନ୍ତରାଳ ଭାବରେ ନଜର ରଖିଥାଏ । ଗୋଟିଏ କାମରେ ଧ୍ୟାନ ଦେଲେ ଅନ୍ୟ କାମଟି ଆପେ ଆପେ ଅବହେଳିତ ହୋଇଯାଏ । କିନ୍ତୁ ବିନି ପାଖରେ ମୁଁ ଲକ୍ଷ୍ୟ କରିଛି– ସେ ବାରଜାତି କାମକୁ ଏକାଦିକ୍ରମେ ସୁରୁଖୁରୁରେ କରିଦେଇପାରେ ।

 

ମତେ ଏକେଲା ବସେଇ ଦେଇ ଦିନେ ଦିନେ ସୁରବାବୁଂକ ସାଙ୍ଗେ ସେ ଘର ବିଷୟ କଥା ହେବାରେ ବ୍ୟସ୍ତ ଥାଏ । ଏଥିପାଇଁ କେବେହେଲେ ମୁଁ ଅସ୍ୱସ୍ଥି ବୋଧ କରିନି । ପାଟି ଖୋଲି କିଛି ନ କହିଲେ ବି ଆଖିରେ ଅବା ଭରି ରହିଥାଏ ତା’ର ଅନୁରୋଧ– ବସିରହ, ଅପେକ୍ଷାକର, ଗପ ବହିପଢ଼, ଚା’ଖାଅ, ସିଗାରେଟ ଟାଣ, କଥାବାର୍ତ୍ତା ଓ ଘର କାମଦାମ ଆଗ ସରିଯାଉ । ଦିନେ ଦିନେ ମୋର ଜରୁରୀ କାମଥିଲେ ବିନିକି କହିଦେଇ ମୁଁ ଚାଲିଆସେ ଦିନେ ଦିନେ ନ କହି ବି ଚାଲିଆସିଛି ।

 

ଥରେ କିନ୍ତୁ ମତେ ଭାରି ଖରାପ ଲାଗିଲା । ତା’ସାଙ୍ଗେ କଥାହେବା ପାଇଁ ମୁଁ ଘଣ୍ଟେ ଉପରେ ବସିରହିଲି । ବିନି ସେଦିନ କି ଏକ ଘରୋଇ କଥାରେ ବ୍ୟସ୍ତ ଥିଲା । ମାମୁଁ ଘରୁ ସୁରବାବୁଂକ ଘରକୁ ବାହାରିଲାବେଳେ ମାଇଁ ବି ସେଦିନ ମୁହଁ ଫଣ ଫଣ କରୁଥିଲେ । ସଦାବେଳେ ତାଂକ ଘରକୁ ଯିବାକୁ ସେ ପସନ୍ଦ କରୁ ନଥିଲେ । ବିନିକି କିଛି ନ କହି ସେଦିନ ମୁଁ ଦୁମ୍‌ ଦୁମ୍‌ ଗୋଡ଼ ପକେଇ ତାଂକ ଘରୁ ଚାଲିଆସିଲି । ଦଶ, ପନ୍ଦର ଦିନଯାଏ ତାଂକ ଘର ମାଡ଼ିନି । ଦିନେ ସୁରବାବୁଂକ ସାଙ୍ଗେ ଦାଣ୍ଡଦୁଆର ପାଖରେ ଦେଖା । ପାଖକୁ ଡାକି ଅନେକ ବେଳଯାଏ ଗପିଲେ । ବିନି ସାନପୁଅ ହାତରେ ଡକେଇ ପଠେଇଲା । ପ୍ରଥମେ ମୋ ଉପରେ ସେ ଅଭିଯୋଗ କଲା– ଏତେଦିନ ଯାଏ କାହିଁ ଦେଖା ନାହିଁ ?

 

ମୁଁ କହିଲି– ଜରୁରୀ କାମ ପଡ଼ିଛି । ବେଳ ମିଳୁନି ।

 

ବିନି ସେଦିନ କହିଥିଲା– ଆପଣ ତା’ହେଲେ ମିଛକଥା କହିବାକୁ ଶିଖିଲେଣି ?

 

କାହିଁ ନାଇଁ ତ ?

 

ପୁଣି ମିଛ କହିଲେ– କହୁ କହୁ ବିନି ହସିଦେଲା ।

 

କିଛି ନ କହି ମୁଁ ଚୁପ୍‌ ରହିଲି ।

 

ବିନି ତା’ପରେ କହିଚାଲିଲା– ଘଣ୍ଟାକ ପାଇଁ ମୁଁ ଗପସପ କରିବାକୁ ସମୟ ପାଇଲିନି ବୋଲି ଆପଣ ସେଦିନ ରାଗିଗଲେ ? ଅନ୍ୟ କେହି ହୋଇ ଥିଲେ ମୁଁ ବୋଧେ ଏତେ ସମୟ ଏକେଲା ବସେଇ ନଥା’ନ୍ତି । ନିଜର, ଅତି ଆପଣାର ଲୋକକୁ ହିଁ ଜଣେ ଅବଜ୍ଞା କରିପାରେ । ଆପଣ ଏତିକି କଥା ଏଯାଏ ବି ବୁଝିପାରିଲେନି ?

 

ବିନିର କଥା କେଇପଦ ମୋର ପାହାଡ଼ ଭଳି ଅଭିମାନକୁ ମୁହୂର୍ତ୍ତକ ଭିତରେ କୁଆଡ଼େ ଧୋଇ ନେଇଗଲା । କିନ୍ତୁ କେତେଦିନ ଯାଏ ବିନିର ଏଇ କଥାକୁ ମୁଁ ଭାବି ହେଉଥିଲି । ଅନ୍ୟମାନଙ୍କ ଅପେକ୍ଷା ଏଇ ହେଲା ବିନିର ବିଶେଷତ୍ୱ ।

 

X X X

 

ଗାଡ଼ିରେ ଅନ୍ୟମାନଙ୍କ ଅପେକ୍ଷା ମୋର ବିଶେଷତ୍ୱ ହେଲା– ମୁଦା ଆଖି ଭିତରେ ମୋର ବହି ଚାଲିଥାଏ ଘଟଣାର ପ୍ରବାହ । ଜହ୍ନ ଉଇଁ ଆସିଲେ ଲହରୀ ସବୁ ଫୁଲି ଫୁଲି, ନାଚ ନାଚି କୂଳରେ ଆସି ବାଡ଼େଇ ହେଲାଭଳି, ମନ–ନଈର କୂଳେ କୂଳେ ମୋର ଅଗଣିତ ଘଟଣାର ଜୁଆରମାଳା । ଗାଡ଼ିରେ ଅନ୍ୟମାନେ ଯିଏ ଯାହାର ଜାଗା ଖଣ୍ଡିଏ ଖଣ୍ଡିଏ ପଟ୍ଟା କଲାଭଳି ଶୋଇ ଯାଇଥିଲେ । କିଏ ଜଣେ ଦୁଆର ଖୋଲି ଭିତରକୁ ପଶିଆସିଲା । ପଛେ ପଛେ ଆଉ କେଇଜଣ । ବାହାରେ ବିଜୁଳି ଆଲୁଅର ମହୋତ୍ସବ । ବେଶି ଲୋକବାକ ନାହାନ୍ତି । ରାତିର ସେଇ ଶେଷ ପ୍ରହରରେ ବି ଗରମ ଚା’ବାଲାର କଳରୋଳ । ସେଇମାନେ କେଟ୍‌ଲି ଓ କପ୍‌ପିଆଲା ଧରି ଧାର ଲାଗି ଥାଆନ୍ତି । ପ୍ଳାଟଫର୍ମରେ ସେଇମାନଙ୍କର ଯାହା ଯିବା ଆସିବା । ଗାଡ଼ିଟା କେତେବେଳୁ ଆସି ଷ୍ଟେସନରେ ଠିଆହେଲାଣି । ମୋର ହୋସ୍‌ ନଥିଲା । ଭାବୁଥିଲି ଟିକିଏ ବାହାରେ ଯାଇ ବୁଲିଆସିବି । ପ୍ଳାଟଫର୍ମରେ ଏପଟକୁ ସେପଟ । ଗାଡ଼ି ଭିତରକୁ ଚାହିଁ ଚାହିଁ । ଗାଡ଼ି ଭିତରକୁ ପଶି ଆସିଥିବା ଲୋକ କେଇଜଣ ଯିଏ ଯାହାର ଜାଗା ଖଣ୍ଡିକ ଦଖଲ କରୁ କରୁ ଢୁଳେଇ ପଡ଼ିଲେଣି । ଠିକ୍‌ କଲି କାଇଁଏତେ ରାତିରେ ମିଛଟାରେ ବାହାରେ ଯାଇ ବୁଲିବି । କିଛି ଦରକାର ନାହିଁ ।

 

ଆଖି ବୁଜି ଦେଲାବେଳକୁ ଇଞ୍ଜିନର ଚିତ୍‌କାର । କାହାର କକର ଥନିଆଁ କାନ୍ଦ ଭଳି ମତେ ଶୁଭିଗଲା । ଗଡ଼ି ଗଡ଼ି ପୁଣି ସେ ଧାଇଁବାକୁ ଆରମ୍ଭ କଲାଣି । କାନ୍ଦ ମୋର କିଛି ଅଂଶ ଯେପରି ମୋର ଘୋଡ଼ିହେଲା ଚାଦର ଭିତରେ ଆସି ପଶିଗଲା । ନିଃଶ୍ୱାସ ପ୍ରଶ୍ୱାସରେ ମୋର ପ୍ରତିଧ୍ୱନିତ ହେବାରେ ଲାଗିଲା ସେଇ କ୍ରନ୍ଦନ, ଶୁଭିଯାଉଛି, ପୁଣି ଶୁଭୁନି ।

 

ମୋର ମୁଦା ଆଖିପତା ଭିତରେ ଗାଡ଼ି ସାଙ୍ଗେ ତାଳ ଦେଇ ଦେଇ ଦଉଡ଼ି ଆରମ୍ଭ କରିଦେଲା ଟୁନି । କାନ୍ଦଣାଟା ସେଇ ଟୁନିର । ଚାଦର ଭିତରେ ଖାଲି ପ୍ରତିଧ୍ୱନିତ ହେବାରେ ଲାଗିଥିଲା ।

 

X X X

 

ବିନିର କଥା ପଦିକରେ ମହମରେ ଗଢ଼ା ମୋର ଅଭିମାନର ସୌଧ ଭୁଷଡ଼ି ପଡ଼ୁଥିଲା ବେଳେ ମୁଁ ଶୁଣିବାକୁ ପାଇଲି– କିଏ ଜଣେ ପାଖଘରେ ହେଙ୍କା ଲଗେଇ କାନ୍ଦୁଛି । ପିଲାମାନେ ହେଞ୍ଜେଡ଼ାମୀ କଲେ ବୋଲି ବିନି ବୋଧେ ମାଡ଼ ଦେଇଥିବ । କାନ୍ଦଶବ୍ଦ କିନ୍ତୁ, ତୁହାକୁତୁହା ବଢ଼ି ଲାଗିଥିଲା । ରହି ରହି ସୁଁ ସୁଁ ହୋଇ । ବିନିକି ପଚାରିଲି– କିଏ ଏମିତି କାନ୍ଦୁଛି–

 

ସେ କହିଲା– ଟୁନି ପାଠଶାଠ ପଢ଼ୁନି । ଚାରିଟା ବିଷୟରୁ ଗୋଟିକରେ ବେଶ୍‌ ଭଲ ନମ୍ୱର ରଖିଛି । ଆଉ ଗୋଟାକରେ ମୂଣ୍ଡାକୁ ମୁଣ୍ଡା । ଦି’ଟି ବିଷୟରେ ଏକବାରେ ଖରାପ କରିଛି । ଭାଇ କହିଲେ । ମୁଁ ବି କହିଲି । ସେଇଥିପାଇଁ କାନ୍ଦୁଛି ।

 

ମୁଁ କହିଲି– ପଢ଼ା ବିଷୟରେ କେବେ କହିଥିଲେ ନାଁ ଖରାପ ନମ୍ୱର ରଖିଛି ବୋଲି ନୂଆ କରି କହିଲେ ?

 

ଅନ୍ୟବେଳେ କହିବାର ତ ଅବକାଶ ନାହିଁ ।

 

ଖାଲି ଫଳ ବାହାରିଲା ବେଳେ । ମୁଁ କହିଲି– ସେତିକିବେଳେ ତ କୁହାଯାଏ । ଯିଏ ଅନ୍ୟବେଳେ ପାଠପଢ଼ାପଢ଼ି କଥା ପଚାରେନି କି ବୁଝେନି ତା’ର ତ ଫଳ ବାହାରିଲା ବେଳେ ପଚାରିବାର ଅଧିକାର ନାହିଁ । ଆଜି କହି ଲାଭ କ’ଣ ? ଆରଥରକୁ ସେ ଯେମିତି ଭଲ କରିବ ସେକଥା ବୁଝିଲେ ବରଂ ଲାଭଅଛି ।

 

ବିନି ତୁନି ରହିଲା–

 

ସୁରବାବୁ ସେତେବେଳେ ଖାଇ ବସିଥିଲେ ।

 

ପିଲାମାନେ ସ୍କୁଲ ଯିବାକୁ ତରତର ।

 

ବିନିକି ସମୟ ନାହିଁ ।

 

ମୁଁ ଆଉ ଥୟହୋଇ ଠିଆହୋଇ ରହି ପାରିଲିନି । ଟୁନି ସେତେବେଳେ ପାଖଘର ଖଟଉପରେ ଧକେଇ ଧକେଇ କାନ୍ଦୁଥିଲା । ଖଟ ପାଖରେ କେତେ ସମୟ ଯାଇ ଠିଆ ରହିଲି । ସେତେବେଳେ ସେ ତକିଆ ଭିତରେ ମୁହଁ ପୋତିଥିଲା । ମୁଁ ସେ ଘରକୁ ଯିବା ଟୁନି ଦେଖି ନଥିଲେ ବି ଜାଣିଥିବ ନିଶ୍ଚୟ । ଆଖି ଖୋଲି ମୋ ଆଡ଼ିକି ନ ଚାହିଁଲେ ବି ମୁଁ ଯେ ତା’ ଖଟ ପାଖରେ ଠିଆହୋଇ ରହିଛି ଟୁନି ଜାଣିନି ବୋଲି କହିଲେ ସତ୍ୟର ଅପଳାପ ହେବ । କାହିଁକି ନାଁ ମୁଁ ଗଲାପରେ କାନ୍ଦ ତା’ର ବରଂ ବଢ଼ିଲାଗିଲା । ମୁଁ ଆଉ ଖାଲିଟାରେ ଠିଆହୋଇ ରହି ପାରିଲିନି । ଡେଣାଧରି ଟୁନିକି ଖଟଉପରୁ ଉଠେଇଦେବାକୁ ଗଲାବେଳେ ସେ ଶିମ୍ୱଡ଼ଙ୍କଟିଏ ଭଳି ମୋ ଉପରେ ଢଳିପଡ଼ିଲା । ଆଖିରେ ତା’ର ଧାରା ଶ୍ରାବଣ । ମୁହଁଟା ଲୁଚେଇଦେବାକୁ ଯାଉଥିଲା । ମୁଁ ତାକୁ ଗୋଟାସୁଦ୍ଧା ଟେକି ଆଣିଲା ବେଳେ ମୋ ଦିହରେ ସେ ବେଢ଼େଇ ହୋଇ ଯାଇଥିଲା ।

 

ଆଖିକଣରେ ତା’ର ବୁନ୍ଦାଟିଏ ହେବ ଲୁହ ଝୁଲି ରହିଥିଲା । ଝରିପଡ଼ିବାକୁ ହେଲାଣି ଅଥଚ ପଡ଼ିନି । ମୋରି ଓଠପାଖକୁ ଲାଗିଥାଏ ଟୁନିର ଅଲରାସଲରା ବାଳରୁ କେରେହବ । ମୋ ଆଡ଼ିକି ଚାହିଁଦେଲା ବେଳକୁ ଟୂନି ଆଖିର ପାଉଁଶ ଗଦା ଭିତରେ ନିଆଁ ଝୁଲଟିଏ ଅବା ଦିକ୍‌ ଦିକ୍‌ ହୋଇ ଜଳିଉଠିଲା । ଭୟ ଓ ଆବେଗର ଅଣଚାଶ ପବନରେ ମୁହୂର୍ତ୍ତେ ପାଇଁ ମୁହଁସାରା ତା’ର ତେଜୀୟାନ ଦେଖାଗଲା । ସେଇ ଦେହରେ ଅବା ଓଠ ଦି’ଫାଳ ତା’ର ସେତେବେଳେ ଶୁଖି ଯାଇଥିଲା ଓ ମତେ ଜଣାପଡ଼ିଲା ସେଇ ଥରିଲା ଥରିଲା ଓଠରେ କ’ଣ ସେ କହିବାକୁ ଯାଉଛି, ଅଥଚ କହିପାରୁନି । କହି ପାରିଲାନି କି ରହି ପାରିଲାନି । ଲାଜରେ, ଆବେଗରେ ଓ ଭୟରେ ସଢ଼ିଯାଇ ସେ ପାଖଘରକୁ ଦଉଡ଼ିଗଲା । ସେତେବେଳେ ସାରା ଶରୀର ମୋର ଗୋଟାସୁଦ୍ଧା ଥରୁଥାଏ । ଟୁନି ପଛେ ପଛେ ଦଉଡ଼ିଯିବି ବୋଲି ଭାବୁଥିଲି, ଯାଇପାରିଲିନି । କ’ଣ କହିବି କହିବି ହୋଇ କହିପାରିଲିନି । ଆଖିରୁ ତା’ର ଲୁହ ପୋଛିଦେଇ ଥାଆନ୍ତି, ବୁଝେଇ ଥାଆନ୍ତି, ଆଉ ଦଣ୍ଡେ ହେଲେ ଗୁଡ଼େଇତୁଡ଼େଇ, ତାକୁ ସେମିତି ଧରିଥାଆନ୍ତି, ଏମିତି ଅନେକ ଅନେକ ଭାବନା ମୋ ମନ ଭିତରେ କେବଳ ରହିଗଲା । ମନଭିତରେ ଉଙ୍କି ମାରିଦେଇ କୁଆଡ଼େ ଅଦୃଶ୍ୟ ହେଲା । ଆରଘରେ କୁଆଡ଼େ ଲୁଚି ରହିଥିଲା ଟୁନି ।

 

ପିଲାମାନେ ସ୍କୁଲ ବାହାରିଲେଣି ।

 

ସୁରବାବୁ ଚପଲ ଗଳେଇ ଯାଇ ଦାଣ୍ଡ ଘରେ । ବିନିକି କହିଦେଇ ଗଲେ ଦୁଆର ଦବାକୁ ।

 

ମୁଁ ଯୋଉଠି ବସି ବିନି ସାଙ୍ଗରେ କଥା ହୁଏ ସେଇଠିକି ଆସି ମୋର ଅଣଆୟତ ନିଃଶ୍ୱାସ ପ୍ରଶ୍ୱାସକୁ ତା’ ବାଟରେ ଯା’ ଆସ କରିବାକୁ ଚେଷ୍ଟା କରୁ କରୁ ପାଖରେ ଠିଆହେଲା ଆସି ବିନି । ବିନି କହିଲା– ଟିକିଏ ଅପେକ୍ଷାକର ମୁଁ ଆସୁଛି ।

 

ସେତେବେଳେ ମୋତେ ମୋ ନିଜ ଭିତରୁ ବାହାର କରି ଫିଙ୍ଗି ଦେବାକୁ ମୁଁ ଉଦ୍ୟତ ହେଉଥିଲି । କହିଲି– ନାଇଁ ମୁଁ ଯାଉଛି । କାମ ଅଛି ।

 

ସେଦିନ ଭଳି କାମ ନାଇଁତ ?

 

ମୁଁ କେବଳ ହସିଦେଲି ।

 

ବିନିର ହସ ତା’ ସାଙ୍ଗେ ମିଶିଗଲା ।

 

ଠିକ୍‌ ସେତିକିବେଳେ ଆରଘରର ଝରକା ଆରପଟୁ ଦିଶିଗଲା ଟୁନିର ହସିଲା ହସିଲା ଆଖି । ଚାହୁଁ ଚାହୁଁ କୁଆଡ଼େ ପୁଣି ଛପି ଗଲା ।

 

ଫେରିଲାବେଳେ ବିନି କହିଲା– ପୁଣି କେବେ ?

 

ତା’ ଆଡ଼ିକି ଥରୁଟେ ଅନେଇ ଦେଇ ପାଟି ନ ଖୋଲି କହିଦେଇ ଆସିଲି– ସମୟ ମିଳିଲେ ଶୀଘ୍ର ଆସିବି ।

 

ସମୟ ମିଳିନି ମତେ ମାସେ ଯାଏ । ସୁରବାବୁଙ୍କ ଘରୁ ସେଦିନ ଆଉ ସିଧାସଳଖ ମାମୁଁ ଘରକୁ ଯାଇନି । ବାଟରେ ମୋର ଜଣେ ବନ୍ଧୁଙ୍କ ସାଙ୍ଗେ ଦେଖାହେଲା । ସାଙ୍ଗହୋଇ କଲେଜରେ ଆମେ ପାଠ ପଢ଼ୁଥିଲୁ । ସେ ମୋ’ଠୁ ସେତେ ଭଲ ପଢ଼ୁ ନଥିଲା । ବରଂ କେତେଥର ନ ଆସିଲେ ମୁଁ ତାକୁ ବତେଇ ଦେଇଛି । କୌଣସି ପ୍ରକାରେ ମୋ’ଠୁ ଭଲ ନମ୍ୱର ରଖି ସେ ପାଶ୍‌ କରୁ କରୁ ପାଇଗଲା ଗୋଟିଏ ଚାକିରି । କାମ ଦେଖିଯିବା ପାଇଁ ଜିପ୍‌ ଗାଡ଼ିଟିଏ ପାଇଛି । ତା’ ଅଫିସରେ ତିରିଶି ଜଣ ହେବ କର୍ମଚାରୀ । ବେଶ୍‌ ମୋଟା ଦରମା । ସବୁ କଥା କହୁ କହୁ ଜାଣିଲି– ସେ ବାହା ହୋଇ ସାରିଲାଣି । ଶଶୁର ତା’ର କୋଉଠି ଗୋଟିଏ ବଡ଼ ଚାକିରିରେ ଅଛନ୍ତି । ତାଙ୍କରି କରାମତି ଯୋଗୁ ଜ୍ୱୋଇଁଙ୍କର ଯାହା ଉନ୍ନତି । ଅନେକ ବେଳଯାଏ ଆମେ ଦୁହେଁ କଥା ହେଲୁ । ତା’ର ଧାରଣା– ମୁଁ କୌଣସି ଗୋଟିଏ ଚାକିରିରେ ପଶିଯାଇଛି । କିନ୍ତୁ ସେତେବେଳେ ମୁଁ ବେକାର ଥିଲି । ମନକୁ ପାଇଲାନି । ଗଲିନି । ଚାଲିଯାଇଥିଲେ ସେତେବେଳେ ଭଲ ହୋଇଥାଆନ୍ତା । ଭୁଲ କରିଛି-। ଗାଡ଼ି ରଖିଦେଇ ମୋର ସେ ବନ୍ଧୁଜଣଙ୍କ ଚା’ ଖାଇବାକୁ ପାଖ ଦୋକାନକୁ ଡାକିନେଲେ । ଚା’ ସାଙ୍ଗକୁ ସିଗାରେଟ୍‌ ଧୂଆଁ ଆମକୁ ବହୁତ ପଛକୁ ପଛକୁ ଟାଣିନେଲା । ଆମେ ପାଠପଢ଼ା ବେଳର ଅନୁଭୂତି ସବୁ ପୁନରାବୃତ୍ତି କରି ଫେରିଲାବେଳକୁ ସେତେବେଳେ ହେଲାଣି ଦିନ ଦି’ଟା । ମାଇଁଙ୍କଠୁ ସେଦିନ ଯୋଉ ବ୍ୟବହାର ପାଇଲି ଆଜିଯାଏ ଭୁଲିପାରିନି । ମାଇଁ ମତେ ଅପେକ୍ଷା କରି ସେତେବେଳେ ଖାଇସାରି ଉଠୁଥିଲେ । ମୁଁ ପହଞ୍ଚିଲା ମାତ୍ରେ ସେ ମୋ ପାଇଁ ଭାତ ବାଢ଼ିଦେଲେ ସତ; କିନ୍ତୁ ତାଙ୍କର କଥାଭାଷା, ଚାହାଁଣୀ, ଭାବଭଙ୍ଗୀ ଓ ମୁହଁଛିଞ୍ଚିଡ଼ା ଆଦି ସବୁ ମିଳିମିଶି ସେ ଅବା ସେଦିନ କହିଗଲେ– ଦିନ ନାହିଁ, ରାତି ନାହିଁ ଖାଲି ସେଇ ସୁରବାବୁଙ୍କ ଘରେ ମୋର ଚରିତ୍ର ସମ୍ୱନ୍ଧରେ ସେ ବୋଧେ ସନ୍ଦେହ କରୁଥିଲେ । ଦେଖେଇ ଶିଖେଇ ବିନି ଓ ଟୁନି ସମ୍ୱନ୍ଧରେ କେତେ କ’ଣ କହିବାକୁ ବି ଛାଡ଼ିଲେନି କାନ୍ଥକୁ ବାଡ଼କୁ ଶୁଣେଇଲା ଭଳି । ତାଙ୍କୁ ବୁଝେଇ କହିଲେ ଲାଭ ନାହିଁ । ସେଦିନ ବେଶି ଡେରି ହୋଇ ଯାଇଥିଲା ବନ୍ଧୁଙ୍କ ସାଙ୍ଗେ ଦେଖାହେଲା ବୋଲି କହିଲେ ସେ ବିଶ୍ୱାସ କରିବେନି । ମୁଁ ଖାଇସାରି ଅଳ୍ପ ବିଶ୍ରାମ ନେଲି ମାଇଁଙ୍କୁ କିଛି କହିଲିନି । ମୋର ଚୁପ୍‌ ରହିବାରୁ ସେ ବୋଧେ ଭାବୁଥିଲେ ତାଙ୍କ କଥାଟା ଠିକ୍‌ କାମ ଦେଇଛି । ତାଙ୍କୁ କିଛି ନ କହି ସେଦିନ ଘରକୁ ଚାଲିଆସିଲି ।

 

ଘରେ ଆସି ପାଇଲି ଗୋଟିଏ ଚିଠି । ମେଡ଼ିକାଲ ଟେଷ୍ଟପାଇଁ ଚିଠି ଆସିଛି । ଖୁସି ଲାଗିଲା । ଭାବିଲି– ଚାକିରିଟା ତା’ହେଲେ ହୋଇଯାଉଛି କିଛି ନହେଲେ ବେକାର ତାଲିକାରୁ ନାଁଟା ଅନ୍ତତଃ କଟିଯିବ ।

 

ପଇସାପତ୍ର ସାଙ୍ଗରେ ନେଇ ଯାଇଥିଲି । ମେଡ଼ିକାଲ ଟେଷ୍ଟ ପରେ ତା’ଆରଦିନ ମତେ ଚାକିରିରେ ଯୋଗଦେବାକୁ ପଡ଼ିଲା । ଦରମାଟା ବି ମନ୍ଦ ନୁହେଁ । ସବୁ ମିଶି ତିନିଶ ପଚାଶରୁ ଆରମ୍ଭ । ବଢ଼ି ବଢ଼ି ଆଠଶଯାଏ ଯିବ । ସେଇ ଚାକିରିଟା ଏଯାଏ ମୋ’ ଉପରେ ଛତା ଟେକି ଟେକି ଚାଲିଛି କେଇବର୍ଷ ଭିତରେ ସେଇ ଛତା ତଳକୁ ଆସିଗଲେଣି ଚାରୁ ଓ ପିଲାପିଲି ତିନୋଟି ।

 

ଚାକିରି ପାଇ ଘରକୁ ଚିଠି ଦେଲା ପରେ ପରେ ଆଗ ଚିଠିଟି ମୁଁ ପାଇଲି ମାଇଁଙ୍କର । ସେଦିନ ମୁଁ ତାଙ୍କ ଉପରେ ରାଗିଛି ବୋଲି କେତେ କଅଁଳେଇ ସଅଁଳେଇ ସେ ମୋ ପାଖକୁ ଲେଖିଥାଆନ୍ତି । ତାଙ୍କ ଉପରେ ରାଗ କରି କିଛି ଲାଭ ନାହିଁ । ଯେକୌଣସି ଲୋକ ବି ବିରକ୍ତ ହୋଇଥାଆନ୍ତା । ନିଜକଥା ଅନ୍ୟଲୋକ ଜାଣିବ ଅବା କିପରି ? ତା’ ଯଦି ସମ୍ଭବ ହେଉଥାଆନ୍ତା ଦୁନିଆଁ ତ ତା’ହେଲେ ସ୍ୱର୍ଗ ପାଲଟି ସାରନ୍ତାଣି । ମାଇଁଙ୍କି ସେଦିନ ନ କହିପାରିଲା ଭଳି ଅନେକ ଅନେକ କଥା ଏମିତି ଅଛି ଯାହାସବୁ ମନ ଭିତରେ ମରିଯାଇଛି ସିନା କାହାକୁ କହିପାରିନି ।

 

ଟୁନିକଥା ସେମିତି କାହାଆଗେ ମୁଁ କହିପାରିନି । ଚାକିରି ପାଇ ମାସେକାଳ ଯାଇ ବାହାରେ ରହିଲି । ଦିନ ମୋର ସରୁ ନଥାଏ । ଭାବୁଥାଏ ମାସେ କେବେ ପୁରିବ; ମୁଁ ଘରକୁ ଯିବି । ଆଗ ଯିବି ଟୁନି ପାଖକୁ । ଯାହା କିଛି ଆଳାପ ଆଲୋଚନା ବିନିସାଙ୍ଗେ । ସେ ଅବଶ୍ୟ ଜାଣିଥିବ । ମାମୁଁଘରୁ ଖବର ପାଇଥିବ । ମୁଁ ତାକୁ ଖବର ଦେଇନି । ଆଗ ଆଗ ସେ ମୋ ଉପରେ ଅଭିଯୋଗ କରିବ । ତା’ପରେ ଚାଲିବ ଗପ । ଅସରା ଗପ ଆମର । ଟୁନି ସାଙ୍ଗେ ସେମିତି କିଛି ସମ୍ପର୍କ ନଥିଲା । ବିନି ସାଙ୍ଗେ କଥା ହେଲାବେଳେ ଟୁନି କେବଳ ଦୁଆରବନ୍ଧ ପାଖରେ ବେଳେ ବେଳେ ଉଁଙ୍କି ମାରିଦେଇ ଦଉଡ଼ି ଦଉଡ଼ି ଚାଲିଯାଏ । ମୋ’ ଆଗରେ କେବେହେଲେ ସେ ସିଧା ଠିଆ ହୋଇନି । ସେଦିନ ଟୁନି ତୁହାକୁ ତୁହା ନ କାନ୍ଦେ କି ମୁଁ ତାକୁ ଖଟଉପରୁ ଉଠେଇ ନଦିଏ । ଉଠେଇ ଦେଲାବେଳେ ଟୁନି ଯେପରି ଭାବରେ କଅଁଳିଆ ଡଙ୍କଟିଏ ଭଳି ଲଟେଇ ପଡ଼ିଥିଲା ସେଇକଥା ମନେ ପକେଇ ମୁଁ ଶିହରୀ ଉଠେ । ଭୁଲିଯିବାକୁ ଅନେକଥର ଚେଷ୍ଟା କରିଛି । କେତେଥର ମନେ ମନେ ପ୍ରତିଜ୍ଞା କରିଛି ଟୁନିକି ଭୁଲିଯିବାକୁ ସେତିକି ସେତିକି ସେ ମୋର ମନେପଡ଼େ । ଏତେ ଦୂରରେ ଥାଇ ବି ମନ ମୋର ଡଙ୍କେଇ ଡଙ୍କେଇ ଯାଇ ପହଞ୍ଚିଯାଏ ଟୁନି ପାଖରେ । ତା’ ସାଙ୍ଗକୁ ମନେପଡ଼େ ବିନି ।

 

ସବୁକିଛି ଅନ୍ତରକଥାତକ ବିନି ମୋ ଆଗେ କହିଚାଲିଲା ବେଳେ ସେ ଧୀର ହୋଇ ସିନା ବସିଥାଏ, କିନ୍ତୁ ମୁଁ ଅନୁଭବ କରିଛି– ତା’ ମନଟିକି ମୋ’ ଦିହରେ ଅବା ସେ ଗୁଡ଼େଇ ଦେଇଥାଏ । ଟୁନି କିନ୍ତୁ ଠିକ୍‌ ତାର ଓଲଟା । ଭୟ, ଲାଜ ଓ ଆବେଗରେ ଥରି ଥରି ଦିହଟିକି ତା’ର ମୋ ଉପରେ ସେଦିନ ସେ ଗୁଡ଼େଇ ଦେଇଥିଲା । ମନ ଓ ଶରୀରକୁ ମୁଁ ବେଳେ ବେଳେ ଅଲଗା ଅଲଗା ଭାବିବାକୁ ଚେଷ୍ଟା କରେ । ମୋ ସାମ୍ନାରେ ଆସି ଠିଆହୋଇ ଯାଆନ୍ତି– ବିନି ଆଉ ଟୁନି । ଗୋଟିଏ ଉପାଦାନର ଦୁଇଟି ବିଭାଗ ଭଳି ।

 

ଟୁନି ଆଖିରେ ଆଖିଏ ହବ ଆକାଶ । ତା’ ଆଡ଼ିକି ସେଦିନ ଚାହିଁଦେଲା ବେଳେ ଲାଖି ରହିଥିଲା ଅବା ସେଥିରେ ସୁନାର ରଙ୍ଗ–ଚଞ୍ଚଳ, ଢଳ, ଢଳ ପାରଦ ଭଳି; ନିବେଦନ ଆବେଦନରେ ଭରା । ବିନି ଆଖିରେ ଭରି ରହିଥାଏ ଦୂର ଆକାଶର ନୀଳିମା, ନିଜ ଭିତରେ ତାର ପରିପୂର୍ଣ୍ଣତା । ବିନୟ ଓ ଗାମ୍ଭୀର୍ଯ୍ୟରେ ଭରା । ଆଗାମୀ ଦିନକୁ ଜଣଙ୍କର ନିମନ୍ତ୍ରଣ । ଆଉ ଜଣଙ୍କର କେବଳ ପ୍ରତୀକ୍ଷା । ଜଣେ ଦୋଳାୟମାନ ତରଙ୍ଗ ଆଉ ଜଣେ ଗଭୀର ଜଳରାଶୀର ଆବର୍ତ୍ତ । ଜଣେ ବର୍ଣ୍ଣନାଭ ପ୍ରଭାତ, ଶତସହସ୍ର ଆଶା ଓ ଆହ୍ୱାନୀର ବାରିଦାହ । ଆଉ ଜଣେ ମଧ୍ୟାହ୍ନର ସୂର୍ଯ୍ୟ, ତରୁଲତାରେ ବୋଳିଦିଏ ସବୁଜିମା । ସୃଷ୍ଟି କି ପ୍ରାଣବନ୍ତ କରେ । ଟୁନି ଓ ବିନି ଦିହିଁଙ୍କି ଏକାଠି ଭାବିଲେ ଜଣାପଡ଼େ– ଦୁହିଁଙ୍କର ପରିପ୍ରକାଶ ଜୀବନର ଏକାନ୍ତ ପ୍ରୟୋଜନ– ସ୍ୱପ୍ନର ସାର୍ଥକତା ଦୁହିଁଙ୍କ ଭିତରେ ଅବା ପୁରି ରହିଛି । ଅଲଗା କରି ସେମାନଙ୍କୁ ଭାବି ହୁଏନି । ଏକାଠି କରି, ମିଳାମିଶା କରି ଓ ଗୋଳିପୋଳିଆ କରି । ସେଇ ଗୋଳିଆ ପୋଳିଆ ଭାବନା ଭିତରେ ଦୀର୍ଘ ମାସଟିଏ ମୁଁ ବିତେଇ ଦେଲି ।

 

ସେଇଟା ମୋ ଜୀବନର ପ୍ରଥମ ରୋଜଗାରର ମାସ । ଦରମା ପାଇସାରିଲା ପରେ ଲାଗ୍‌ ଲାଗ୍‌ ଦି’ ଦିନ ଛୁଟି ପଡ଼ିଲା । ଛୁଟିକି ମିଶେଇ ରବିବାର । ସମସ୍ତେ ଜାଣନ୍ତି– ମୁଁ କାମରେ ସିଧା ଆସି ଯୋଗ ଦେଇଛି । ଘରକୁ ବି ଯାଇନି । ଚାରିଦିନ ଛୁଟି ମାଗିଲି । ମିଳିଗଲା । ଚାକିରି ଆରମ୍ଭ କରୁ କରୁ ଲମ୍ୱା ସାତଦିନ ଛୁଟି । ଦରମାଟା ହାତରେ ପଡ଼ିଛି । ବସ୍‌ଧରି ସିଧା ଆସିଲି ପୁରୀ । ଭାବି ଭାବି ଆସିଥାଏ ଆଗ ଘରକୁ ଯିବି । ତା’ପରେ ମାମୁଁଘର ଓ ସୁରବାବୁ ଆଦି ଅନ୍ୟମାନଙ୍କ ଘର । ବସ୍‌ରୁ ଓହ୍ଲେଇ ରିକ୍‌ସା ଧରିଲା ପରେ ମତ୍ତ ପରିବର୍ତ୍ତନ କରିବାକୁ ପଡ଼ିଲା । ସର୍ବପ୍ରଥମେ ସୁରବାବୁଙ୍କ ଘରକୁ ଯିବି ବୋଲି ଠିକ୍‌ କଲି । ବିନିକି ଯାଇ ଦେଖାକରି ଆସିବି । ଟୁନିକି ବି । ଚାକିରି କରି ସାରିଲା ପରେ ସେମାନଙ୍କ ପାଖକୁ ଚିଠି ଲେଖି ନାହିଁ । ଚିଠିଦେବା ଉଚିତ ଥିଲା ।

 

ଖରାବେଳ । ସୁରବାବୁ ବୋଧେ ଅଫିସ ଯାଇଥିଲେ । ଦାଣ୍ଡଦୁଆର ଦରଆଉଜା । ପୋଷ୍ଟ ପିଅନ ଚିଠିଦେଇ ଫେରୁଥିଲା । ହାତରେ ମୋର ବ୍ୟାଗ୍‌ ଖଣ୍ଡିଏ । ରିକ୍‌ସାଟାକୁ ବାହାରେ ଅଟକେଇ ଥାଏ । ଲମ୍ୱା ଲମ୍ୱା ପାହୁଲ ପକେଇ ଘରଭିତରକୁ ପଶିଗଲା ବେଳକୁ ସିଆଡ଼ୁ ଦଉଡ଼ି ଆସୁଥିଲା ଟୁନି । ହାତରେ ତାର ଚିଠି ଖଣ୍ଡେ । ଦୁଆରବନ୍ଧ ଆରପଟ ଦଉଡ଼ି ଆସି ମୋ ଦେହରେ ସେ ମାଡ଼ ହୋଇଗଲା । ତଳ ପାହାଚଟା କରପଟିଆ । ସାମ୍ନାସାମ୍ନି ନୁହେଁ । ସେତେବେଳେ ବିନିଅପା ବିନିଅପା ବୋଲି ସେ ଡାକ ଛାଡ଼ିଥିଲା । ପଡ଼ିଯାଇ ଥାଆନ୍ତା । ମୁଁ ଧରି ପକେଇଲି । ଆବାକାବା ହୋଇ ତା’ର ଆଉ ରହିବାକୁ, କଥା ହେବାକୁ, ନମସ୍କାର ହେବାକୁ, ଚାହିଁବାକୁ, ଡାକି ଦେବାକୁ କି ଚାଲିଯିବାକୁ ବେଳ ନାହିଁ । ଉଠିପଡ଼ି ତଳଆଡ଼େ ସେ ଧାଇଁ ପଳେଇଲା ।

 

ତାର ଧାଇଁଯିବାଟା ଅବା ମୋଠି ସଂକ୍ରମିତ ହେବାକୁ ଯାଉଥିଲା । ଟୁନି ପଛେ ପଛେ ଦଉଡ଼ିଯିବି ଭାବିଲାବେଳକୁ ସାମ୍ନାରେ ଆସି ବିନି । ପଡ଼ିଶା ଘରକୁ ବୁଲି ଯାଇଥିଲା । ଛୋଟ ପିଲାଟା ତା’ କାଖରେ । ଆଉ ସମସ୍ତେ ବୁଲି ଯାଇଥିଲେ । ବିନି ଭୃଲତା ଭାଙ୍ଗି ଭାଙ୍ଗି କେତେ କ’ଣ ପଚାରିବାକୁ ଯାଉଥିଲା । ରିକ୍‌ସାବାଲାଟା ବାହାରେ ଥାଇ ଡାକ ଛାଡ଼ୁ ଛାଡ଼ୁ ଘଣ୍ଟି ବାଡ଼େଇଲା । ହାତରେ ବ୍ୟାଗ୍‌ଟା ସେମିତି ଝୁଲିଛି । ଘରକୁ ବି ଯାଇନି । ବିନିକି କହିଲି– ଚିଠି ଦେଇ ନଥିବାରୁ ଆଗ ଚା’ର ପ୍ରାୟଶ୍ଚିତ କରିବାକୁ ଆସିଛି ।

 

ବିନି ଉପରେ ଆଖି ମୋର ଜାବ ପଡ଼ି ଯାଇଥିଲା । ଦେଖିଲାବେଳକୁ ବିନି ମୋର ସାମ୍ନାରୁ କୁଆଡ଼େ ଚାଲିଗଲାଣି । ତା’ ସାଙ୍ଗେ କଥା ହେଉ ହେଉ ଚଙ୍ଗଚଙ୍ଗି ଟୁନି କଥା ସେତେବେଳେ ମୁଁ ଭାବୁଥିଲି । ଧରି ନ ପକେଇଥିଲେ ସିଧା ପାରାଭଳି ଓଲଟି ପଡ଼ିଥାଆନ୍ତା । ତଳଘର ଝରକା ଆରପଟୁ ଟୁନିର ପୁଣି ସେଇ ହସିଲା, ହସିଲା ଆଖି ।

 

ବିନି ଆଖିପିଛୁଳାକେ ଗ୍ଳାସେ ସର୍ବତ ଆଣି ଧରେଇ ଦେଲା । ରିକ୍‌ସାବାଲାଟା ସିଆଡ଼େ ଡାକ ଛାଡ଼ିଲାଣି । କହିଦେଇ ଆସିଲି– ମୁଁ ଆସୁଛି । ସୁରବାବୁଙ୍କୁ କହି ଦେଇଥିବ ।

 

ସୁରବାବୁଙ୍କ ଘରଠୁ ଆମଘର ଆଡ଼ିକି ଗଲେ ଆଗ ପଡ଼େ ମାମୁଁଘର । ରିକ୍‌ସାବାଲାକୁ କହିଲି ପଛପଟେ ବୁଲେଇ କରି ନେବାକୁ । ମାମୁଁ ଘରର କେହି ନ ଜାଣନ୍ତୁ–ଜବସ୍‌ରୁ ଓହ୍ଲେଇ ସିଧା ମୁଁ ସୁରବାବୁଙ୍କ ଘରକୁ ଆସିଥିଲି ।

 

ଚାକିରି ନକରିଥିଲି ଭଲଥିଲା । ସେତେବେଳେ ଫୁଲାଫାଙ୍କିଆ ହୋଇ ବୁଲୁଥାଏ । ସମସ୍ତେ କେତେ କେତେ କଥା କହନ୍ତି । ମୁଁ କିନ୍ତୁ ସେ ସବୁକୁ ଗୋଟିଏ କାନରେ ପୂରେଇ ଆର କାନରେ ବାହାର କରିଦିଏ । ମାସେ ପରେ ମୁଁ ଯେତେବେଳେ ଘରକୁ ଆସେ ଘରର ସବୁ କଥା, ବାପା ବୋଉଙ୍କ କଥା, ଭାଇ ଭାଉଣୀଙ୍କ କଥା, ମାମୁଁ ମାଇଁଙ୍କ କଥା ମତେ କେମିତି ଅଲଗା ଅଲଗା ଲାଗିଲା । ରୋଜଗାର କ୍ଷମ ହୋଇସାରିଲା ପରେ ମୁଁ ଯେପରି ଅଲଗା ମଣିଷ ଜଣେ । ମୋ ମନ ଜଗି, ବଙ୍କେଇ ବଙ୍କେଇ ସମସ୍ତେ ଘରର ଅଭାବ ଅସୁବିଧା, ଯାହାର ଯାହା ଦରକାର, ଘରେ କ’ଣ ଅଛି କ’ଣ ନାହିଁ ଏମିତି ଅନେକ ଅନେକ କଥା ମୁଁ ଖାଇଲାବେଳେ, କଥା ହେଲାବେଳେ ଗପିଲାଗିଲେ । ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା ବୋଉ କଥା । ସେ କହିଲା– ଦିହ ତାର ଏବେ ଭଲ ରହୁନି । କେତେବେଳେ ସେ ଆଖିବୁଜି ଦବ, କାମକୁ ଆଉ ପାରୁନି । ଯେତେ ଶୀଘ୍ର ସମ୍ଭବ ସେ ଘରକୁ ବୋହୂଟିଏ ନେଇ ଆସିବ । ଅନେକ ଅନେକ ଜାଗାରୁ ପ୍ରସ୍ତାବ ଆସିଛି । ଭଲ ଦିଆନିଆ କରିବେ । ମୁଁ କେବଳ ହଁ କଲେ ହେଲା । ବାପା ଗୋଡ଼ ଟେକି ବସିଛନ୍ତି । ପଚାରିଲେ ମୁଁ କାଳେ ମନା କରିଦେବି ବୋଲି ସିଧାସଳଖ ପଚାରିପାରୁ ନାହାନ୍ତି । ମାଇଁ ବି ଆସି ବୋଉ ସାଙ୍ଗରେ ଯୋଗଦେଲେ । ଡେରିକରି ଆଉ ଲାଭ ନାହିଁ ।

 

ବଡ଼ ବିରକ୍ତିକର । ସାତଦିନ ଛୁଟିନେଇ ଆସିଥିଲି– ବୁଲାବୁଲି କରିବି, ଫୁର୍ତ୍ତି କରିବି, ସାଙ୍ଗସାଥୀଙ୍କ ସାଙ୍ଗେ କଥାବାର୍ତ୍ତା କରି ସମୁଦ୍ର କୂଳେ ଓ ରେଷ୍ଟୁରେଣ୍ଟରେ ସମୟ କଟେଇ ଦେବି ବୋଲି । ଘରକୁ ଆସୁ ଆସୁ କେବଳ ଏଇ ଗପ । ମତେ କିଛି ଭଲ ଲାଗୁ ନ ଥିଲା । ଜାଣିଶୁଣି ଏତେଶୀଘ୍ର ବେକରେ ଜୁଆଳି ଲଗେଇବାକୁ ମୋର ସେତେବେଳେ ଇଚ୍ଛା ନ ଥିଲା । ଭଉଣୀଟିଏ ସେତେବେଳେ ବଡ଼ ହୋଇ ଘରେ ଥାଏ । ମାଟ୍ରିକ୍‌ ପାଶ୍‌ କରିଛି । କଲେଜରେ ପଢ଼େଇବାକୁ ବାପା ମନା କଲେ । ମୁଁ କହିଲି ତାର ବିଭାଘର ଅଛି । ବୋଉ କହିଲା– ସେ ଦାୟିତ୍ୱ ବାପାଙ୍କର । ତୋତେ କିଏ ସେ ବିଷୟରେ ମୁଣ୍ଡ ଖେଳେଇବାକୁ କହୁଛି । ଯେତେ ଯାହା କହିଲେ ବି ସେମାନଙ୍କୁ ପାରିହବନି । ଥରେ ସେମିତି କହିବାରୁ ମୁଁ ରୋକ୍‌ଠୋକ୍‌ ମନା କରିଦେଲି । କହିଲି– ସେ ସବୁ କଥା କହିଲେ ଚାକିରି କରି ସିଆଡ଼େ ଯାଇ ରହିବି । ଘରକୁ ଆଉ ଆସିବିନି । ତା’ପରେ ପରେ ବୋଉ ଆଉ ମତେ କିଛି କହିଲାନି । ଆଉ ମୋ ପାଖରୁ ଉଠି ଚାଲିଗଲା । ମୋ ଉପରେ ତାର ଅଭିମାନ । ସେଦିନ ଘରକୁ ମାଇଁ ଆସିଥିଲେ । ବୋଉ ସାଙ୍ଗରେ ସେ କେତେ ବେଳଯାଏ ବାରିଆଡ଼େ ଯାଇ କଥା ହେଲେ । ମୁଁ ଚା’ କପେ ଖାଇ ବାହାରକୁ ଚାଲି ଆସିଲି ।

 

ସିଧା ଆସିଲି ସୁରବାବୁଙ୍କ ଘରକୁ । ସେଦିନ ବିନି ବଡ଼ ପୁଅର ଜନ୍ମଦିନ । ପିଠାପଣା କରି ସେମାନେ ଅପେକ୍ଷା କରିଥାଆନ୍ତି । ମୁଁ ଇଆଭିତରେ ତିନିଥର ତାଙ୍କ ଘରକୁ ଆସିଥିଲି । ସୁରବାବୁଙ୍କ ସାଙ୍ଗେ ଦେଖା ହୋଇ ନଥିଲା । ମୋର ଚାକିରି ହୋଇଯାଇଛି ଶୁଣି ସେ ଖୁସି ହେଲେ-। ନିଜର ଜମି ବାଡ଼ି ଅଛି ବୋଲି ସିନା ସେ ବାହାରକୁ ଯାଇପାରିଲେନି । କିନ୍ତୁ ଚାକିରି ଆରମ୍ଭରୁ ବାହାରେ ରହିବା ଯାଇଁ ଭଲ । ଅନେକ ବେଳଯାଏ ଆମେ କଥା ହେଲୁ । କଥା ମଝିରେ ବିନି କହିଲା– ନୂଆ ଚାକିରି, ତାଙ୍କୁ ମିଠା ଖୁଆଇବା ଦରକାର । ଟୁନି ବି ସାମ୍ନାକୁ ନ ଆସି ତା’ କଥାରେ ଯୋଗ ଦେଲା । ଖିଆପିଆ ଗପସପରେ ତିନି ଚାରିଘଣ୍ଟା ବିତିଗଲା । ବିନିର ପିଲାମାନେ କେତେ କେତେ କଥା ମଝିରେ ମଝିରେ ଆସି ଗପୁଥାଆନ୍ତି । ସୁରବାବୁ କଥା ମଝିରେ କାମଦାମ କଟେଇ ଆସୁଥାଆନ୍ତି । ପୁଣି ଆସି ମୋ ପାଖରେ । ବିନିର ଘର କାମ ସାଙ୍ଗେ ସାଙ୍ଗେ ଗପସପ ଏକାଦି କ୍ରମେ ଚାଲିଥାଏ । ତା ସାଙ୍ଗେ ବି ଚାଲିଥାଏ ଟୁନିର ପାଠପଢ଼ା । ଟୁନି ତା’ ବହିରୁ କୋଉ କୋଉ ଜାଗା ବୁଝିପାରିନି ମତେ ପଚାରୁଥାଏ । ବତେଇ ଦେଉଥିଲାବେଳେ ତାର ସେଦିନର କାନ୍ଦ ମୋର ଆସି ମନେପଡ଼ି ଯାଉଥିଲା । ତାକୁ ପଢ଼ାଉଥିଲାବେଳେ ମନେ ମନେ ମୁଁ ହସୁଥାଏ– ସେଦିନର ଘଟଣା ଟିକି ମନେ ପକେଇ । ମୋ ଓଠ ପାଖରେ ଆସି ଲାଗିଥିବା ଟୁନିର ଅଲରା ସଲରା ବାଳ କେରିକର ସୁଗନ୍ଧ ଅବା ମୁଁ ଅନୁଭବ କରୁଛି । ସୁରବାବୁ ଓ ବିନି ପାଖରେ ଥିଲାବେଳେ ଟୁନିର ଅଲଗା ମୁହଁ, ଅଲଗା କଥା, ଅଲଗା ଆବଭାବ, ସବୁ କିଛି ଅଲଗା । ସେମାନେ ପାଖରେ ନ ଥିଲା ବେଳେ ଟୁନିର ଭିନ୍ନ ରୂପ । ତାର ଆଖି, ତାର ହସ ଓ ତାର ଚାଲି ସବୁଥିରେ ଭରି ରହିଥାଏ ଅବା ମଳୟର ସୁଗନ୍ଧ ଓ ସେଇ ସୁଗନ୍ଧିରେ ମନ ମୋର ମହକୀ ଉଠୁ ଉଠୁ ମୁଁ ଗଢ଼ି ଚାଲିଥାଏ ଗୋଟିଏ ସୁନାର ସୌଧ । ଟୁନି କି ତା’ ଭିତରେ ରଖି ଚାଲିଥାଏ ମୋର ଭବିଷ୍ୟତର ଆଶାର ସୌଧ ରୂପେ-

 

ସେତେବେଳେ ରାତି ଆଠଟା ବାଜିବ । ସୁରବାବୁଙ୍କ ଘର ପାହାଚ ପାଖରେ ମୁଁ ଓହ୍ଲେଇ ଆସୁଛି, ଦେଖିଲି– ମାମୁଁ ମାଇଁ ଆଗପଟୁ ରିକ୍‌ସାରେ ବସି ଆସୁଛନ୍ତି । ସୁରବାବୁଙ୍କ ଘରକୁ ମୁଁ ଯା’ ଆସକରେ, ଗପସପ କରେ ଉଠାବସା କରେ ବୋଲି ସେମାନେ ଜାଣନ୍ତି । ସାମ୍ନା ସାମ୍ନି କେବେ ଦେଖା ହୋଇ ନ ଥିଲା । ଫେରିବାର ଉପାୟ ନାହିଁ । ରିକ୍‌ସାଟା ପାଖେଇ ଆସୁଛି ଯୋଗକୁ ଜଣେ ଚିହ୍ନା ଲୋକ ସାଙ୍ଗେ ଦେଖାହେଲା । ମୋ’ ଚାକିରି କଥା ଆଜି ତା’ ସାଙ୍ଗେ କଥା ହେଉଥିଲି କେବଳ ମାମୁଁ ମାଇଁଙ୍କି ଆଡ଼େଇ ଦେବା ପାଇଁ ତାଙ୍କ ଆଡ଼ିକି ଚାହୁଁ ନ ଥାଏ । କଥା ହେଉଥାଏ ମୁହଁ ପୋତି ପୋତି । ମାମୁଁଙ୍କ ସାଙ୍ଗେ ଆଗରୁ ଦେଖା ହୋଇଥିଲା । କଥାବାର୍ତ୍ତା କରି ନଥିଲି । ତାଙ୍କ ସାଙ୍ଗେ ବେଶି କଥା ହେବାକୁ ମତେ କେମିତି ଡରଲାଗେ । ଭାବୁଥିଲି– ସେ ମତେ ଡାକିବେନି । କୁଆଡ଼େ ଯାଉଛନ୍ତି । ତାଙ୍କ ବାଟରେ ସିଏ ଚାଲିଯିବେ । ପାଖକୁ ଆସିବାରୁ ମାମୁଁ ରିକ୍‌ସାରୁ ଓହ୍ଲେଇ ପଡ଼ିଲେ । କହିଲେ– କୁଆଡ଼େ ଯାଇ ବୁଲୁଛୁ, ତୋର ଦେଖା ନାହିଁ ? ଯା ଆମ ଘରେ ଯାଇ ବସିଥା-। ମୁଁ ସାଙ୍ଗେ ସାଙ୍ଗେ ଆସୁଛି । ଯାହାଙ୍କ ସାଙ୍ଗରେ କଥା ହେଉଥିଲି, ମାମୁଁଙ୍କ ସାଙ୍ଗେ କଥା ହେବାର ଦେଖି ସେ ଚାଲିଗଲେ । ମାମୁଁଙ୍କ କଥା ଭାଙ୍ଗିବାକୁ ମୋର ଚାରା ନାହିଁ । ତାଙ୍କ ଘରକୁ ଯିବାକୁ ମୋର ଇଚ୍ଛା ନ ଥିଲା । ବାଧ୍ୟ ହୋଇ ତାଙ୍କ ଘରେ ଯାଇ ଅପେକ୍ଷା କଲି ।

 

ଦଶ ପନ୍ଦର ମିନିଟ୍‌ ଯାଇଛି କି ନାହିଁ ମାମୁଁ ସେଇ ରିକ୍‌ସାରେ ପୁଣି ଆସିଲେ । ସାଙ୍ଗରେ ତାଙ୍କର ମାଇଁ ନ ଥିଲେ । ମତେ କହିଲେ ରିକ୍‌ସାରେ ବସ୍‌ । ଜଣଙ୍କ ଘରକୁ ଯିବା । ଇଚ୍ଛା ନ ଥିଲେ ବି ତାଙ୍କୁ ମନା କରିପାରିଲିନି । ଗଲାବେଳେ ବାଟରେ ମୋର ଚାକିରି ବିଷୟରେ ସେ ପଚାରୁଥାଆନ୍ତି । ପ୍ରମୋଶନ ପାଇଲେ କୋଉ କୋଉ ପଦବୀ ରହିଛି । ଭଲ ଡିପାର୍ଟମେଣ୍ଟ । ଅନେକ ଲୋକଙ୍କ କଥା ସେ କହିଲେ । କେତେ କେତେ ଲୋକ ସେଇ ବିଭାଗରୁ ରିଟାୟାର୍ଡ଼ କଲାବେଳେ ଦି’ ହଜାର ଟଙ୍କା ଦରମା ପାଇଛନ୍ତି । ଚାକିରି କରି ଦୁଇଟା ପରୀକ୍ଷା ଦେବାକୁ ପଡ଼ିବ । ପରୀକ୍ଷାଟା ଅବଶ୍ୟ କଷ୍ଟ । ସର୍ବଭାରତୀୟ ପରୀକ୍ଷା । ପାଶ୍‌ କରି ଗଲେ ଆଉ ଚିନ୍ତା ନାହିଁ । ଚାକିରି ଆରମ୍ଭ କରୁ କରୁ ପରୀକ୍ଷା ପାଇଁ ପଢ଼ା ପଢ଼ି କରିବାକୁ ପଡ଼ିବ । ମତେ ଅନେକ ଅନେକ ସେ ଉପଦେଶ ଦେଉଥା’ନ୍ତି । ରିକ୍‌ସାରେ ଆମକୁ ଅଧଘଣ୍ଟେ ଲାଗିଲା । ସହରର ଶେଷ ମୁଣ୍ଡରେ ତାଙ୍କର ଘର । ମାମୁଁ ରିକ୍‌ସାଟାକୁ ବିଦା କରିଦେଲେ ।

 

ସହର ଶେଷ ମୂଣ୍ଡର ସେଇ ଦୋତାଲା କୋଠା ଘର । ସେ ଆଡ଼ିକି କେତେ ବର୍ଷ ହେଲା ମୁଁ ଯାଇନି । କିନ୍ତୁ ମୁଁ ଭଲଭାବରେ ଜାଣେ ପାଞ୍ଚବର୍ଷ ତଳେ ସେଠି କୋଠାଘର ନଥିଲା । ନୂଆ ଘର । ଏବେ ତିଆର ହୋଇଛି । ଘର ଆଗରେ ବଗିଚା । ଗ୍ରୀଲ୍‌ଦିଆ ଫାଟକ । ପ୍ରତି ବଖାରା ରେ ଫଙ୍ଖା ଘୁରୁଛି । କାନ୍ଥସବୁ ବିଭିନ୍ନ ରଙ୍ଗରେ ଚିତ୍ର ବିଚିତ୍ର । ଜଣେ ଭଦ୍ରଲୋକ ବାହାର ବଗିଚାରେ ଆର୍ମଚେୟାର ପକେଇ ଆମକୁ ବୋଧେ ଅପେକ୍ଷା କରିଥିଲେ । ରିକ୍‌ସାରୁ ଓହ୍ଲେଇଲାମାତ୍ରେ ବାହାର ଆଲୁଅଟା ଜାଳିଦେଲେ । ତା’ପରେ ଘର ଭିତରୁ ଛୁଟି ଆସିଲେ ଅଣ୍ଡାବଚା । ଦଶବାରଜଣ ହେବେ । ପରଦା ପଛଆଡ଼ୁ ମତେ ଖାଲି ଉଣ୍ଡୁଥାଆନ୍ତି । ଘରେ ପୁଣି ଯାଇ ବସିବାରେ ସେମାନେ ଲାଗିଥାଆନ୍ତି । ସେମାନେ ଏତେ ଜୋରରେ ହସୁଥାଆନ୍ତି ଯେ ମତେ କେମିତି ଖରାପ ଲାଗିଲା । ଖାଲି ଦଉଡ଼ା ଧାପଡ଼ା, ଦୁମ୍‌ଦାମ ଓ ଗୋଡ଼ିଆ ଗୋଡ଼ି । ଭିତରୁ ଶୁଭୁଥାଏ ହୋ–ହୋ ପାଟିତୁଣ୍ଡ । ଭଦ୍ରଲୋକ ଜଣଙ୍କ ଆମକୁ ବୈଠକଖାନାକୁ ଡାକିନେଲେ । ଦାମିକିଆ ସୋଫା–ସେଟ୍‌ ଓ ଗଡ଼ରେଜ୍‌ ଆଲମାରୀରେ ଘରଟା ଭର୍ତ୍ତି । ଘର କଣକୁ ଚାଉଳ ବସ୍ତା । କତିକି ଲାଗିଥିଲା । ମାମୁଁ କହିବାରୁ ମୁଁ ତାଙ୍କୁ ନମସ୍କାର ହେଲି । ଝରକା ଆରପଟୁ କେଇଜଣ ମାଇପି ମୋ ଆଡ଼ିକି ଚାହିଁଥିବାର ମତେ ଜଣାପଡ଼ିଲା । ଦୁଆର ବନ୍ଧ ପାଖରେ ଠିଆରହିଥିଲେ ଜଣେ ସ୍ତ୍ରୀ ଲୋକ । ଅନେଇ ଦେଲାବେଳକୁ ସେ ହେଉଛନ୍ତି ମାଇଁ । ଠିକ୍‌ ଏତିକିବେଳେ ଝିଅ ପିଲାଟିଏ, ଗୋରୀ ନୁହେଁ କି କାଳୀ ନୁହେଁ, ଡେଙ୍ଗୀ ନୁହେଁ କି ଗେଡ଼ୀ ନୁହେଁ, ସୁନ୍ଦରୀବୋଲି କହିହବନି, ଅସୁନ୍ଦରୀ ନୁହେଁ, ଆସ୍ତେ ଆସ୍ତେ ପାଦପକେଇ ଟ୍ରେଟିଏ ଦି’ ହାତରେ ଧରିଛି, ଟ୍ରେ ଭିତରେ ଚା’ ଜଳଖିଆ, ପ୍ଳେଟରେ ଭରି କାହା ଆଡ଼ିକି ନଚାହିଁ ସୋଫା ଟେବୁଲ ଉପରେ ଆଣି ରଖିଦେଲା ଓ ସାଙ୍ଗେ ସାଙ୍ଗେ ସମସ୍ତଙ୍କୁ ମୁଣ୍ଡିଆ ମାରିଲା । ମୁଁ ଲକ୍ଷ୍ୟକରିଛି– ଘର ଭିତରକୁ ଆସିବା ବେଳେ ମାଇଁ ତା’ ପିଠି ଥାପୁଡ଼େଇ ଘରକୁ ଯିବାକୁ କହୁଥାଆନ୍ତି । ଘଟଣାଟି ବୁଝିବାକୁ ମତେ ଆଉ ବାକୀ ରହିଲାନି । ଝିଅଟା ମୁଣ୍ଡିଆ ମାରି ସାରି ସେ ଘରୁ ବିଦାୟ ନେଲା । ମାମୁଁ କହିଲେ, ସେ ଭଦ୍ରଲୋକ ମଧ୍ୟ, କହିଲେ– ଜଳଖିଆଟା ସାରିଦେବାକୁ । ସୁରବାବୁଙ୍କ ଘରେ ପିଠାପଣା ଖାଇ ମତେ ଭୋକ ନ ଥିଲା, ଖାଇବାକୁ ମୋର ଇଚ୍ଛା ନଥିଲା । କେଜାଣି କାହିଁକି ମତେ ଭଲ ଲାଗୁ ନଥିଲା ତାଙ୍କ ଘରର ଅବହାଓ୍ୟା, ଚାଲିଚଳଣ ଓ କଥାବାର୍ତ୍ତା ମାମୁଁ ମାଇଁଙ୍କ ବରାଦରେ ସେସବୁ ଯେ ଚାଲିଥାଏ– ଘର ଭିତରକୁ ପଶୁ ନ ପଶୁ ମତେ ଅନୁମାନ କରିବା ଆଉ ବାକୀ ରହିଲାନି ।

 

ଭଦ୍ରଲୋକ ଜଣଙ୍କ ଯେ ଜଣେ ବ୍ୟବସାୟୀ କି କଣ୍ଟ୍ରାକ୍ଟର ହୋଇପାରନ୍ତି ଏକଥା ମୁଁ ଭାବିଥିଲି । ଚା’ ଖାଉ ଖାଉ ସେ ଆରମ୍ଭ କଲେ– ବ୍ୟବସାୟରେ କେମିତି ଲାଭ ମିଳେ । ଲୋକ ରାତାରାତ୍‌ ଲକ୍ଷପତି ହୋଇଯାଇ ପାରେ । ଖାଲି ବୁଦ୍ଧିଖର୍ଚ୍ଚ କଲେ ହେଲା । ପଇସାକୁ ପଇସା ସାଙ୍ଗେ ନ ଲଢ଼େଇଲେ ଲୋକ ଧନୀ ହୋଇ ପାରିବନି । ଯେ କୌଣସି ଲୋକକୁ ପଇସା ବଳରେ କିଣିହେବ । ଯିଏ ନାହିଁ ନାହିଁ କରୁଥିବ, ହାତଗୁଞ୍ଜା ଶହେ ପଚାଶ ପାଇଗଲେ ତା’ ମୁହଁ ଚୁପ୍‌ । ତା’ପରେ ତୁମେ ବୁଦ୍ଧିବଳରେ ଏ ପାରିଗଛ ସେପାରିକି ନେଇ ପାରିଲେ ବଢ଼ି ଲାଗିଲା ବ୍ୟାଙ୍କ୍‌ ବାଲାନ୍‌ସ୍‌ । ପ୍ରଥମରୁ ସେ କପର୍ଦକ ଶୂନ୍ୟ ଥିଲେ । ପାଞ୍ଚବର୍ଷ ଭିତରେ ତାଙ୍କର ଲକ୍ଷ ଲକ୍ଷ ଟଙ୍କାର କାରବାର ! ବନ୍ଧବାଡ଼ ଓ କୋଠାବାଡ଼ି ଆଜି କିମିତି ତିଆରି ଚାଲିଛି ସେଇକଥା ଗୁଡ଼ା ଅନର୍ଗଳ କହିଚାଲିଥାଆନ୍ତି ସେଇ ଭଦ୍ରଲୋକ । ତାଙ୍କ କଥାର ମନ୍ତବ୍ୟଦେବା ଅବସ୍ଥାରେ ମୁଁ ନଥିଲି । ରହି ରହି ମାମୁଁଙ୍କ ଆଡ଼େ ଓ ସେ ଭଦ୍ରଲୋକଙ୍କ ଆଡ଼େ ମୁଁ କେବଳ ଚାହୁଁଥାଏ । ସାମ୍ନା ଝରକାରୁ ସ୍ତ୍ରୀ ଲୋକମାନଙ୍କର ଆଖିର ବାଣ ମୋ ମୁହଁରେ ଆସି ବିଦ୍ଧ ହେଉଥାଏ ।

 

ମାମୁଁଙ୍କୁ କହିଲି– ଚାଲନ୍ତୁ ଯିବା ।

 

ଭଦ୍ରଲୋକ ଜଣକ ବାହାରକୁ ଉଠିଯାଇ କାହାକୁ ଜଣେ ବଡ଼ପାଟିରେ ଡାକ ଛାଡ଼ିଲେ ।

 

ଚାହୁଁ ଚାହୁଁ ଘରସାମ୍ନାରେ ଠିଆହେଲା ଆସି ଗୋଟିଏ ଜିପ୍‌ଗାଡ଼ି । ମାମୁଁଙ୍କ ସାଙ୍ଗେ ମୁଁ ଆଗରେ ବସିଲି । ମାଇଁ ବସିଲେ ପଛସିଟ୍‌ରେ । ଭଦ୍ରଲୋକଙ୍କୁ ନମସ୍କାର କରି ଆମେ ଫେରିଲୁ ।

 

ଗାଡ଼ିଟା ମାମୁଁଙ୍କ ଘର ସାମ୍ନାରେ ଯାଇ ଠିଆହେଲା । ମାମୁଁ ମାଇଁ ମତେ ଘରକୁ ପୁଣି ଡାକୁଥିଲେ । ଯେତେ ଡାକିଲେ ମଧ୍ୟ ମୁଁ ଗଲିନି । ମାମୁଁ ଡ୍ରାଇଭରକୁ କହିଲେ– ମତେ ନେଇ ଘରେ ଛାଡ଼ିଦେବାକୁ । ମୁଁ ଅଗତ୍ୟା ହିଁ କଲି ।

 

ଘରଯାଏ ଗାଡ଼ିରେ ଗଲିନି । ଛକମୂଣ୍ଡରେ ଓହ୍ଲେଇ ପଡ଼ିଲି– ସିଗାରେଟ୍‌ ଖାଇବା ନାଁରେ ।

 

ତା’ ଆରଦିନଟା ଛୁଟିଥିଲା । ଅଫିସ୍‌ ଛୁଟି । ସ୍କୁଲ କଲେଜ ବି ଛୁଟି । କି ଗୋଟିଏ ପର୍ବ ଦିନ । ସେ ଦିନ ସକାଳୁ ସକାଳୁ ଆଖି ଖୋଲିଲା ମାତ୍ରେ ମୋର ସନ୍ଦେହ ହେଲା– ମାମୁଁ ମାଇଁ ତାଂକ ପିଲାପିଲିଂକି ଧରି ଆଜି ହାଜର ହୋଇଯିବେ । କାଲି ରାତିରେ ସେ ଭଦ୍ର ଲୋକଂକ ଘରକୁ ଯିବା କଥା କାହାକୁ ମୁଁ କିଛି କହି ନଥିଲି । ମାମୁଁ ମାଇଁଙ୍କର ଏ ପ୍ରହସନ ମୋର ରୁଚି ବିରୁଦ୍ଧ । ସେମାନେ ମୋର ସମ୍ମାନାସ୍ପଦ, ଗୁରୁଜନ ଲୋକ । ଅନ୍ୟ କେହି ହୋଇଥିଲେ ସେମାନଙ୍କୁ ସିଧା ରୋକ୍‌ଠୋକ୍‌ କହି ଦେଇଥାଆନ୍ତି–ଅନ୍ୟ କାହାର ବ୍ୟକ୍ତିଗତ ବିଷୟରେ ତାଂକର ମୁଣ୍ଡ ଖେଳେଇବା ଦରକାର ନାହିଁ । ସେମାନଙ୍କୁ ଏସବୁ କହିହେବନି । ଏମିତି ଅନେକ ଅନେକ ଲୋକ ଯୋଉମାନଙ୍କ ପାଖକୁ ଯିବାକୁ ଖରାପ ଲାଗେ । ସେମାନେ ପୁରାପୁରି ଭିନ୍ନ ମଣିଷ । ସେମାନଙ୍କର ଚାଲିଚଳଣ କଥାବାର୍ତ୍ତା ଇତ୍ୟାଦି ମାର୍ଜିତ ନୁହେଁ । ତଥାପି ସେମାନେ ଅତି ନିକଟ ସମ୍ପର୍କୀୟ । ଶୁଭାକାଂକ୍ଷୀ, ମଙ୍ଗଳକାମନା କରନ୍ତି । ରୁଚି ବିରୁଦ୍ଧ ହେଲେ ବି ପାଟି ଫିଟେଇ କିଛି କହି ହୁଏନି । ମନକୁ ନ ପାଇଲେ ସେଠି ବରଂ ତୁନି ରହିବା ଭଲ । ମନ୍ତବ୍ୟ ଦେଲେ କି ପ୍ରତିରୋଧ କଲେ ବିପଦ । ଅନେକ ଅନେକ କଥା ଭଲ ନ ଲାଗିଲେ ତାକୁ ମନ ଭିତରେ ଜୀର୍ଣ୍ଣ କରିଦେବାକୁ ପଡ଼େ । ମୁଁ ସେଦିନ ରାତିରେ ଘରକୁ ଫେରି ଠିକ୍‌ କରିଥାଏ– ମାମୁଁ ମାଇଁ ପଚାରନ୍ତୁ କି ବାପାବୋଉ ଯେ କେହି କୁହନ୍ତୁ– ମୋ ବିଭାଘର କଥା ଉଠେଇ ଲାଭ ନାହିଁ । ପାଞ୍ଚବର୍ଷ ଯାଏ ମୁଁ ବିବାହ କରିବିନି । ଭଉଣୀ ବିଭାଘର ସରିଲେ, ଘରଟା ଖଣ୍ଡିଆଖାବେରା ହୋଇ ପଡ଼ିଛି, ସେଇଟାକୁ ବାଗେଇ ଆଣିଲା ପରେ ଓ ଘରର ସ୍ୱଚ୍ଛଳ ଅବସ୍ଥା ଆସିଲେ ଯାଇ ମୋ ବିଭାଘରର ପ୍ରଶ୍ନ ଉଠିବ । ଘରେ ବେଶି ସମୟ ରହିବିନି ବୋଲି ଠିକ କରିଥିଲି । ଆସିବି କେବଳ ଖାଇବା ସମୟରେ । ପନ୍ଦରମିନିଟ୍‌ କି ଅତିବେଶୀ ହେଲେ ରହିବି ଅଧଘଣ୍ଟେ । ଏମିତି ଦିନ ତିନି ଚାରିଟା କଟିଗଲେ ମୁଁ ଚାଲିଲି ମୋର ଚାକିରିକି । ସେମାନେ ଯାହା ବକର ବକର ହେବେ ହେଉଥାଆନ୍ତୁ କି ମନେ ମନେ କଳ୍ପନା ଜଳ୍ପନା କରୁଥାଆନ୍ତୁ । କରନ୍ତୁ ମୋ ପଛରେ । ଏମାନଙ୍କଠୁ ଆଗ ବିଦା ହୋଇଯିବା ଦରକାର ।

Unknown

 

ମୁଁ ନିତ୍ୟକର୍ମ ବଢ଼େଇ ଠିକ୍‌ ଜଳଖିଆ ଖାଇସାରିଲା ବେଳକୁ ସକାଳୁ ସକାଳୁ ମାମୁଁ ମାଇଁ ତାଙ୍କ ପିଲା ଦିହିଁଙ୍କି ସାଙ୍ଗରେ ଧରି ଆସି ପହଞ୍ଚି ଗଲେ । ମାମୁଁଙ୍କୁ ଆଡ଼େଇ ସାଙ୍ଗେ ସାଙ୍ଗେ ଯାଇ ହବନି । ତାଙ୍କ କଥାବାର୍ତ୍ତାରୁ ଜାଣିଲି– ସେ ଟିକିଏ ସୁବିଧା ପାଇଲେ ଗଲା ରାତିର ସେଇ ଭଦ୍ରଲୋକଙ୍କ କଥା ଆରମ୍ଭ କରିବେ । କିନ୍ତୁ ମୋ ସାଙ୍ଗରେ ସେ ପ୍ରସଙ୍ଗ ବିଷୟରେ ସିଧାସଳଖ କଥାହେବାକୁ ବୋଧେ ଇଚ୍ଛା କରୁ ନଥିଲେ । ମୋ ଚାକିରି କଥା, ବିଦେଶରେ ଖିଆପିଆ କଥା ଓ ନାନା ଅସୁବିଧା ଆଦି ଆରମ୍ଭ କଲେ । ମାଇଁ ସେତେବେଳେ ବୋଉ ସାଙ୍ଗେ କେତେ କ’ଣ କଥା ହୋଇ ସାରିଲେଣି । କଥା ମଝିରେ ମୁଁ ମାମୁଁଙ୍କୁ କହିଲି– ମୋର ଗୋଟିଏ ଜରୁରୀ କାମ ଅଛି । ଚମକିଲା ଭଳି କହିଲି– ମୋର ମନେ ନଥିଲା । ଶୀଘ୍ର ଯିବାକୁ ପଡ଼ିବ । ପିଲାଦିନର ବନ୍ଧୁ ଜଣେ ମୋର ଆସିଛନ୍ତି । ସେ ଦି’ ବର୍ଷ ହେଲା ଅଲାତ୍‌ ସର୍ଭିସ ପାଇ କଲିକତାରେ ଇନ୍‌କମ୍‌ଟାକ୍‌ସ ଅଫିସର ଥିଲେ । ସେଇ ମତେ ଡାକି ପଠାଇଛନ୍ତି । ତାଙ୍କ ଘରେ ଆଜି ଖାଇବାକୁ ପଡ଼ିବ । ମାମୁଁଙ୍କୁ ସେଦିନ ମିଛକଥା ମୁଁ କହିଲି । ବନ୍ଧୁଜଣଙ୍କ ପ୍ରକୃତରେ କଲିକତାରେ ଅଛନ୍ତି । ତାଙ୍କ ସାଙ୍ଗେ ଦେଖା ହୋଇଥିଲା । ଘର ତାଙ୍କର ପୁରୀରେ । କିନ୍ତୁ ସେ ମୋତେ ସେଦିନ ଖାଇବାକୁ ଡାକି ନଥିଲେ କି ତାଙ୍କ ସାଙ୍ଗେ ମୋର ଦେଖା ହୋଇ ନଥିଲା । ମାମୁଁ ମାଇଁ ଓ ବାପା ବୋଉଙ୍କ କବଳରୁ ରକ୍ଷା ପାଇବା ପାଇଁ ମୋତେ ଅଗତ୍ୟା ଘରୁ ବାହାରକୁ ଚାଲିଯିବାକୁ ପଡ଼ିଲା । ସମସ୍ତେ ଥାଇ ତାଙ୍କ ମୁହଁ ଉପରେ ମୁଁ କିଛି କହିପାରିବିନି କି ରୋକ୍‌ଠୋକ୍‌ ମନା କରିଦେଇ ପାରିବିନି । ସେମାନଙ୍କୁ ସିଧାସଳଖ ମନାକରି ହବନି । ମୁହଁ ଉପରୁ ତାଙ୍କର ଚାଲିଗଲେ ଭଲ ।

 

ମୁଁ ପ୍ୟାଣ୍ଟ ସାର୍ଟ ପିନ୍ଧି ଘରୁ ବାହାରିଗଲା ବେଳକୁ ମାଇଁ ମୁରୁକି ମୁରୁକି ହସୁ ଥାଆନ୍ତି । ବୋଧହୁଏ, ସେ ଜାଣିଥିଲେ– ମୋର କାମ ଅଛିବୋଲି ମୁଁ ଯାହା କହୁଛି ସେସବୁ ବାହାନା । ସେମାନଙ୍କ ପ୍ରସ୍ତାବକୁ ମୁଁ ଏଡ଼େଇଦେବାକୁ ଇଚ୍ଛା କରୁଛି । ତଥାପି ତ କିଛି କହି ହେବନି । ଅନ୍ୟମାନେ ସମସ୍ତେ ଜାଣନ୍ତି– ମୁଁ ଭାରି ଏକବାଗିଆ ଧରଣର । ଯାହା ଝୁଙ୍କ ଉଠିଥିବ ସେଇଆ । କେହିହେଲେ ମତେ ଟଳେଇ ପାରିବେନି । ସେଥିପାଇଁ ସେମାନେ ସମସ୍ତେ ସେତେବେଳେ କିଛି କହିଲେନି । ମାଇଁଙ୍କର ହସ ମତେ ଭାରି ଖରାପ ଲାଗୁଥାଏ । ବେଶି ଖରାପ ଲାଗୁଥାଏ– ସେମାନେ ବାପା ବୋଉଙ୍କ ଆଗରେ ସୁରବାବୁଙ୍କ ଘରକଥା ସତମିଛ ଲଗେଇ କେତେ କ’ଣ ବୋଧେ କହିଛନ୍ତି । ମୁଁ ବାହାରକୁ ଚାଲିଗଲା ପରେ ଆଉ କେତେ କ’ଣ ସେମାନେ କହିବେ । କାଲି ସନ୍ଧ୍ୟାବେଳେ ସୁରବାବୁଙ୍କ ଘରୁ ଓହ୍ଲେଇ ଆସୁଥିବା ସେମାନେ ଦେଖିଛନ୍ତି । ଯାହା କହିବେ ସେମାନେ କୁହନ୍ତୁ । ମନେ ମନେ ଭାବିଲି– ମୁଁ କ’ଣ ସେମାନଙ୍କ କଥାକୁ ଡରିଛି ନାଁ ଛୋଟ ପିଲାଟିଏ ହୋଇଛି । କାହାକୁ କିଛି ଆଉ ସେ ବିଷୟରେ କହିନି । ଦୁମ୍‌ ଦୁମ୍‌ ଗୋଡ଼ ପକେଇ ମୁଁ ସକାଳୁ ସକାଳୁ ଘରୁ ବାହାରିପଡ଼ିଲି ।

 

ସାଇକେଲ୍‌ଟି ଧରି ଘରୁ ସିନା ଚାଲିଆସିଲି; କିନ୍ତୁ ଯିବି କୁଆଡ଼େ ? ଏକମାତ୍ର ସୁରବାବୁଙ୍କ ଘର ଯୋଉଠିକି ଗଲେ ସମୟ ଜଣାପଡ଼ନ୍ତାନି । ଅଜାଣତରେ ସାଇକେଲ୍‌ଟା ସେଇଆଡ଼େ ମୁହେଁଇ ଥିଲା । ବାଟରେ ଠିକ୍‌ କଲି ତାଙ୍କ ଘରକୁ ଯିବିନି । ଯିବା ଉଚିତ ନୁହେଁ । ସିଧା ଚାଲିଲି ବଜାର ଆଡ଼େ । ଚା’ ଜଳଖିଆ ଘରେ ଖାଇ ସାରିଥିଲି । ସାଇକେଲ୍‌ରେ ଚାବି ପକେଇ ପଶିଗଲି ଗୋଟିଏ ରେଷ୍ଟୁରେଣ୍ଟ୍‌ ଭିତରେ । ଚା’ କପେ ବରାଦ ଦେଇ ଅପେକ୍ଷା କଲି । ଲକ୍ଷ୍ୟ ହେଲା– ସମୟ କଟେଇବା । ମାମୁଁ ମାଇଁ ଘରେ ଯାଇ ଯୋଉ ପ୍ରସଙ୍ଗ ଆରମ୍ଭ କଲେଣି ସେଥିରୁ କେମିତି ରକ୍ଷା ମିଳିବା ଦରକାର । କାହାକୁ କିଛି କହିବା ଦରକାର ନାହିଁ କି କାହା ସାଙ୍ଗେ ଅପଡ଼ ହେବା ପ୍ରୟୋଜନ ନାହିଁ । ମଝିରେ ରହିଲା ଯୋଡ଼ିଏ ଦିନ । କେମିତି ଭଲରେ ଭଲରେ କଟିଗଲେ ମୁଁ ଯାଇ ଚାକିରିରେ ଯୋଗ ଦେଇଦେଲେ ରକ୍ଷା ।

 

ଚା’ ଖାଇଲାବେଳେ ଭାବୁଥାଏ– ଏମାନଙ୍କଠୁ ରକ୍ଷା ମିଳିବା ଏତେ ସହଜ ନୁହେଁ । ଯାହା ପଛେ ହେଉ, ମୁଁ ପ୍ରତିଜ୍ଞାରେ ଅଟଳ ରହିବି । ଜୀବନ ଆରମ୍ଭ କରୁ କରୁ ଜୀବନଟାକୁ ନଷ୍ଟ କରି ଦେବାହିଁ ସାର ହେବ । ମୁଁ ଜାଣେ– ମୋର କେତେ କେତେ ବନ୍ଧୁ ଯୋଉମାନେ ଅଳ୍ପ ଆୟରେ ଜୁଆଳି କାନ୍ଧେଇଛନ୍ତି ସେମାନେ କେତେ ହଇରାଣ ହରକତରେ ଅଛନ୍ତି । ତା’ଛଡ଼ା, ମାମୁଁ ମାଇଁଙ୍କର ଯେଉଁ ବ୍ୟବହାର ଅଧବାଟକୁ ଡାକି ନେଇ ଜଣେ ଭଦ୍ରଲୋକଙ୍କ ଘରେ ଏ ସବୁର ଆୟୋଜନ– ସେସବୁ ଏକାଠି ମନେପଡ଼ିଯାଇ ମତେ ଭାରି ଖରାପ ଲାଗୁଥିଲା ।

 

ଚା’ କପ୍‌ଟା ସାରିଦେଇ ବାହାରେ ଆସି ସାଇକେଲ୍‌ ପାଖରେ ହେଲାବେଳକୁ ରେଷ୍ଟୁରାଣ୍ଟ୍‌ ଆଗରେ ସୁରବାବୁଙ୍କ ସାଙ୍ଗେ ଦେଖା । ସାଙ୍ଗରେ କିଏ ଜଣେ ବୁଢ଼ା ଭଦ୍ରଲୋକ । ପାଖ ଦୋକାନରୁ ଲୁଗା କିଣି ସେମାନେ ଫେରୁଥିଲେ । ସୁରବାବୁ କହିବାରୁ ସେ ଭଦ୍ରଲୋକଙ୍କୁ ନମସ୍କାର ହେଲି । ଜାଣି ନଥିଲି ସେ କିଏ । ସୁରବାବୁ ମୋ ମୁହଁରୁ ବୋଧେ ଜାଣିପାରିଲେ । ଚିହ୍ନେଇ ଦେଲେ– ସେ ହେଉଛନ୍ତି ଶଶୁର ବୁଢ଼ା । ମାସେ ଦି’ମାସରେ ଥରେ ଅଧେ ଝିଅ ଦିହିଁଙ୍କି ଦେଖି ନ ଗଲେ ତାଙ୍କୁ ଭଲ ଲାଗେନି । ତା’ଛଡ଼ା, ଜଗନ୍ନାଥ ଦର୍ଶନ ବି ଅଛି । ଗାଁରେ ପ୍ରଚୁର ସମ୍ପତ୍ତି ବାଡ଼ି । ସାଙ୍ଗରେ ସବୁକିଛି ସେ ନେଇ ଆସି ଥାଆନ୍ତି । ଶୁଖୁଆ, ପରିବାପତ୍ରଠୁ ଆରମ୍ଭ କରି ଲୁଗାପଟାଯାଏ-। ବିନି କେତେଥର ମନା କଲାଣି । ସେ ଶୁଣିବା ଲୋକ ନୁହନ୍ତି । ଝିଅର ପିଲାଝିଲା ହେଲେଣି ବୋଲି ଝିଅ ଘରେ ସେ ଜଳସ୍ପର୍ଶ କରୁଛନ୍ତି । ନାତି ନାତୁଣୀ ନ ଦେଖିଲାଯାଏ ଶାଶୁଶଶୁର ଝିଅ ଜ୍ୱୋଇଁଙ୍କ ଘରେ ପିଢ଼ାପାଣି ହେବା ଉଚିତ ନୁହେଁ ।

 

ସୁରବାବୁ ବୁଢ଼ାଙ୍କ ସାଙ୍ଗେ ମତେ ଭଲ ଭାବରେ ଚିହ୍ନା କରି ଦେଇ ସାରିଲା ପରେ ପଚାରିଲେ– ତାଙ୍କ ଘରକୁ ଯିବାକୁ ।

 

ମୁଁ କହିଲି– ପରେ କେତେବେଳେ ସୁବିଧା ଦେଖି ଯିବି ।

 

ତାଙ୍କ ଘରେ ଖିଆ ପିଆ କରିବାକୁ ଡାକୁଥିଲେ ।

 

ମୁଁ ମନା କଲି । ବୁଢ଼ାଙ୍କୁ ନମସ୍କାର କରି ସାଇକେଲ ଛୁଟେଇଲି ସମୂଦ୍ରକୂଳ ଆଡ଼େ । ସେତେବେଳକୁ ଦଶ ଆସି ବାଜିବ । ସମୁଦ୍ର କୂଳ ବସିବାର ସମୟ ନୁହେଁ । କୂଳରେ ଯାଇଥିବା ରାସ୍ତାରେ ସାଇକେଲ ମାରି ଯାଉ ଯାଉ ଲହରୀ ଗଣି ଗଣି ଯିବି । ଆସିଲା ଦିନୁ ସମୁଦ୍ର କୂଳ ଆଡ଼େ ବୁଲି ଆସି ନ ଥିଲି ।

 

ସମୁଦ୍ର ସେତେବେଳେ ସାଦା ନୀଳ ରଙ୍ଗର ବଡ଼ କାଗଜ ଫର୍ଦେ ଭଳି ଦେଖାଯାଉଥିଲା-। ନୀରବ ଓ ନିଶ୍ଚଳ । ଆକାଶଯାଏ ଲାଗିଥିଲା । ଦୂର ଦିଗ୍‌ବଳୟରେ ଫିକା ନୀଳ ରଙ୍ଗର ଆକାଶ-। ମଝିରେ ସୁଅରୁ ଗାରଟିଏ ଲମ୍ୱିଯାଇଛି । ଚିତ୍ର କରିବା ଆଗରୁ ଯେପରି କିଏ ଗାରଟିଏ କାଟି ଦେଇଛି । କେତେ କେତେ ଡଙ୍ଗା ସମୁଦ୍ର ଭିତରେ ଏଣେ ତେଣେ ସେତେବେଳେ ଭାସୁଥିଲା । ସାଇକେଲ ମାରି ସମୁଦ୍ରକୂଳରେ ଏରାସ୍ତାକୁ ସେରାସ୍ତା ଗଲାବେଳେ ଆଖି ପଡ଼ିଥାଏ ବିରାଟ ସେଇ ନୀଳ ଜଳରାଶୀ ଭିତରେ । କୂଳରେ ବାଡ଼େଇ ହେବାରେ ଲାଗିଥାଏ ଛୋଟ ଛୋଟ ଲହରୀ କେଇଟା । ମନେ ପଡ଼ିଗଲା– ଆଗରେ ପଡ଼ି ରହିଥିବା ବିରାଟ ମୋର ଭବିଷ୍ୟତ ଜୀବନ । ସମୁଦ୍ର ଭଳି ବିରାଟ । ଆଖି ପାଉନି । କୂଳରୁ ମୋର ଯାତ୍ରା । କେତେ ଅସୁବିଧା । ଲହରୀ ପରେ ଲହରୀ-। ଡଙ୍ଗା ଓଲଟି ପଡ଼ିବାର ଭୟ ବି ଅଛି । ପାଣି ପଶିଗଲେ ଓଲଟି ପଡ଼ିବ । କୂଳ ଡେଇଁଗଲେ ତେଣିକି ଆଉ ଚିନ୍ତା ନାହିଁ । ତେଣିକି ଲହରୀ ନାହିଁ କି ଡଙ୍ଗା ଓଲଟିପଡ଼ିବାର ଭୟନାହିଁ-। ପବନ ମୁହଁରେ ଧାଇଁଚାଲିବ ମୋର ଜୀବନ–ନଉକା । ଭାବୁଥିଲି–ପ୍ରଥମରୁ ପ୍ରଥମରୁ ମାମୁଁ ମାଇଁ ଆସିଛନ୍ତି । ବାପା ବୋଉ କହିପାରନ୍ତି । ବନ୍ଧୁ ବାନ୍ଧବ, ସାଙ୍ଗସାଥୀ ଓ ଜ୍ଞାତି କୁଟୁମ୍ୱ ବି ଅଛନ୍ତି । ସେଇ ଗୋଟିଏ ଜାଗାରେ ନୁହେଁ । କେତେ କେତେ ଜାଗାରୁ ନୂଆ ନୂଆ ପ୍ରସ୍ତାବ ସବୁ ଆଣିବେ । କିନ୍ତୁ ମୋ ପ୍ରତିଜ୍ଞାରେ ମୁଁ ଅଟଳ ରହିବି ।

 

ସାଇକେଲ ମାରି ସମୁଦ୍ରକୂଳରୁ ଫେରିଲାବେଳେ ମନେ ମନେ ମୁଁ ଭାବୁଥିଲି– କ’ଣ ମୋର ସେଇ ପ୍ରତିଜ୍ଞା ?

 

ମୋ ମନ ଭିତରୁ ଆଉ କିଏ ଜଣେ ଜବାବ୍‌ ଦେଲା– ଯାହା କିଛି ହେଉଛି ବର୍ତ୍ତମାନ ନୁହେଁ । ଅତିକମ୍‌ରେ ପାଞ୍ଚବର୍ଷ ପରେ ।

 

ଟୁନି ମୋ ମନ ଭିତରେ ହଠାତ୍‌ ଆସି ସେସମୟରେ ପ୍ରବେଶ କଲା । ମୋ ସାଙ୍ଗେ ସାଙ୍ଗେ ସେ ଅବା ଦଉଡ଼ିଛି । ଦଉଡ଼ିଯାଇ ସେଦିନ ଲୁଚିଗଲେ ତଳ ଘରେ । ପଛେ ପଛେ ଯାଇ ତାକୁ ଧରିପକେଇବା ଇଚ୍ଛା ମୋ ମନ ଭିତରେ ପ୍ରବଳ ବେଗରେ ବଢ଼ୁଥିବାର ମୁଁ ଅନୁଭବ କଲି । ଭାବନାକୁ ମୋର ଟୁନି ଚାରିପାଖେ ଘୁରିବୁଲିବାକୁ ଛାଡ଼ି ଦେଇ ସାଇକେଲ ଚଲଉଥାଏ । ପହଞ୍ଚଗଲି ସହରର ପ୍ରଧାନ ଛକ ଜାଗା ଉପରେ ।

 

ଛକ ଉପରେ ସେତେବେଳେ ଭରପୁର ଲୋକ । ଠେଲା ପେଲା ଓ ପାଟି ତୁଣ୍ଡ ଲାଗିଥାଏ । ଲୋକେ ବ୍ୟାଗ୍‌ ଖଣ୍ଡେ ଖଣ୍ଡେ ଧରି ଧାଡ଼ି ବାନ୍ଧିଥାଆନ୍ତି ମଝିରେ ଗୋଟିଏ ଶଗଡ଼ । ଶଗଡ଼ିଆ ବଳଦ ଦି’ଟାଙ୍କୁ ଧରି ଖଣ୍ଡେ ଦୂରରେ ନୀରବ ଦର୍ଶକ ହୋଇ କେବଳ ଠିଆ ହୋଇଛି । ଶଗଡ଼ ଉପରେ ଦି’ ତିନିଜଣ ଲୋକ । ସେମାନେ ତଉଲ କରି ଅଖାକୁ ଚାଉଳ ଦବାରେ ଲାଗିଥାଆନ୍ତି ସମସ୍ତଙ୍କୁ ଦୁଇ ତିନି କିଲୋ କରି । ଯିଏ ଯେମିତି ଫେରି ନଯାଏ । ଚାଉଳ କିଲୋ ଟଙ୍କାଏ । ବଜାରରେ କିନ୍ତୁ ସେତେବେଳେ ଚାଉଳ କିଲୋ ତିନିଟଙ୍କା । ଟଙ୍କା ଦେଇ ମଧ୍ୟ ଚାଉଳ ମିଳୁନି । ଲୋକେ ଅଖା ବ୍ୟାଗ୍‌ ଧରି ଏଦୋକାନକୁ ସେଦୋକାନ ହବା ଲାଗିଥାଆନ୍ତି । ଏଇ ସାତ ଆଠଦିନ ଭିତରେ ଚାଉଳ ଦର ଅସମ୍ଭବ ଭାବରେ ବଢ଼ିଯାଇଛି । ଚାରିଆଡ଼େ ହାହାକାର । ଦୋକାନରେ ଚାଉଳ ନାହିଁ, କି କରିବାକୁ କାମଧନ୍ଦା ନାହିଁ ।

 

ମୁଁ ଦେଖିଲି ଜଣେ ଲୋକ ପଇସା ସଂଗ୍ରହ କରିବାରେ ଲାଗିଥାଏ । ପାଟି ତୁଣ୍ଡ ନାହିଁ । ଲୋକେ ଆସି ଭିଡ଼ କରୁଥାଆନ୍ତି । କାହାକୁ ବେଶୀ ନାହିଁ କାହାକୁ କମ୍‌ ନାହିଁ । ଦାମ୍‌ ଟଙ୍କେ ଲେଖେ । ସାଇକେଲ୍‌ରେ ଢିରା ଦେଇ ମୁଁ ଲକ୍ଷ୍ୟ କଲାବେଳକୁ ଚାଉଳରୁ ଅଧା ସରିଗଲାଣି । ଖଣ୍ଡେ ଦୂରରେ ଟ୍ରାଫିକ ପୋଲିସ୍‌ ଦି’ଜଣ ଲୋକମାନଙ୍କୁ କେବଳ ନଜର କରିଥାଆନ୍ତି । ସେମାନେ ମଧ୍ୟ ନୀରବ ।

 

କାଳେ କ’ଣ ଗଣ୍ଡଗୋଳ ଲାଗିପାରେ ଭାବି ମୁଁ ଗହଳି ଭିତରକୁ ଗଲିନି । ସାଇକେଲ୍‌ଟି ଧରି ବାହାରେ ଲୋକଗୁଡ଼ାଙ୍କୁ ଲକ୍ଷ୍ୟ କରୁଥାଏ । ମୁହୂର୍ତ୍ତକ ଭିତରେ ଚାଉଳତକ ବିକା ସରିଗଲା । ଯୋଉ ଲୋକେ ବିକିବା ଦାୟିତ୍ୱରେ ଥିଲେ ସେମାନେ ଶଗଡ଼ିଆକୁ ଚାଉଳ ଦାମ ଧରେଇଦେଇ ଯିବାକୁ ବାହାରିଲାବେଳେ ଜଣେ ଲୋକ ରିକ୍‌ସାରୁ ଧଇଁ ସଇଁ ହୋଇ ଓହ୍ଲେଇ ଶଗଡ଼ ପାଖରେ ଆସି ଠିଆ ହେଲା । ସେତେବେଳେ ମୁଁ ସାଇକେଲ ମାରି ଯିବାକୁ ଉଦ୍ୟତ ହେଉଥିଲି ।

 

ଦେଖିଲି– ଯୋଉ ଭଦ୍ରଲୋକଙ୍କ ଘରକୁ କାଲି ରାତିରେ ମୁଁ ଯାଇଥିଲି, ଚାଉଳ ହେଲା ତାଙ୍କରି, ଶଗଡ଼ିଆ ତାଙ୍କ ପଇସାତକ ବଢ଼େଇଦେଲା । ରାଗରେ ଆଖି ତରାଟି, ଦାନ୍ତ କଟମଟ କରି ତାକୁ କେତେ କ’ଣ ସେ ଗାଳି ଦେଲେ । ଇଆଡ଼ିକି ସିଆଡ଼ିକି ଅନେଇ । କ’ଣ ସେ କହୁଥିଲେ କିଛି ଶୁଭୁ ନ ଥିଲା । ଶଗଡ଼ିଆ ବିଚାରା କରେ କ’ଣ । ଲୋକେ ସେତେବେଳକୁ ଭାଙ୍ଗି ଗଲେଣି । ଗୁଡ଼ାଏ ପାଟିତୁଣ୍ଡ କରି ସେ ରିକ୍‌ସା ଧରିଲେ । ଚାଉଳ ଦାମ୍‌ ତାଙ୍କ ପକେଟ୍‌ରେ । ରିକ୍‌ସା ବାଲାକୁ କହିଲେ– ଥାନାକୁ ଯିବାକୁ । ରିକ୍‌ସାବାଲାଟା ଯିବାକୁ ମନାକଲା । ଯୋଉ ରିକ୍‌ସାକୁ ଡାକୁଥାଆନ୍ତି ସମସ୍ତେ ମନା କରିଦେଲେ । କିଛି ସମୟ ସେ ଠିଆହୋଇ ରହିଲେ । ତା’ପରେ ଥାନା ଆଡ଼େ ଚାଲିଲେ ପାଦ ଗଣି ଗଣି ।

 

ମତେ ସେଠି ଆଉ ରହିବାକୁ ଭଲ ଲାଗିଲାନି । ଭାବିଲି ଅନ୍ୟଆଡ଼େ ଆଉ ବୁଲାବୁଲି କରିବା ଭଲ ନୁହେଁ । ଖରାରେ ମୁଣ୍ଡ ଫାଟିପଡ଼ୁଛି । ମୁଁ ସିଧା ସାଇକେଲ ଚଳେଇଲି । ଘରମୁହାଁ । ଆସିଲା ବେଳେ ମନେ ମନେ ଭାବୁଥିଲି– ମାମୁଁ କାଲି ରାତିରେ ଏଇ ଭଦ୍ର ଲୋକଙ୍କ ଘରକୁ ମତେ ଡାକି ନେଇଥିଲେ । ଏଇ ଚାଉଳ ମାଲିକ ଭଦ୍ରଲୋକ । ମନେ ମନେ ହସି ପକେଇଲି ।

 

ଘରେ ପହଞ୍ଚିଲା ବେଳକୁ ବାର ବାଜିଲାଣି । ମାମୁଁ ମାଇଁ ନାହାନ୍ତି । ତାଙ୍କୁ ଗୋଟିଏ କାମରେ ଜରୁରୀ ଡାକେରା ଆସିଲା । ଜଣେ କିଏ ଡାକିଆସି ଥିଲେ । ବଡ଼ ତରତର ଲଗେଇଲେ-। ଖାଇ ସାରିଥିଲେ । ପିଲାମାନଙ୍କୁ ସାଙ୍ଗରେ ଧରି ସେମାନେ ଏଇ ଅଧଘଣ୍ଟେ ହେଲା ବାହାରିଗଲେ । ବୋଉ କହିଲା– ସେ କୁଆଡ଼େ ମତେ ଅନେକ ବେଳଯାଏ ଅପେକ୍ଷା କଲେ । ବୋଉର ଧାରଣା ଥିଲା ମୁଁ ଖାଇକରି ଆସିଥିବି । ଭାତବାଢ଼ିବି ବୋଲି କହିବାରୁ ମୁଁ ହଁ କଲି । ବୋଉ ଜାଣି ପାରିଲା– ମୁଁ କାହିଁକି କହୁଥିଲି– ସେଦିନ ମୋର ଅନ୍ୟ ଜଣେ ବନ୍ଧୁଙ୍କ ଘରେ ନିମନ୍ତ୍ରଣ ଅଛି । ସେ ବି ମତେ ଆଉ କିଛି ପଚରାଉଚ୍ଚରା କରିଥାଆନ୍ତା । ମୋର ଏଇ ମନୋଭାବରୁ ସେ ଭଲଭାବରେ ଜାଣିପାରିଲା– ମୋର ସେଠାରେ ଇଚ୍ଛା ନାହିଁ । ବୋଉ କି ବାପା କେହି ହେଲେ ସେ ପ୍ରସଙ୍ଗ ସମ୍ୱନ୍ଧରେ ମତେ ଆଉ ପଚାରି ନାହାନ୍ତି ।

 

ମୁଁ ଆଶ୍ୱସ୍ତ ହେଲି ଖରାବେଳଟା ସେଦିନ ଭଲଭାବରେ ବିଶ୍ରାମ ନେଲି । ମଝିରେ ଆଉ ଗୋଟିଏ ବୋଲି ଦିନ । ପଅରଦିନ ସକାଳୁ ସକାଳୁ ଚାଲିବି ମୋର କର୍ମକ୍ଷେତ୍ରକୁ । ପ୍ରଥମରୁ ଗଲାବେଳେ କିଛିନା କିଛି ନେଇ ନଥିଲି । ବିଦେଶ କରିବାର ଅଭିଜ୍ଞତା ମୋର ନଥିଲା । ବାପାଙ୍କର କିନ୍ତୁ ସାରା ଜୀବନ ବାହାରେ ବାହାରେ କଟିଛି । ବୋଉ ଠିକ୍‌ ଜାଣେ– ବାହାରେ କୋଉ କୋଉ ଜିନିଷପତ୍ର ଦରକାର ପଡ଼େ । ହୋଟେଲ ଇତ୍ୟାଦିରେ ଖାଇଲେ ପେଟ ଖରାପ ହେବ । ଦିହରେ ଯିବନି । ତେଣୁ ଛୋଟ କାଟର ଗୋଟିଏ ସଂସାର ପାଇଁ ଯାହା କିଛି ଜିନିଷ ଦରକାର ବୋଉ ତାକୁ ଗୋଟି ଗୋଟି କରି କିଣାକିଣି କରି ରଖିଛି । ଘରକୁ ଆସି ପ୍ରଥମ ମାସର ଦରମାଟି ବୋଉକୁ ମୁଁ ସିଧା ବଢ଼େଇ ଦେଇଥିଲି । ଘରପାଇଁ ସେ ଟଙ୍କାରୁ କିଛି ରଖିବା ଦୂରେ ଥାଉ ମୋ ପାଇଁ ଯୋଉସବୁ ଜିନିଷ କିଣାକିଣି କରିଥିଲା ସେସବୁର ଦାମ ମୋ ଦରମା ପଇସାଠୁ ବେଶୀ । ତା’ଛଡ଼ା, ମାସକ ପାଇଁ ସେଠାରେ ଚଳିବାକୁ ପୁଣି ପଇସାପତ୍ର ଦରକାର । ବୋଉକୁ ଯେତେ ଯାହା ମନା କଲେ ବି ସେ ଶୁଣିବା ଲୋକ ନୁହେଁ । କେତେଥର କହିଛି–ବିଦେଶରେ ପୁଅର କିଛି ମୋର ଅସୁବିଧା ନହେଉ ।

 

ସନ୍ଧ୍ୟାବେଳେ ମୁଁ ବୁଲିବାହାରିଲା ବେଳକୁ ବୋଉ ଯାଇ ସେତେବେଳେ ରୋଷେଇଶାଳେ । ସେଦିନ ଖରାବେଳେ ସେ ଆଉ ଶୋଇନି ବୁଢ଼ୀ ଆସି ହେଲାଣି । ବିରି ଚାଉଳ ବଟା ବଟି କରି ଚାଲିଛି ତାର ପିଠାପଣା ନଡ଼ିଆ ପୁରଦିଆ ସରୁ ଚକଳି, ବିରିବରା ଓ ନାନା ଜାତି ପିଠା । ସେମିତି କିଛି ପର୍ବ ନଥିଲା । ମିଛଟାରେ ଖାଲି ପରିଶ୍ରମ । ପୁଅ ବିଦେଶକୁ ଚାଲିଯିବ ବୋଲି ତାର ପିଠାର ଆୟୋଜନ । ଦେଖିଦେଇ ତା’ ଉପରେ କୁଲେ ବିରକ୍ତ ହେଲି । ବୋଉ କହିଲା– କେତେଦିନ ଆଉ କରୁଥିବି । ବୋହୂଟିଏ ଆସିଲେ ସିନା ହୁଏ । ବୋଉ କଥା ଶୁଣି ମନେ ମନେ ମୁଁ ହସିପକେଇଲି । ବୋଉ ସାଙ୍ଗେ ସେତେବେଳେ ମାଇଁଙ୍କି ମୁଁ ତୁଳନା କରୁଥାଏ । ଯେତେହେଲେ ସେ ବୋଉ । ବୁକୁଚିରୀ କ୍ଷୀର ଦେଇଛି । ସବୁକିଛି ଆମର ସେ ସହିଛି ବୋଲି ସେ ବୋଉ । ମୁହଁରେ ବିରକ୍ତି ପ୍ରକାଶ କରି ପିଠାତକ ମନମଉଜରେ ମୁଁ ଖାଇ ବସିଲି । କୋଉ ଏକ ରେଷ୍ଟୁରେଣ୍ଟକୁ ଯାଇଥିଲେ, ଆଠଣା ଟଙ୍କେ ପକେଇ ଦେଇଥିଲେ ଚଳିଥାଆନ୍ତା । କାହିଁକି ତାର ଏତେ ପରିଶ୍ରମ ? ଖରାବେଳେ ବିଶ୍ରାମ ନନେଇ ଏଇସବୁ କାମରେ ଲାଗିଛି ।

 

ଗଲାବେଳେ ସାଇକେଲ ନେଲିନି । ରାସ୍ତାରେ ଚାଲି ଚାଲି ସମୁଦ୍ରକୂଳ ଆଡ଼େ ଯିବି । ଘଣ୍ଟେ ଦି’ ଘଣ୍ଟା ଖଣ୍ଡେ ସମୁଦ୍ରକୂଳେ କେବଳ ବସି ରହିବି ବୋଲି ସେଦିନ ଠିକ୍‌ କରିଥିଲି । ଏତେଦିନ ହେଲା ଆସିଲିଣି । ଥୀର ହୋଇ ଏଯାଏ ଟିକିଏ ବସି ପାରିନି । ପୁରୀରେ ରହି ସମୁଦ୍ରକୂଳରେ ଅଳ୍ପସମୟ ବସି ନ ରହିଲେ ଜଣାପଡ଼େ– ଯେମିତି ଅବାକିଛି ଅପୂର୍ଣ୍ଣ ରହିଗଲା ।

 

ଭାବୁଥିଲି– କେହି ଜଣେ ହେଲେ ଦେଖାହେବ । ଚିହ୍ନା କି ଦୋଦଚିହ୍ନା ବନ୍ଧୁ । ସ୍କୁଲ କି କଲେଜ ବେଳର । ଏବର ସାଙ୍ଗସାଥୀ ନୋହିଲେ ପୁରୁଣା ବନ୍ଧୁ । ଚିହ୍ନା ମୁହଁ । ସାଙ୍ଗ ହୋଇ ସମୁଦ୍ରକୂଳ ବୁଲିଯିବାକୁ । ରାସ୍ତା କରର ଧାଡ଼ି ଧାଡ଼ି ଝାଉଁଗଛ ଭିତରେ ଯୋଉ ରାସ୍ତାଟା ସିଧା ସମୁଦ୍ରକୂଳଯାଏ ଲମ୍ୱିଯାଇଛି ସେଇବାଟରେ ଯାଉ ଯାଉ କି ଗୋଟିଏ ଆଲୋଚନାରେ ଆମେ ବ୍ୟସ୍ତ ଥିବୁ । ପାଖ ଦେଇ ଯା ଆସ କରୁଥିବେ ହଳହଳ ତରୁଣ ତରୁଣୀ । ସେଇମାନଙ୍କ ଆଡ଼ିକି ଚାହିଁ ଚାହିଁ, ସମୁଦ୍ରକୂଳ ବାଲିରେ ପାଦ ଘୋଷାରି ଘୋଷାରି, କୂଳରେ ବାଡ଼େଇ ହେଉଥିବା ଉଠପଡ଼ ଲହରୀକି ଗଣିବାକୁ ମତେ ଭଲଲାଗେ । ଅନେକ ଦିନ ଧରି ଆସି ନଥିଲି । ଇଆଡ଼ିକି ସିଆଡ଼ିକି ଅନେଇ ଅନେଇ ଝାଉଁଗଛ ଘେରା ସେଇ ସିଧା ରାସ୍ତାରେ ମୁଁ ଚାଲିଥାଏ ଏକାକୀ । ରାସ୍ତା କରରେ ଦି’ ଧାଡ଼ି ବିଜୁଳି ଆଲୁଅ । ରାସ୍ତାକରେ କରେ ସମୁଦ୍ରକୂଳ ଆଡ଼େ ଝୁଲିରହିଥିଲା ।

 

କାହାସାଙ୍ଗେ ସେଦିନ ଦେଖା ହେଲାନି । ରାସ୍ତାର ଧାରେ ଧାରେ ମୁଁ ଚାଲିଥାଏ ଏକାକୀ-। ଅଳ୍ପକେଇ ପାଦ ଆଗେଇଗଲେ ସମୁଦ୍ରକୂଳ । ଟ୍ରାଫିକ୍‌ ପୁଲିସ୍‌ ପାଇଁ ଜାଗା । ରାସ୍ତାଟା ସେଠି ଚାରିଛେକିଆ । ଚାରିଦିଗକୁ ରେଡ଼ଲାଇଟ୍‌ ଖଞ୍ଜା । ସମୁଦ୍ରକୂଳ ଆଡ଼ୁ ସେତେବେଳେ ଫେରୁଥିଲେ ହଳହଳ ତରୁଣ ତରୁଣୀ । ତୁନି ତୁନି କଥା ହୋଇ ଧରାଧରି ହୋଇ ଚାଲିଥାଆନ୍ତି ସେମାନେ ଘର ମୁହାଁ । ମୋ ଭଳି ଆଉ କେତେ ଜଣ ବି ସମୁଦ୍ର କୂଳ ଆଡ଼େ ଚାଲିଥାଆନ୍ତି । ସମସ୍ତଙ୍କୁ ଲକ୍ଷ୍ୟ କରି କରି ମୁଁ ଚାଲିଥାଏ । ମୋ ଭଳି ଏକଲା କେହିହେଲେ ନାହାଁନ୍ତି । ସମସ୍ତେ ଦି’ ଦିଜଣ କି ତିନି ଚାରିଜଣ । ସମସ୍ତେ ସେମାନେ ମୋର ଅଚିହ୍ନା ।

 

ସାମ୍ନାରେ ମୋର ଜନତା ସ୍ତ୍ରୀଲୋକ । ଅସମ୍ଭବ ଧରଣର ମୋଟୀ । ଦିହରେ ପାଉଁଶିଆ ରଙ୍ଗର ଶିଳ୍‌କଶାଢ଼ୀ । ଶାଢ଼ୀଟା ଅଣ୍ଟାତଳରୁ, ବେକମୂଳରୁ ଓ ବାହାକରରୁ ଖସି ଖସି ଆସୁଛି । ଚାଲିଲାବେଳେ ବଡ଼ କଷ୍ଟ । ପଛଆଡ଼ୁ ଲକ୍ଷ୍ୟ କଲି– ଦୁଇଟି ବଡ଼ ବଡ଼ ମାଂସ ପିଣ୍ଡୁଳାର ଅହରହ ଖାଲି ପଡ଼ାଉଠା । ଦିହ ସାରା ସୁନାଅଳଙ୍କାରରେ ଭରା । ଖୋସାରୁ ପିଠିଉପରେ ବ୍ଳାଉସ୍‌ରେ ଯାଇ ପଡ଼ିଛି କେରେ ହବ ମଲ୍ଲୀମାଳା । ସାଙ୍ଗରେ ପୁରୁଷ ଲୋକ ଜଣେ । ଦିହର ଜାକିଟି ପିନ୍ଧା ପାତେଳା ଟୁକ୍‌ ଟୁକ୍‌ ଡେଙ୍ଗା ଭଦ୍ରଲୋକ । ବୋଧେ ସ୍ୱାମୀ ହେବେ । ସିଗାରେଟ୍‌ ଟାଣୁ ଥାଆନ୍ତି । ପଚାଶ ଡେଇଁଗଲାଣି । ସୁରୁଚି ସମ୍ପୂର୍ଣ୍ଣ ଭଦ୍ରଲୋକ ବୋଲି ଚାଲି ତାଙ୍କର କହୁଥାଏ । ଆଗରେ ପୁଅ ଝିଅ ତିନୋଟି । ପୁଅ ଯୋଡ଼ିଏ ବାପ କାଟର । ବେଶ୍‌ ଡେଙ୍ଗା ଚଉହାତିଆ । ଝିଅଟି ମା’ କାଟର । ମା’ଭଳି ମୋଟୀ । ପିଲା ତିନିଟା ଆଗୁଆ ଚାଲୁଥାଆନ୍ତି ବୋଲି । ମା’ଝିଅ ଏକାଠି ଚାଲୁଥିଲେ ଚିହ୍ନିହୁଅନ୍ତାନି ମା’ କିଏ, ଝିଅ କିଏ ।

 

ସେମାନଙ୍କ ପଛେ ପଛେ ପଞ୍ଝା ହବ ଟୋକା । ଆଣ୍ଠୁଯାଏ ପ୍ୟାଣ୍ଟସବୁ ଚିପା ଚିପା, ପାଦତଳକୁ ହୁଗୁଳା, ଗୋଲାକାର, କରକୁ କରକୁ ହଲିଦୋହଲିବାରେ ଲାଗିଛି । ମାଇପିଙ୍କର ନାକ ଉପରେ ଆସି ପଡ଼ିଥିବା ଓଢ଼ଣାଭଳି । ଫଟ୍‌ଫଟ୍‌ ଚପଲ । ସମସ୍ତେ କଲିବନ୍ତ । ମୂଣ୍ଡରେ ବୋଝେ ବୋଝେ ବାଳ । ବେକତଳକୁ । ଜାମା ଉପରେ ପଡ଼ିଛି । ବାବାଜୀଙ୍କର ଜଟ ଭଳି । ବଡ଼ପାଟିରେ କେତେ କଣ କଥାହୋଇ ଚାଲିଥାନ୍ତି । ଜଣେ ଜଣେ ଶିଶିର ବଜେଇ । ବଡ଼ ବଡ଼ ପାହୁଲ ପକେଇ ସେମାନେ ଧାଇଁ ଥାଆନ୍ତି ।

 

ତା’ପରେ ରାସ୍ତାଟି ଫାଙ୍କା । ଲୋକବାକର ଦେଖା ନାହିଁ । କଳାରଙ୍ଗର କୁକୁର ହଳେ ରାସ୍ତା ଉପରେ ଦଉଡ଼ି ଧପଡ଼ି ପରସ୍ପରକୁ, ଛକି ଛକି, ଆମୁଡ଼ି କାମୁଡ଼ି, ରାସ୍ତାଉପରୁ ବାଲିକୁଦ, ବାଲିକୁଦରୁ ନଳା, ସେଠୁ ରାସ୍ତା ଉପରେ କେତେ ବାଟଯାଏ ଚାଲିଥାଏ ତାଙ୍କର ଖେଳ କସରତ ।

 

ଲାଇଟ୍‌ ଖୁଣ୍ଟ ଉପରେ ଓ ଝାଉଁଗଛ ଅଗରେ ଗାଢ଼ ନୀଳ ଭେଲଭେଟିଂ ରଙ୍ଗର ଆକାଶ-। ସେଥିରେ ଦରିପଡ଼ିଛି । ଠାଏ, ଠାଏ, କୋଉଠି ଅବା ମେଞ୍ଚା ମେଞ୍ଚା ତାରା । ସେଇ ଭେଲଭେଟ୍‌ ରଙ୍ଗ ସାଙ୍ଗକୁ ଏକ ଫିକା ନୀଳରଙ୍ଗର ଧଳାମିଶା ନୀଳରଙ୍ଗ । ଆକାଶ ଯୋଉଠି ସମୁଦ୍ର ସାଙ୍ଗେ ମିଶିଛି । ପଣତର ଦଶି ଫୁରୁ ଫୁରୁ ଉଡ଼ୁଥିଲା ଭଳି ଆଗରେ ସମୂଦ୍ରର ଲହରୀମାଳା-। ଏକେଲା ମୁଁ ଚାଲିଥାଏ । କେଇପାଦ ଗଲେ ସମୁଦ୍ରକୂଳ ।

 

ପୁଲିସ୍‌ ଟ୍ରାଫିକ୍‌ କର ଦେଇ ମୁଁ ସିଧା ସମୁଦ୍ରକୂଳ ଆଡ଼ିକି ଆଗେଇ ଗଲାବେଳେ ବାଁପଟୁ ଛୁଟି ଆସିଲା ଗୋଟିଏ ରିକ୍‌ସା । କଲେଜ ଆଡ଼ୁ ଚାହିଁଦେଲା ବେଳକୁ ଟୁନି । ଏତେବେଳେ ସେ କୁଆଡ଼େ ? କାମଥିଲା ନାଁ କ’ଣ ? ସାଙ୍ଗରେ ତ କେହି ନାହାନ୍ତି ? ସନ୍ଧ୍ୟା ତ ଆସି ହେଲାଣି ? ଆଖିକି ମୋର ବିଶ୍ୱାସ କରିପାରିଲିନି । ଟୁନି ତ ? ରିକ୍‌ସାବାଲାକୁ ହାତ ଦେଖେଇଲି । ଟୁନି ବି ରିକ୍‌ସାବାଲାକୁ କହିଲା– ରଖିବାକୁ । ପଚାରିଲି– କୁଆଡ଼େ ?

 

ରିକ୍‌ସାରୁ ଓହ୍ଲେଇ ପଡ଼ିବ କି ବସିରହିବ ସେ ଠିକ୍‌ କରିପାରୁ ନଥିଲା । ମୋ ଆଡ଼ିକି ସିଧାସଳଖ ନ ଚାହିଁ, ଅର୍ଦ୍ଧବୃତ୍ତାକାର ଭ୍ରୂଲତା ଦିଓଟିକି ରିକ୍‌ସାବାଲା ଉପରେ ଥାପି ରଖି, ତଳକୁ ଝୁଲିପଡ଼ିଥିବା ଶାଢ଼ୀକି ତାର ସଜାଡ଼ି ନେଇ ଲାଜରେ ସଢ଼ି ସଢ଼ି ସେ କହିଲା– କଲେଜ ଯାଇଥିଲି । ସାହିତ୍ୟ ସଭା ଥିଲା । ଏତିକି କହିଦେଇ ସେ ବୋଧେ ରିକ୍‌ସା ଉପରେ ଆଉ ବସିପାରିଲାନି । ଓହ୍ଲେଇ ପଡ଼ିଲା ବେଳକୁ ମୁଁ ରିକ୍‌ସାବାଲାକୁ ଧରେଇ ଦେଲି ପଇସା । କହିଲି ଆମେ ଚାଲି ଚାଲି ଯିବୁ ।

 

ଡାକରା ଶୁଭୁଥାଏ ସମୁଦ୍ରର । ଲହରୀ ସବୁ ତାଳି ମାରି ମାରି ଆମ ଦିହିଁଙ୍କି ଅବା ପାଖକୁ ଡାକୁଥାଆନ୍ତି । ସେତେବେଳେ ତାରାମାନଙ୍କର ଆକାଶରେ ବିରାଟ ସାଧାରଣ ସଭା । ଆମ ଦିହିଁଙ୍କି ନିମନ୍ତ୍ରଣ କରୁଥିଲା ଭଳି ମନେହେଲା । ମୁଁ ଆଗେ ଆଗେ । ଟୁନି କେତେ କ’ଣ ଭାବି ଧୀରେ ଧୀରେ ପାଦ ଚାଳି ଚାଳି ଆସୁଥାଏ ମୋ ପଛେ ପଛେ । ଲାଇଟ ହାଉସ୍‌ର ଆଲୁଅ ଆମ ଉପରେ ଲେପ ଦେଇ ଗଲାବେଳେ ମୁଁ ଟୁନି ମୁହଁକୁ ଠିକ୍‌ ଲକ୍ଷ୍ୟ କରିଛି– କିଛି କହି ନକହି, ଲାଜରେ ଓ ଭୟରେ ରିଙ୍ଗ୍‌ ହଳକ ତାର କାନମୂଳର ବାଳକେରୀକ ଭିତରେ ଗୁଡ଼େଇ ତୁଡ଼େଇ ହୋଇ ଯାଇଛି ଓ ମୋ ପଛେ ପଛେ ରାସ୍ତା ଉପରୁ ସମୁଦ୍ର ବାଲିକି ଆସିଲାବେଳେ ଖୁବ୍‌ ଆସ୍ତେ ସେ କହିଦେଲା– ସିଆଡ଼େ କୁଆଡ଼େ ? ବହୁତ ବେଳ ହୋଇ ଗଲାଣି, ଘରକୁ ଯିବି ।

 

ଘରକୁ ତ ଯିବା– ଭୟ କାହିଁକି ? ମୁଁ ତ ଅଛି ।

 

ଟୁନି ଥଙ୍ଗ ଥଙ୍ଗ ହେଉଥିଲା । କଥାରୁ ଜଣା ପଡ଼ୁଥିଲା– ଯିବାକୁ ତାର ଇଚ୍ଛା ନାହିଁ । ବାଧ୍ୟ ବାଧକତାରେ ।

 

ମୁଁ କହିଲି– ବେଶୀ ତ ନୁହେଁ । ପାଞ୍ଚ ଦଶ ମିନିଟ୍‌ ।

 

ବଡ଼ ବଡ଼ ପାହୁଲ ପକେଇ ମୁଁ ଚାଲିବାକୁ ଆରମ୍ଭ କଲି । ଟୁନି ପଛୁଆ ପଡ଼ିଯାଇଥିଲା । କି ଏକ ଆବେଗରେ ପଛକୁ ଘୁଞ୍ଚିଆସି ମୁଁ ତା’ ହାତଧରି ପକେଇଲି । ଆଙ୍ଗୁଠିରେ ସେ ପ୍ରତ୍ୟାଖ୍ୟାନ କରୁଥିଲା । ପରେ ପରେ ମୋର ଆଙ୍ଗୁଠି ଓ ହାତକୁ ସେ ସ୍ୱୀକାର କରିନେଲା । ବରଂ ମୁଁ ଅନୁଭବ କଲି– ସେ ମୋ ପାପୁଲିକି ଗୋଟାସୁଦ୍ଧା ଜାବୁଡ଼ି ଧରିଛି । ପାଖକୁ ପାଖକୁ ମାଡ଼ି ମାଡ଼ି ଆସୁଥିଲା ଲହରୀମାଳା । ଧଳାଧଳା ଫେଣ ଦେଖେଇ । ହସି ହସି ଦୁହେଁ ଆମେ ମାଡ଼ି ମାଡ଼ି ଆସୁଥିବା ପାଣିରେ ପାଦରଖି ହାତ ଧରାଧରି ହୋଇ ପାଖକୁ ପାଖ ବସିଗଲୁ । ନୀରବ ଓ ନିଶ୍ଚଳ ହୋଇ । ଚାରିଆଡ଼ ଶୁନ୍‌ଶାନ୍‌ ମଝିରେ ମଝିରେ ରହି ରହି ଲାଇଟ୍‌ ହାଉସର ଆଲୁଅ ଟୁନିର ଲାଜ ସୁଡ଼ୁ ବୁଡ଼ୁ ମୁହଁଟିକି ଦେଖି ଦେଇ ପୁଣି ଛପି ଯାଉଥିଲା ।

 

କେତେ କ’ଣ ମୋର ଟୁନିକି ପଚାରିବାର ଥିଲା । କ’ଣ ବା ତାକୁ କହିବି ? ସିଏ ତ ପାଖରେ । ଲାଗି ଲାଗି ବସିଛି । ପାଖରେ ଥିଲେ ତ ଭାଷାର ପ୍ରୟୋଜନ ନାହିଁ । ପାଟିର ଭାଷା ମୋର ସେତେବେଳେ ଚାଲିରେ, ଆଖିରେ, ନିଃଶ୍ୱାସ ପ୍ରଶ୍ୱାସରେ ଚାରିପାଖରେ, ପବନରେ, ପାଣିରେ ଓ ଆକାଶରେ ।

 

ଆଖିରେ ମୋର ସେତେବେଳେ ଗାଢ଼ ନୀଳ ଭେଲ୍‌ଭେଟ୍‌ ରଙ୍ଗର ଆକାଶ ଓ ସମୁଦ୍ରର ଦିଗନ୍ତବ୍ୟାପୀ ନୀଳ ଜଳରାଶୀ । ଲାଇଟ୍‌ ହାଉସ୍‌ର ଆଲୁଅ ଲିଭୁ ନ ଲିଭୁ ଟୁନି ପାଖକୁ କରି ମୁଁ ଝୁଲି ପଡ଼ିଲି । ହାତ ଦି’ଟି ମୋର ଟୁନିର କାନ୍ଧ ଉପରେ । ସେ ବ୍ୟସ୍ତ ହେଉନି କି ଯିବାକୁ ତର ତର ହେଲାଭଳି ମତେ ଜଣା ପଡ଼ିଲାନି । ବରଂ ତା କାନ୍ଧ ଉପରେ ମୋ ହାତକୁ ସେ ସ୍ୱୀକାର କରି ନେଇଛି । ମୋର ଶତସହସ୍ର ପ୍ରଶ୍ନ ଯାହା ମୁଁ ଟୁନିକି ପଚାରିବି ପଚାରିବି ହେଉଥିଲି ଅଥଚ ପଚାରିପାରୁ ନଥିଲି, ତାର ସ୍ୱୀକାର ଭିତରେ ସେସବୁ ଅବା ଲୁଚି ରହିଥିଲା । ମୋର ପ୍ରଶ୍ନସବୁ । ଟୁନି କାନ୍ଧ ତଳକୁ ତଳକୁ ଅଙ୍କା ତା’ ଶରୀରର ସ୍ଥାପତ୍ୟ । ମୋର କେତେ କେତେ ଅକୁହା ପ୍ରଶ୍ନର ଉତ୍ତର ତା’ ଶରୀରର ବର୍ତ୍ତୁଳିତ ସ୍ଥାପତ୍ୟ ଭିତରେ ଖୋଜୁ ଖୋଜୁ ଟୁନି ହଠାତ୍‌ ଛିଡ଼ା ହୋଇ ପଡ଼ିଲା-। ମୋର ଇଚ୍ଛା ହେଉଥିଲା– ଟୁନି ମୋ ପାଖରେ ସେମିତି ବସି ରହିଥାଉ । କୁଆଡ଼େ ନଯାଉ । ମନେ ପଡ଼ିଲା– ବହୁତ ବେଳ ହୋଇଗଲାଣି । ଶୀଘ୍ର ଘରକୁ ଚାଲିଯିବି ।

 

ଠିକ୍‌ କଥା– ସେ ଚାଲିଯିବା ଦର୍କାର । ଅନେକ କଥା, ଅନେକ ପ୍ରଶ୍ନ ମୋର ବାକୀ ରହିଗଲା । ଟୁନିକି କିଛି ହେଲେ ପଚାରି ପାରିଲିନି ।

 

ବାଲି କୁଦି କୁଦି କିଛି ବାଟ ଗଲାପରେ ଆସୁଥିଲା ଗୋଟିଏ ରିକ୍‌ସା । ମୁଁ ରିକ୍‌ସାରେ ବସିବି ବୋଲି ଯାଉଥିଲି । ସେ ମନା କଲା ।

 

ମୁଁ ଧୀରେ ଧୀରେ ପାଦପକେଇ ଘର ଆଡ଼େ ଫେରିଲି ସେମିତି ଏକାକୀ ।

 

ମନେ ମନେ ସେତେବେଳେ କିନ୍ତୁ ମୁଁ ଏକାକୀ ନଥିଲି । ନିଶା ଛାଡ଼ିଯାଇଥିଲେ ବି ଆଖି ଯେମିତି କେତେବେଳଯାଏ ଘୁମନ୍ତ ଅବସ୍ତାରେ ରହିଥାଏ, ଟୁନି ସେମିତି ଚାଲିଥାଏ ଅବା ମୋର ସାଙ୍ଗେ ସାଙ୍ଗେ । ପାଦକୁ ପାଦ ମିଳେଇ । ଟୁନିକି ମୋର ଜୀବନର ସାଥୀ କରି ନେଇଥିଲି ମନେ ମନେ । ସେଇଦିନ ନୁହେଁ । ଅକସ୍ମାତ୍‌ ତା’ ସାଙ୍ଗେ ଦେଖା ହୋଇଗଲା ବୋଲି ମୁହୂର୍ତ୍ତକର ଅନୁଭୂତିରେ ମୁଁ ଯେ ତାକୁ ଜୀବନର ସାଥୀ କରି ନେଇଥିଲି ଏମିତି ନୁହେଁ ସେଇ କଥାଟି ମନଭିତରେ ମୋର କେତେଦିନ ଆଗରୁ ଲୁଚି ରହିଥିଲା । ବହୁତ ଆଗରୁ । ସୁରବାବୁଙ୍କ ଘରକୁ ଗଲାଦିନୁ । ଟୁନି ସାଙ୍ଗେ ଦେଖା ହେଲାଦିନୁ । ବିନି ସାଙ୍ଗେ କଥା ହେଲାବେଳେ ସେ ଯେତିକି ଯେତିକି ଚୁପ୍‌ ରହେ, ମୋର ପାଖ ମାଡ଼େନି । ତା’ ପଢ଼ାପଢ଼ିରେ ସିଏ ଥାଏ । ଘରେ ଅଛି ବୋଲି କେହି ହେଲେ ଜାଣିବେନି ସଦାବେଳେ ନୀରବ ଓ କରଛଡ଼ା, ଯାହାକିଛି କଥା ଯେତିକି କେବଳ ମୁଁ ଶୁଣିଥିଲି ବିନିଠାରୁ ଅବା ସୁରବାବୁଙ୍କଠାରୁ, ସେତିକି ସେତିକି ପ୍ରତିଜ୍ଞା ମୋର ଦୃଢ଼ୀଭୁତ ହେଉଥିଲା-। ସୁବିଧା ସୁଯୋଗ ଖୋଜୁଥିଲି– ସେ ବିଷୟଟା ଆଉ କାହା ଆଡ଼ୁ ଆଗ ଉତ୍‌ଥାପନ ହେଉ । ମୁଁ କହିବାଟା ଭଲ ନୁହେଁ । ନିଜ କଥା ନିଜେ କହିବା ଅନୁଚିତ । କହିଲେ ପରିଣତି ତାର ଭଲ ନୁହେଁ । ଘରକୁ ଫେରିଲାବେଳେ ମୁଁ ଭାବି ଭାବି ଆସୁଥିଲି– କେହି ଯେବେ ପ୍ରସଙ୍ଗଟା ନ ଉଠାନ୍ତି । ମୁଁ କହିବି । ବୋଉକୁ କହିବି । ମତେ ଆଗରେ ଖୋଲାଖୋଲି ପଚାରୁ । ତରତର କାହିଁକି-? ବେଳ ଆସୁ ।

 

ରାତିରେ ଖିଆପିଆ କରିବାକୁ ଇଚ୍ଛା ହେଲାନି । ହାତମାରି ଦେଇ ଉଠିଗଲି । ବୋଉ ବୋଧେ ଭାବିଲା– ମୁଁ ଆଉ କୁଆଡ଼ୁ ଖାଇକରି ଆସିଛି । ମତେ ସେ ବାଧ୍ୟ କଲାନି । ବିଦେଶକୁ ନବା ପାଇଁ କ’ଣ କ’ଣ ଜିନିଷ ଦରକାର, କେତେ ହବ କିଣିଲାଣି ଓ ଆଉ କେତେ ଜିନିଷ ବାକୀ ଅଛି, ଏଇସବୁ ସେ ଖାଲି ଗପି ଚାଲିଥାଏ । କଥାଗୁଡ଼ା ସେତେବେଳେ ଅବା ମୋର ଗୋଟେ କାନରେ ପଶି ଆର କାନରେ ବାହାରିଯାଉଛି । ବୋଉକୁ ହଁ ନାଇଁ କରି ମୁଁ ଜବାବ୍‌ ଦଉଥାଏ ସତ, କିନ୍ତୁ ମନ–ଭଅଁର ମୋର ଗୁଣୁ ଗୁଣୁ ହୋଇ ଘୁରି ବୁଲୁଥାଏ ସୁରବାବୁଙ୍କ ଘରେ ଟୁନି ପାଖେ । କ’ଣ ବୋଲି ସେ ମତେ ଭାବିଥିବ କେଜାଣି ? ମନେ ମନେ ନିଜକୁ ମୁଁ ସାନ୍ତ୍ୱନା ଦେଉଥାଏ– କେବେହେଲେ ସେ ମତେ ଖରାପ ଭାବିବନି । ଆଜି ତ ନୂଆ ନୁହେଁ । ପିଲାଦିନୁ ସେ ମତେ ଦେଖିଆସିଛି । ଭଲ ଭାବରେ ସେ ଜାଣିଥିବ ମୁଁ କେମିତି ଲୋକ । ଭଲ ନା ମନ୍ଦ ।

 

ଅନେକ ରାତିଯାଏ ଶେଯ ଉପରେ ପଡ଼ି ମୁଁ ଖାଲି ଛଟପଟ ହେଲି । ନିଦ ଲାଗିଲାନି । କେତେ କେତେ ଭାବନା– ଟୁନିକି କେନ୍ଦ୍ର କରି ମୋର ଭବିଷ୍ୟତ ଜୀବନ, ସୁରବାବୁଙ୍କ ସାଙ୍ଗକୁ ବିନି, ମାମୁଁ ମାଇଁଙ୍କ ସାଙ୍ଗକୁ ବାପାବୋଉ । ସାନଭଉଣୀ ରୀନାର ବିଭାଘର, ବିଦେଶରେ ମୋର ଚାକିରି ଆଦି କେତେ କେତେ ଆକାଶ ପାତାଳ ଭାବୁ ଭାବୁ କେତେବେଳେ ମତେ ନିଦ ଲାଗିଯାଇଛି ମୋର ମନେ ନାହିଁ । ସକାଳୁ ସକାଳୁ ଆଖି ମଳି ମଳି ଉଠିଲା ବେଳକୁ କେଡ଼େ ମଧୁର ସ୍ୱପ୍ନଟିଏ ମୁଁ ଭୁଲିଯିବାକୁ ବସିଥିଲି । ଶେଯରୁ ଉଠିପଡ଼ିଲେ କି ଆଖି ମେଲେଇ ଦେଲେ ସ୍ୱପ୍ନଟିକି ମୁଁ ଭୁଲିଯିବି ଏଇ ଆଶଙ୍କାରେ ଆଉଥରେ ଆଖିବୁଜି ପଡ଼ି ରହିଲି । ଆଖିବୁଜି ମନେ ପକାଉଥାଏ ମୋର ମଧୁର ସ୍ୱପ୍ନଟିକି–

 

ଚାରିଆଡ଼େ ଘନ ଜଙ୍ଗଲ । ସେମିତି କୌଣସି ଜାଗାକୁ ଯାଇଥିଲା ଭଳି ମୋର ମନେ ପଡ଼ୁନି । ଟୁନି ଆଉ ମୁଁ ହାତ ଧରାଧରି ହୋଇ, ଦଉଡ଼ିଧପଡ଼ି, ନାଚି ନାଚି ସେଇ ଜଙ୍ଗଲ ଦେଇ ଯାଉ ଯାଉ ପଡ଼ିଲା ଗୋଟିଏ ନଈ । ବିରାଟ ଏକ ନଈ । ଲହରୀ ପିଟି କୂଳ ଖାଉଥିଲା । ଟୁନି ଚାଲିଗଲା ନଈର ଆରପଟକୁ । ମୁଁ ଏପଟେ ଖୁବ୍‌ ବଡ଼ପାଟିରେ ତାକୁ ଡାକ ଛାଡ଼ିଥାଏ । ସିଏ ବି ନଈର ଆରକୂଳରେ ସେମିତି ଆସିବାକୁ ତରତର । ହାତ ହଲେଇ ଡାକଛାଡ଼ିଛି । ନଈର ଦି’ କୂଳରେ ଆମେ ଦି’ଜଣ । ଟୁନି ଆଉ ମୁଁ । ମଝିରେ ନଈ । ବଢ଼ି ଆସିଛି । ଦି’ କୂଳରୁ ଡକାହକା ଅମର ଚାଲିଛି । ଆଉ କେତେ କ’ଣ ମୁଁ ସ୍ୱପ୍ନରେ ଦେଖିଥିଲି । ଆଖି ବୁଜି ବୁଜି ମନେ ପକେଇବାକୁ ଚେଷ୍ଟା କଲି । ଅନେକ ବେଳଯାଏ ଶେଯରେ ପଡ଼ି ରହିଲି । ବେଶି କିଛି ଆଉ ମନେ ପଡ଼ିଲାନି । ଆଖି ଖୋଲିଲାବେଳକୁ ବୋଉ ତା’ କାମରେ ଲାଗିଗଲାଣି । ରୀନା ଶେଯ ଉଠଉଛି, ଘର ଓଳଉଛି-। ଦାନ୍ତଟା ଘଷିଦେଇ ବୋଉ ବୋଲି ଡାକଟେ ଛାଡ଼ିଲାମାତ୍ରେ ହାତରେ ଆସି ରହିଗଲା କପେ ହବ ଗରମ ଚା’ । ଏଇ ଚା’ କପ୍‌କ ପାଇଁ କାଲି ଯାଇ କୋଉଠି, କୋଉ ଦୋକାନରେ ଅପେକ୍ଷା କରିବାକୁ ପଡ଼ିବ । ରୀନା ବିସ୍କୁଟ ଇତ୍ୟାଦି ପ୍ଳେଟରେ ଆଣୁଥିଲା । ମୁଁ ମନାକଲି । ଅଗଣାରେ ପଡ଼ିଥିବା ଚଉକି ଖଣ୍ଡକରେ ବସିରହି ଚା’ କପ୍‌ରେ ଆସ୍ତେ ଆସ୍ତେ, ଓଠକୁ ଚାପି, ଜଗିରଖି ଚୁମୁକାଟିଏ ନେଲାବେଳକୁ ଦାଣ୍ଡଆଡ଼ୁ କାହାର ପାଟି ଶୁଭିଲା । ଆଉ କାହାର ତ ନୁହେଁ । ମାମୁଁଙ୍କର-। ସକାଳୁ ସକାଳୁ କାହାକୁ ପାଟି କଲେଣି ।

 

ଆମ ସାଇର ଜଣେ ଲୋକ । ନାଁ ତା’ର ବଟ ମହାନ୍ତି । ଲୋକଟାକୁ ପଚାଶ ପାଖାପାଖି ହେଲାଣି । ବାଳ ଅଧାଅଧି ପାଚିଲା । ଡେଙ୍ଗା ଶୁଠାଳିଆ ଲୋକଟିଏ । କଳା କିଟିକିଟି । କେନ୍ଦୁ କାଠପରି ବର୍ଣ୍ଣ । ଓଠ ଦି’ଫାଳ ତାର ଆହୁରି କଳା । ଶୁଣାଯାଏ ସେ କୁଆଡ଼େ ଅଫିମ ଖାଏ । ଗୁଲି ବି ଖାଏ । ସାଇ ମୁଣ୍ଡ ଚାନ୍ଦିନୀରେ ବେଳେ ବେଳେ ତାକୁ ମୁଁ ଦେଖିଛି । ଯେତେବେଳେ ସାତ ଆଠ ଜଣ ଲୋକ ସକାଳପହରୁ ଖରାବେଳଯାଏ ସେଠି ବସି ରହିଥାଆନ୍ତି । ପୁରା ଦମ୍‌ରେ ଚାଲିଥାଏ ଭାଙ୍ଗବଟା । ଢାଳେ ଢାଳେ ଗାଢ଼ ସବୁଜରଙ୍ଗର ଭାଙ୍ଗପାଣି ପିଇ ସେମାନେ ସିଧା ଚାଲନ୍ତି ମାଛହାଟ । ସକାଳେ ବଡ଼ମାଛ ସାଙ୍ଗକୁ ଗୁଆଘିଅ । ଉପରଓଳି ଛେନା ଆଉ ରାବିଡ଼ି । ସେମାନଙ୍କର ମତ୍ତ ହେଲା– ମଣିଷ ଜନ୍ମ ପାଇଛୁ ଭଲମନ୍ଦ ଖାଇବା ପାଇଁ । ବଞ୍ଚିଥିଲାଯାଏ ଯାହା କିଛି ମେଳାମଉଜ । ମରିଗଲେ କିଏ କାହାକୁ ଦେଖିବାକୁ ଆସୁଛି । ଭଲ ମନ୍ଦ ଖାଇ ଖାଇ ସେମାନେ ଜମିବାଡ଼ି, ତୋଟା ବଗିଚା ବିକୀ ସାରିଲେଣି । ଘରଦ୍ୱାର ବନ୍ଧା ପକେଇଛନ୍ତି । ଭାଙ୍ଗ ଖାଇବାକୁ ପଇସା ନଥିଲେ ସେମାନେ ସୁନା ଅଳଙ୍କାର କି କଂସାବାସନ ବନ୍ଧା ପକେଇ, ବିକୀଭାଙ୍ଗି ଗୁଜୁରାଣ ମେଣ୍ଟାନ୍ତି । ନିର୍ଭର କରନ୍ତି ଦେଉଳ ଉପରେ । ଜଗନ୍ନାଥ ଭରଷା । ସମୟ ଆସିଗଲେ ସେଇ ପୁଣି ଛପରଫାଡ଼ି ଘର ଭର୍ତ୍ତିକରି ଦେବେ । ଆମ ସାଇର ସେ ବଟ ମହାନ୍ତି ଭଲମନ୍ଦ ଖାଇ, ନିଶା ଖାଇ ଯାହାକିଛି ଥିଲା ସବୁ ଉଡ଼େଇ ଦେଇଛି । କାଳିଆ କଟ କଟ ଗୁଲିଖିଆ ଲୋକଟାର କେହି ଏବେ ନାହାନ୍ତି । ସ୍ତ୍ରୀ ତାର ଏବେ କାହା କାହା ଘରେ ପାଣିଦେଇ, କାମ ଦାମ କରି ଚଳୁଛି । ପୁଅ ଯୋଡ଼େ ଯାତ୍ରୀ ଗୁମାସ୍ତା କାମରେ ଅଛନ୍ତି । ଜଗନ୍ନାଥ ଦର୍ଶନ କରିବାକୁ ଦୂର ଦୂରାନ୍ତରରୁ ଯାତ୍ରୀମାନେ ଆସିଲେ ସେମାନଙ୍କୁ ଦେଉଳ ପୁଷ୍କରିଣୀ ଆଦି ଦେଖେଇ, ମହାପ୍ରସାଦ ଦେଇ ଯାହା କିଛି ସେମାନେ ରୋଜଗାର କରନ୍ତି, ସେତକ ତାଙ୍କର ଭାଙ୍ଗ ଖିଆକୁ ନିଅଣ୍ଟ । ଏବେ ବେଶି ଲୋକବାକ ଆଉ ଦିଅଁ ଦର୍ଶନ କରିବାକୁ ଆସୁନାହାନ୍ତି । ଏମାନଙ୍କର ରୋଜଗାରର ପନ୍ଥା ବୁଡ଼ିଗଲାଣି । ଯେକୌଣସି ପ୍ରକାରେ ଯୁଗ ଯୁଗର ଚଳି ଆସୁଥିବା ତାଙ୍କର ଭାଙ୍ଗଖିଆ ଓ ଭଲମନ୍ଦ ଖାଇବାଟାକୁ ବଜାୟ ରଖିବାକୁ ପଡ଼ିବ । ଲୋକଙ୍କୁ ଏବେ ଖାଇବାକୁ ମିଳିଲାନି । ଦିଅଁ ଦର୍ଶନ କରି ପଇସା ଦଉଛି କିଏ ? ଏମାନଙ୍କର ରୋଜଗାରର ପନ୍ଥା ଏବେ ବଦଳିଛି । ଗହମ ଚିନି ଚୋରା କାରବାର କରି ଲୋକଙ୍କୁ ଠକାଠକି କରି ଏମାନେ ଚଳନ୍ତି । ବଟ ମାହାନ୍ତିର କାମ ହେଲା– ସବୁଦିନ ସେ ସପ୍ଳାଇ ଅଫିସ ଦଉଡ଼େ । ସପ୍ଳାଇ ଅଫିସର ବାବୁମାନଙ୍କ ସାଙ୍ଗେ ତାର ଚିହ୍ନାପରିଚୟ । ବଟ ମହାନ୍ତିର କଳାବଜାର । ଶୁଣାଯାଏ ସେଇଥିରୁ ଦଶପନ୍ଦର ଟଙ୍କାଯାଏ ସବୁଦିନ ସେ ରୋଜଗାର କରେ ।

 

ମାମୁଁ ସକାଳୁ ସକାଳୁ ସେଇ ବଟ ମହାନ୍ତି ସାଙ୍ଗରେ ବଡ଼ପାଟିରେ କଥା ହେଉଥାଆନ୍ତି । ମାମୁଁ ସପ୍ଳାଇ ଅଫିସରେ କିରାନୀ । ବଟ ମହାନ୍ତି ତାଙ୍କ ପାଖକୁ ଅନେକଥର ଦଉଡ଼ିବାର ମୁଁ ଦେଖିଛି । କ’ଣ ତାଙ୍କ ଭିତରେ କଥାବାର୍ତ୍ତା ଚାଲିଥାଏ ମୁଁ ବୁଝି ପାରିଲିନି । ଏତକ କେବଳ ଶୁଣିଲି– ସେ ସୁରବାବୁଙ୍କୁ ବଟ ମହାନ୍ତିଙ୍କି ଦେଖେଇ ଅନେକ କଥା କହୁ ଥାଆନ୍ତି । ତାଙ୍କ ସମ୍ୱନ୍ଧରେ ବଡ଼ ଖରାପ ଭାଷା ପ୍ରୟୋଗ କରୁ ଥାଆନ୍ତି । ତାଙ୍କରି ଯୋଗୁଁ ଏ ଗରିବ ଲୋକଙ୍କର ପନ୍ଥା ଉଡ଼ିଯିବା ଉପରେ । ତାଙ୍କୁ ତ ହାତରୁ ଦେବାକୁ ପଡ଼ୁନି । ମିଛଟାରେ କାହିଁକି ତାଙ୍କର ମୁଣ୍ଡ ବଥଉଛି । ବାପାଙ୍କର ଜମିବାଡ଼ି ଅଛି, ଖାଇବାକୁ ଚିନ୍ତା ନାହିଁ ତାଙ୍କର ଏ ପ୍ରକାର ମନୋଭାବ କାହିଁକି ? ସିଏ କୁଆଡ଼େ ସବୁ କଳାବଜାରୀଙ୍କ ନାଁ ଠିକଣା ଆଦି ପୁଲିସିକି ଦେଇଛନ୍ତି । ସେମାନଙ୍କର ଘରସବୁ ଖାନତଲାସ ହେବ । ହେଲେ ଲୋକମାନଙ୍କୁ ଏଯାଏ ସେ ଚିହ୍ନିଲେନି । ପିଲା ମାଇପି ଧରି ସେ ଘର କରୁଛନ୍ତି । ସମସ୍ତେ ଯେବେ ଏକାଠି ହୋଇଯାଆନ୍ତି ସରିଲା ତାଙ୍କ କଥା । ସେମାନେ ଇଜ୍ଜତ ପଦାରେ ପକେଇ ଦେବେ । ସେ ବି ଜଣେ ଚାକିରିଆ । କିଏ ଆସି ତାଙ୍କର ପିଠିରେ ପଡ଼ିବ । ଲୋକମାନଙ୍କ ବିରୁଦ୍ଧରେ ନାଁ ଦେବାମାନେ ପ୍ରକାଶ୍ୟରେ ମାମୁଁଙ୍କ ବିରୁଦ୍ଧରେ ଯିବା । ମାମୁଁଙ୍କ ସାଙ୍ଗେ ସେ ଲୋକମାନଙ୍କର କାରବାର । ମତେ ଜଣାପଡ଼ିଲା– ମାମୁଁ ବଟ ମହାନ୍ତିଙ୍କି କେବଳ କହୁ ନ ଥାଆନ୍ତି । ମତେ ଶୁଣେଇ ଶୁଣେଇ ସୁରବାବୁଙ୍କ ବିରୁଦ୍ଧରେ ବିଷଉଦ୍‌ଗାରଣ କରୁଥାଆନ୍ତି ।

 

ମନେ ପଡ଼ିଲା– ସେଇ ଭଦ୍ରଲୋକଙ୍କ କଥା ଯାହାଙ୍କର ଚାଉଳ ଶଗଡ଼କୁ ଲୋକମାନେ ଘେରଉ କରିଥିଲେ ଓ ଉଚିତ ଦାମରେ ଚାଉଳକୁ ଲୋକମାନଙ୍କ ଭିତରେ ସେଦିନ ବିକି ଦିଆଯାଇଥିଲା । ସେମାନଙ୍କ ସାଙ୍ଗେ ମାମୁଁଙ୍କର କାରବାର । ନିଜର ବଡ଼ପଣିଆ ଦେଖେଇବା ପାଇଁ ମତେ ସେଦିନ ତାଙ୍କ ଘରକୁ ଡାକି ନେଇଥିଲେ ।

 

ମାମୁଁଙ୍କର କଥାବାର୍ତ୍ତା ଶୁଣି ମତେ ସକାଳୁ ସକାଳୁ ଭାରି ଖରାପ ଲାଗିଲା । ସୁରବାବୁଙ୍କ ସମ୍ୱନ୍ଧରେ କିଛି କହିବାର ଥିଲେ ସେ ତାଙ୍କ ଘର ପାଖରେ କି ବଟ ମହାନ୍ତି ଆଗରେ ଅନ୍ୟ କେଉଁ ସ୍ଥାନରେ ଯାଇ କହିଥାଆନ୍ତେ । ଆମ ଘର ଆଗରେ ଏସବୁ ପାଟି କାଇଁ ଲାଗିଛି ?

 

କିଛି ନକହି କେବଳ ମୁଁ ଶୁଣୁଥାଏ । ବଟ ମହାନ୍ତିଙ୍କି ବିଦାୟ ଦେଇ ମାମୁଁ ଘରେ ଆସି ପାଦ ଦେଲାମାତ୍ରେ ରୀନା ତାଙ୍କୁ ଚା’ କପେ ଧରେଇ ଦେଲା । ମୁଁ ଆଶ୍ଚର୍ଯ୍ୟ ହେଲି– ଘରେ ତାଙ୍କର ଠିକ୍‌ ଓଲଟା କଥାବାର୍ତ୍ତା । ବୋଉ ସାଙ୍ଗେ ସେ କଥା ହେଉଥାଆନ୍ତି । ଆସ୍ତେ ଆସ୍ତେ କିନ୍ତୁ ଶୁଣେଇଲା ଭଳି । ମୁଁ ଶୁଣିବାକୁ ପାଇଲି– ମାମୁଁ ଟୁନି ପ୍ରସଙ୍ଗରେ ବୋଉ ସାଙ୍ଗେ କଥା ହେଉଥାଆନ୍ତି । କହିଲେ–ପିଲାଟି ବେଶ୍‌ ଭଲ ପିଲା । ପୁଅ ସାଙ୍ଗକୁ ଠିକ୍‌ ହେବ । ମୋର ତାଙ୍କ ଘରକୁ ଯିବା ଆସିବା କଥା ସିଏ ବି କହିବାକୁ ଛାଡ଼ିଲେନି । କହିଲେ– ସେ ବିଷୟରେ ପୁଅକୁ ପଚାରିବା ଆଉ ଦରକାର ନାହିଁ । ଝିଅର ବାପା ବୁଢ଼ା ହେଲେଣି । ସୁରବାବୁ ତାଙ୍କର ମୁରବୀ । ବାପାଙ୍କୁ କହିଲେ ସେ ପ୍ରସଙ୍ଗ ପକେଇବେ । ସିଧା କହିଲେ ଭଲ । ଆଉ କାହା ଜରୀଆରେ ଖବର ଦେଲେ ବି ଉତ୍ତମ କଥା । ଶୀଘ୍ର ତାଙ୍କୁ ଖବର ଦେବା ଦରକାର ।

 

ମାମୁଁଙ୍କ କଥା ମତେ ମୋଟେ ହେଲେ ଭଲ ଲାଗୁ ନଥାଏ । କାହିଁକି ଯେ ସେ ଏମିତି ହଟଚମଟ କରୁଛନ୍ତି ମୁଁ ବୁଝିପାରୁ ନଥିଲି । ଭାବିଥିଲି– ତାଙ୍କୁ ସିଧାସଳଖ କହିଦେବି ବୋଲି । ଠିକ୍‌ କଲି– କାଲି ସକାଳୁ ତ ମୁଁ ଚାଲିଯିବି । କାହିଁକି ମିଛରେ ଗୋଟେ ପାଟିତୁଣ୍ଡ । ଗଲାଆଇଲାବେଳେ ଏସବୁ ଭଲ ନୁହେଁ ।

 

ସେଦିନ ଉପରଓଳି ଯାଇ ସୁରବାବୁଙ୍କ ଘରେ ବୁଲି ଆସିବି ବୋଲି ଭାବିଥିଲି । ସେମାନଙ୍କ ସାଙ୍ଗେ ଆଉ ଦେଖାହବନି । କହିଦେଇ ଆସିବି– ସେମାନେ ଚିଠିପତ୍ର ଦେବେ । ଆଉ କେତେବେଳେ ପୁରୀ ଆସିଲେ ଯାଇ ସେମାନଙ୍କ ସାଙ୍ଗେ ଦେଖା । ଖରା ରତରତବେଳେ ଫଗୁମିଶା ସୂର୍ଯ୍ୟ କିରଣରୁ କିଛିହବ ମୁହଁରେ ବୋଳି ମୁଁ ତାଙ୍କ ଘରକୁ ପଶିଗଲା ବେଳକୁ ସୁରବାବୁ ଦାଣ୍ଡ ଦୁଆରେ ଚଉକି ଖଣ୍ଡେ ପକାଇ ବସିଛନ୍ତି । ମୁଁ ଯିବାରୁ ସେ ସେତେ ଆଗ୍ରହ ପ୍ରକାଶ କଲେନି-। ବେଶି କିଛି ମତେ କହିଲେନି । ମୁଁ ଗଲାରୁ ଆଉ ଖଣ୍ଡେ ଚଉକି ଆଣି ପକେଇ ମତେ କହିଲେ ବସିବାକୁ । ପଚାରିଲେ କେତେବେଳେ ମୁଁ ଯିବି । କିନ୍ତୁ ମୁଁ ଅନୁଭବ କଲି ତାଙ୍କର ସେ କଥା କେମିତି ଖାପ୍‌ଛଡ଼ା ଜଣାପଡ଼ୁଛି । ଆଗ ଭଳି ତାଙ୍କ ମୁହଁରେ ହସ ନାହିଁ । ମୋ ମୁହଁକୁ ସିଧାସଳଖ ସେ ଚାହୁଁନାହାନ୍ତି । ଅନ୍ୟଦିନ ଭଳି ବେଶି କିଛି କଥାବାର୍ତ୍ତା କରୁନାହାନ୍ତି । ମୁଁ ଯାହା ପଚାରିଲେ ତା’ର ଉତ୍ତର କେବଳ ଦଉଥାଆନ୍ତି ।

 

ବିନି ଟୁନି କଥା ପଚାରିବି ବୋଲି ଭାବି ଭାବି କଥାଟା ମନ ଭିତରେ ଭିତରେ ମୋର ରହିଗଲା । ଘରେ ଗହଳ ଚହଳ ନାହିଁ । ପିଲାମାନଙ୍କର ପାଟିତୁଣ୍ଡ ନାହିଁ । ସବୁଆଡ଼ ଶୂନ୍‌ଶାନ୍‌ । ସୁରବାବୁଙ୍କ ସାଙ୍ଗେ ଅଳ୍ପବହୁତ କଥା ହେଲାବେଳେ ମୁଁ ଏପଟ ସେପଟ ଚାହିଁବାରୁ ସେ ବୋଧେ ମୋ ମନକଥା ଜାଣିପାରିଲେ । କହିଲେ– ସମସ୍ତେ ଆଜି ସକାଳୁ ଗାଁକୁ ଯାଇଛନ୍ତି । ଶଶୁର ବୁଢ଼ା ଡାକି ନେଇଛନ୍ତି । ଫେରିଲାବେଳକୁ କେତେଦିନ ଯିବ । ଗଲାବେଳେ ସେମାନେ ତୁମକୁ ଡକେଇପଠେଇବେ ବୋଲି କହୁଥିଲେ ସୁରବାବୁ ନିଜେ ଆସୁଥିଲେ । ଆସୁ ଆସୁ ତାଙ୍କର ମାମୁଁଙ୍କ ସାଙ୍ଗେ ଦେଖା ଓ ସକାଳୁ ସକାଳୁ ମିଛଟାରେ ଖାଲି ପାଟିତୁଣ୍ଡ । କିଛିହେଲେ ସେମିତି କାରଣ ଥାଆନ୍ତା ? ସୁରବାବୁ ବଡ଼ ଆସ୍ତେ ବହୁତ ମନ କଷ୍ଟରେ ଏକଥାଗୁଡ଼ା କହୁଥାଆନ୍ତି । ମୁହଁରେ ତାଙ୍କର ସବୁଦିନ ଭଳି ହରଷ ନାହିଁ । ମାମୁଁଙ୍କ ବ୍ୟବହାରରେ ସେ ଭାରି ଅସନ୍ତୁଷ୍ଟ । ମୋର ଅସନ୍ତୋଷ କଥା ମୁଁ ତାଙ୍କୁ କହିଲିନି । କିଛି ମନ୍ତବ୍ୟ ଦେଲିନି । ଚୁପ୍‌ ରହିଲି ।

 

ସୁରବାବୁଙ୍କର ଅଲଗା ବ୍ୟବହାର ଦେଖି ମନରେ ମୋର ପାପ ଛୁଉଁଥିଲା । ଟୁନି କ’ଣ ଆସି କହିଦେଲା କି ? ସନ୍ଧ୍ୟାବେଳେ ସେ ଏକେଲା କଲେଜରୁ ଫେରୁଥିଲା । ରିକ୍‌ସାରୁ ତାକୁ ସମୁଦ୍ର କୂଳକୁ ଡାକିନେଇ ମୁଁ ଭୁଲ କରିଛି ବୋଲି ଭାବିବାରେ ଲାଗିଲି– ସମୁଦ୍ର କୂଳରୁ ସେ ଫେରିଯିବା ପରେ, ମନେ ମନେ ମୁଁ ଅନୁଭବ କରୁଥାଏ । ମୋ ଜୀବନରେ ଏମିତି ଘଟଣା କେବେ ଘଟିନାହିଁ । କି ଏକ ଆବେଗରେ ମୁଁ ତାକୁ ଡାକି ନେଇଥିଲି । ସିଏ ବି ଥିଲା ମୋର ଏକ ମୁହୂର୍ତ୍ତକର ନିଷ୍ପତ୍ତି । ଟୁନି କାଳେ ଘରେ ଆସି କହି ଦେଇଥିବ ବୋଲି ମନରେ ମୋର ପାପ ଛୁଉଁଥିଲା । ସୁରବାବୁ ସେକଥା କିଛି କହିଲେ ନାହିଁ । ମାମୁଁଙ୍କ ବ୍ୟବହାରରେ ସେ ଅସନ୍ତୁଷ୍ଟ । ସେଥିପାଇଁ ତାଙ୍କର ସେଦିନ ଖାପ୍‌ଛଢ଼ା କଥାବାର୍ତ୍ତା । ତା’ଛଡ଼ା ବିନି ଜାଣିଥିଲା ଯେ ମୁଁ ଚାଲିଯିବି । ଗାଁକୁ ଯିବା ଆଗରୁ ସେ ନିଶ୍ଚେ ମତେ ଡକେଇ ପକେଇ ଥାଆନ୍ତା । ସେମାନେ ମଧ୍ୟ ତୁନିତାନି ହୋଇ ଗାଁକୁ ଚାଲିଯାଇଛନ୍ତି । ସୁରବାବୁ ବୋଧେ ମନା କରିଥିବେ । ମାମୁଁଙ୍କ ଉପରେ ମୋର ଘୃଣାଟା ସେତେବେଳେ ଦୃଢ଼ୀଭୂତ ହେବାରେ ଲାଗିଥିଲା । ତା’ସାଙ୍ଗେ ମୁଁ ଆଶ୍ୱସ୍ତ ହେଉଥାଏ– ଟୁନି ତା’ହେଲେ କିଛି କହିନି । କହିଦେଇଥିଲେ କାହା ଆଗରେ ମୁଁ ସିଧାହୋଇ ଛିଡ଼ାହୋଇ ପାରି ନଥାଆନ୍ତି । ଅଳ୍ପ କଥାବାର୍ତ୍ତା କରି କାଲି ସକାଳୁ ଯାଉଛି ବୋଲି ସୁରବାବୁଙ୍କୁ କହିଲି ଓ ନମସ୍କାର କରି ସେଦିନ ସନ୍ଧ୍ୟାବେଳେ ତାଙ୍କଠୁ ବିଦାୟ ହୋଇଆସିଲି ।

 

ମାମୁଁ ମାଇଁ ସେଦିନ ସନ୍ଧ୍ୟାବେଳେ ଆମ ଘରକୁ ବୁଲି ଆସିଲେ । ତାଙ୍କ ସାଙ୍ଗେ ମୁଁ କଥା ହେଲିନି । କାଳେ ପାଟିରୁ କ’ଣ ବାହାରିପଡ଼ିବ ଏଇ ଭୟରେ ବାହାରକୁ ବୁଲି ଆସିଲି । ସେମାନେ ଚାଲିଗଲା ପରେ ଘରକୁ ଯାଇ ଆସିବି । ସେଦିନ ସନ୍ଧ୍ୟାବେଳଟା ବଜାରରେ ଅନେକଙ୍କ ଭାବରେ ଯାଇ ଘରକୁ ଘୁରିବୁଲିଲି । କିଛି ଗୋଟିଏ କାମ ନେଇ କୁଆଡ଼େ ଯାଇଥିଲେ ଖରାପ ଲାଗନ୍ତାନି । ଲକ୍ଷ୍ୟହୀନ ଭାବରେ ଏଣେତେଣେ ଘୂରିବୁଲିବା ବଡ଼ କଷ୍ଟକର । ମନରେ ପୁଣି ମୋର ବୋଝେ ହେବ ଅସନ୍ତୋଷ, ସେମାନଙ୍କ ଉପରେ ତୀବ୍ର ଘୃଣା, ମୋର ଅନିଶ୍ଚିତ ଭବିଷ୍ୟତ, ସୁରବାବୁଙ୍କର ପରିବର୍ତ୍ତିତ ବ୍ୟବହାର ଆଦି ମିଳିମିଶି ମୁଣ୍ଡଟା ମୋର କେମିତି ଗୋଳମାଳିଆ ହୋଇଯାଇଥିଲା । ବଜାରରୁ ଦି’ତିନିଥର ଘୂରି ଘୂରି ଦାଣ୍ଡଦୁଆରୁ ମାମୁଁଙ୍କ ପାଟି ଶୁଣି ବଜାରକୁ ପୁଣି ଫେରୁଥିଲି । ସନ୍ଧ୍ୟାବେଳଟା ମୋର ଅକାରଣରେ ସେଦିନ କଟିଗଲା ।

 

ଘରେ ପାଦ ଦେଇଛି କି ନାହିଁ ବୋଉ କହିଲା– କୁଆଡ଼େ ଯାଇ ଇଆଡ଼େ ସିଆଡ଼େ ତୁ ବୁଲୁଛୁ, ମାମୁଁ ବସି ବସି ବଡ଼ ବିରକ୍ତ ହୋଇ ଫେରିଗଲେ । ବଜାରରେ ବୁଲି ବୁଲି ସେତେବେଳେ ମତେ ବଡ଼ ଖରାପ ଲାଗୁଥିଲା । ବୋଉ କଥା ଶୁଣି ମୁଣ୍ଡକୁ ମୋର ରାଗ ଚହଟି ଗଲା । କହିଲି– କ’ଣ ତାଙ୍କର କାମ ଥିଲା ।

 

ମୋ ପାଖେ କାମ ? ମୁଁ ପଚାରିଲି–

 

ସୁରବାବୁଙ୍କ କଥା କ’ଣ ପଚାରିଥାଆନ୍ତେ ।

 

ଆଲଣା ଉପରକୁ ପ୍ୟାଣ୍ଟ୍‌ ସାର୍ଟ ଯୋଡ଼ାକ ରାଗରେ ଫିଙ୍ଗି ଦେଇ ମୁଁ କହିଲି– ମୋ ସାଙ୍ଗରେ ତାଙ୍କର କି କଥାବାର୍ତ୍ତା ? ଯାହା ସାଙ୍ଗେ କଥା ହେବେ ସେଠିକି ଯାଉ ନାହାନ୍ତି । କିଛି କାମଦାମ ନାହିଁ କି ଭଲ ମନ୍ଦ ନାହିଁ, ଗୁଡ଼େ ବାଜେ କଥା, ଇଆ କଥା ତା’ଆଗରେ ଓ ତା’କଥା ଇଆ ଆଗରେ କହି ବୁଲୁଛନ୍ତି । କାହିଁକି ସେ ଏମିତି ପାଲା ଲଗାଇଛନ୍ତି । ବଡ଼ ବିରକ୍ତ ଲାଗୁଥିଲା । ଅଗଣାରେ ପଡ଼ିଥିବା ଖାଲି ଚଉକିଟାରେ ଖୋଲା ଦିହରେ ବସିଗଲି ।

 

ବୋଉ କ’ଣ କହି ଆସୁଥିଲା କଥାତକ ତାର ଗିଳିପକେଇଲା । ମୋ ପାଖକୁ ଆସି ଲେଉଟିଗଲା ।

 

ବାପା ଘର ଭିତରେ ଥାଇ ମୋ’କଥା ବୋଧେ ଶୁଣିଥିଲେ । ବୋଉକୁ ବଡ଼ ପାଟିରେ ଗାଳିଦେଲେ । କାଲି ସକାଳୁ ସେ ଘରୁକୁ ଯିବ । ସବୁ ଚର୍ଚ୍ଚା ଖାଲି ପଡ଼ିଛି । ମତେ ସେ କିଛି କହିଲେନି । ନିଜ ଶୋଇଲା ଘରକୁ ଯାଇ ରୀନାକୁ ଡାକ ଛାଡ଼ିଲେ । ଖାଇସାରି ମୁଁ ହାଲିଆ ହୋଇ ଶୋଇଗଲି । ନିଦ ଲାଗିବା ଆଗରୁ ଝରକା ଦେଇ ଦେଖୁଥାଏ– ବୋଉ ଓ ରୀନା ବେଡ଼ିଂପତ୍ର ବନ୍ଧାବନ୍ଧିରେ ବ୍ୟସ୍ତ ଅଛନ୍ତି । ଟ୍ରଙ୍କ ସୁଟ୍‌କେଶରେ ମୋର ଆବଶ୍ୟକୀୟ ଜିନିଷ ସବୁ ସଜେଇ ସାରିଲେଣି । ସକାଳୁ ସକାଳୁ ମୁଁ ବସ୍‌ ଧରି ପୁରୀ ଛାଡ଼ିଲି ।

 

ଛୁଟି ସାରି ଭୁବନେଶ୍ୱର ଅଫିସ୍‌ରେ ଯୋଗ ଦେଇ ସାରିଲା ପରେ ମତେ ଗୋଟିଏ ଟୁର୍‌ ପ୍ରୋଗ୍ରାମ୍‌ ଧରେଇ ଦିଆଗଲା । ସେଇ ଦିନଟା କେବଳ ଭୁବନେଶ୍ୱରରେ ରହିଲି । ଆରଦିନ ସକାଳୁ କଟକରେ ପନ୍ଦର ଦିନ । କଟକ ପରେ ସମ୍ୱଲପୁର । ସେଠି ପନ୍ଦର ଦିନ ରହି ବ୍ରହ୍ମପୁରରେ ପନ୍ଦର ଦିନ । ଦେଢ଼ମାସ ପରେ ମୁଁ ଫେରି ଆସିଲି ଭୁବନେଶ୍ୱର । ଚାକିରି ଆରମ୍ଭ କରୁ କରୁ ଟୁର୍‌ ଟୁର୍‌ ଠିକ୍‌ ନୁହେଁ । ସେ ହେଲା ଟ୍ରେନିଂ ସମୟ । ସେ ଚାକିରିରେ ସମୟ ମୋଟେ ହେଲେ ନାହିଁ କହିଲେ ଚଳେ । ଅନ୍ୟମାନଙ୍କ ଭଳି ସାଢ଼େ ଦଶ୍‌ରୁ ସାଢ଼େ ଚାରି ଆମର ଅଫିସ୍‌ ନୁହେଁ । ସକାଳ ଆଠରୁ ଅଫିସ୍‌ ଯିବାକୁ ପଡ଼େ । ଗୋଟେ ସାଢ଼େ ଗୋଟେ ବେଳେ ଲଞ୍ଚ । ତିନିଟାରୁ ପୁଣି ଅଫିସ୍‌ ଆରମ୍ଭ ସାତଟା ଯାଏ । ରବିବାର ଓ ଛୁଟି ଦିନମାନଙ୍କରେ ବି କାମ ବନ୍ଦ ନଥାଏ । ଅଫିସ୍‌ କାମ ଭିତରେ ଥରେ ପଶିଗଲେ ସେଥିରୁ ବାହାରି ପାରିବା ବଡ଼ କଷ୍ଟ । ବେଳେ ବେଳେ ମୋର ଇଚ୍ଛା ହୁଏ– ଯାଇ ପୁରୀ ବୁଲି ଆସିବି । ଯିବାକୁ ଦି’ଘଣ୍ଟା ଆସିବାକୁ ଦି’ଘଣ୍ଟା । କେତେ ଅବା ଖର୍ଚ୍ଚ ହେବ-? ଖର୍ଚ୍ଚ ପାଇଁ ଯାଏ ଆସେ ନାହିଁ । ଘରେ ଯାଇ ବୁଲି ଆସନ୍ତି । ଆସିଲାବେଳେ ବିନି, ଟୁନିଙ୍କ ସାଙ୍ଗେ ଦେଖା ହୋଇପାରିଲାନି । ଦେଢ଼ମାସ ଟୁର୍‌ ସାରି ଦେଇ ଭୁବନେଶ୍ୱର ଅଫିସ୍‌ରେ ରହିଲା ପରେ ସବୁଦିନ ପ୍ରାୟ ଏଇ କଥା ମୁଁ ଭାବେ । କିନ୍ତୁ ସମୟ ମିଳୁଛି କାହିଁ ? ନିଃଶ୍ୱାସ ମାରିବାକୁ ବି ସମୟ ବି ନାହିଁ ।

 

ଅଫିସ୍‌ରୁ ଫେରି ରାତିରେ ବି ପୁରୀକି ବସ୍‌ ଅଛି । ରାତିରେ ଯାଇ ସକାଳୁ ସକାଳୁ ଆସି ହବ । କାହାକୁ କହିବା ଦରକାର ନାହିଁକି ଅଫିସ୍‌ରେ କାହାକୁ ଜଣେଇବା ଦରକାର ନାହିଁ । କାହାକୁ ନ ଜଣେଇ ବାହାରକୁ ଯିବାକୁ ମତେ ଭଲ ଲାଗେନି । ପୁଣି ଚାକିରିଟା ଆରମ୍ଭ କରୁ କରୁ । ଆମ ଅଫିସ୍‌ରେ ତିନି ଚାରିଜଣ ଲୋକ ଥାଆନ୍ତି ସେଥିରୁ ଦି’ଜଣ ସବୁଦିନ ପୁରୀ ଯା’ ଆସ କରନ୍ତି । ଆଉ ଦି’ଜଣ ସପ୍ତାହରେ ଥରେ ଦି’ଥର । କେତେଥର ସେମାନେ ମତେ ଲଗେଇଲେଣି ଯିବାକୁ । ସେମାନଙ୍କ କାମରେ ଦାୟିତ୍ୱ ନାହିଁ । ମତେ କିନ୍ତୁ ବେଳେ ବେଳେ ରାତିରେ ମଧ୍ୟ ଡକରା ଆସେ । ଜରୁରୀ କାମ ପଡ଼ିଲେ । ବସାରେ ନ ଥିଲେ ଅସୁବିଧା । କିଏ କାହିଁକି ବିନା କାରଣରେ ମୋ ଉପରେ ଖରାପ ଧାରଣା କରିବ ? ତେଣୁ ମୁଁ ଠିକ୍‌ କରିଥିଲି– ଯେତେବେଳେ ଘରକୁ ଯିବି, ଅଫିସ୍‌ରେ କହିକରି ଯିବି । ଲୁଚା ଛପାରେ ଯିବାଟା ଭଲ ନୁହେଁ ।

 

ଅଫିସ୍‌ରେ ଜଣେ ଭଦ୍ରଲୋକ । ନାଁ ତାଙ୍କର ଭଗବାନବାବୁ । ଆମ ସମସ୍ତଙ୍କର କାଗଜପତ୍ର ସେ ତଦାରଖ କରନ୍ତି । ତିନି, ଚାରିବର୍ଷ ହେଲା ଅଫିସର ହୋଇଛନ୍ତି । ହଜାରେ ଉପରେ ଦରମା ପାଆନ୍ତି । ମୋଟାମୋଟି, ଗେଡ଼ା, ପୃଥୁଳକାୟ । ବେଶ୍‌ ଭଦ୍ର । ତାଙ୍କ ପାଖରେ ଛୋଟ ବଡ଼ର ପ୍ରଭେଦ ନାହିଁ । ଘରେ, ବାହାରେ କି ଅଫିସରେ ଯାହାର ଯେତେବେଳେ କିଛି ନା କିଛି ଅସୁବିଧା ହେଲା, କଥାଟା ଖାଲି ଭଗବାନବାବୁଙ୍କ କାନକୁ ଆସିବା ଦରକାର । ସେ ଯଥାସାଧ୍ୟ ଚେଷ୍ଟା କରନ୍ତି– ଲୋକଙ୍କୁ ସାହାଯ୍ୟ କରିବା ପାଇଁ । ସେଥିପାଇଁ ସବୁ ମହଲରେ ସେ ଜଣାଶୁଣା । ନିଜ ହାତରୁ ସେ ଯେ କାହାକୁ ପଇସାପତ୍ର ବାଣ୍ଟିଦିଅନ୍ତି ଏମିତି ନୁହେଁ । ସମୟ ଅସମୟରେ ସାହାଯ୍ୟ କରିଥିଲେ ଲୋକେ କୃତ୍ୟ କୃତ୍ୟ ହୋଇ ତାଙ୍କୁ ପୁଣି ଫେରେଇ ଦେଇ ଯାଆନ୍ତି । କାହାଘରେ ବେମାର ହୋଇଥିଲେ କି କାହାର ବିପଦ ପଡ଼ିଥିଲେ ଭଗବାନବାବୁ କୁଆଡ଼ୁ ଶୁଣିବାକୁ ପାଇ ତାଙ୍କ ଘରେ ଯାଇ ହାଜର । ଲୋକ ଅସୁବିଧା ଭୋଗ କରୁଥିଲେ ଅଫିସରେ କାମ କରିବ କେମିତି ? ତାକୁ ସାହାଯ୍ୟ କରୁଥିଲେ ସେ ଆଠଘଣ୍ଟା ବଦଳରେ ଦଶଘଣ୍ଟା ଖଟିବାକୁ ବି ପଛେଇବେନି । ଏଇସବୁ କାରଣ ଯୋଗୁ ସେ ଅଫିସଟି ଖୁବ୍‌ ଭଲ ଭାବରେ ଚଳେ । କେବଳ ଭଗବାନବାବୁଙ୍କ ଯୋଗୁ । ତାଙ୍କ ଉପରେ ଡାଇରେକ୍ଟର ଅଛନ୍ତି । ସେ ମାଇ ନୁହଁନ୍ତି କି ଗାଈ ନୁହଁନ୍ତି-। ଅଫିସର କେତେ କେତେ ଲୋକଙ୍କୁ ସେ ଚିହ୍ନି ନଥିବେ । ସବୁ ଦାୟିତ୍ୱ ଭଗବାନବାବୁଙ୍କ ଉପରେ-। ଅଫିସ ଲୋକଙ୍କର ଯାବତୀୟ ଗୁହାରୀ ଓ ଭଲମନ୍ଦ ଆଦି ଭଗବାନବାବୁ ସବୁ ବୁଝନ୍ତି । ସକାଳ ଆଠରୁ ଆସି କେବଳ ଘଣ୍ଟାକ ପାଇଁ ସେ ଲଞ୍ଚ ଖାଇବାକୁ ଯାଆନ୍ତି । କୋଉଦିନ ଦଶଟା ରାତି ଆଗରୁ ସେ ଘରକୁ ଫେରି ନାହାନ୍ତି ।

 

ଚାକିରିରେ ଯୋଗଦେଲା ଦିନୁ ଭଗବାନବାବୁଙ୍କର ମୋ ଉପରେ ବଡ଼ ଭଲ ନଜର । ଅନ୍ୟମାନଙ୍କଠୁ ମୁଁ ଶୁଣିଛି– କାମ ଉପରେ ଅଳ୍ପଦିନ ଭିତରେ ମୋର ଦଖଲ ଆସିଯାଇଛି । କାମଟି ମୋର ସଫାସୁତୁରା । ଗୋଳମାଳ ନାହିଁ । ବେଶି ତାଙ୍କୁ ତଦାରଖ କରିବାକୁ ପଡ଼େନି । ମୋର ଲେଖା ଦେଖିଲେ ସେ ଆଖିବୁଜି ଦସ୍ତଖତ ମାରନ୍ତି । ପଚାରିବା କିଛି ଦରକାର ନାହିଁ । ଅନ୍ୟମାନଙ୍କୁ ଦିନକେ ଆଠ ଦଶଥର ସେ ତାଙ୍କ ରୁମ୍‌କୁ ଡକେଇ ପଠାନ୍ତି । ମତେ ଡକାନ୍ତି ଅତି ବେଶି ହେଲେ ଥରେ କିମ୍ୱା ଦି’ଥର । ମତେ ଡକେଇ ପଠେଇଲେ କାମ କଥା ଅପେକ୍ଷା ବେଶି ପଚାରନ୍ତି ମୋ ନିଜକଥା । ଯେତେଥର ତାଙ୍କ ପାଖକୁଯାଏ ସେତେଥର ସେ ଚା’ ମଗାନ୍ତି । ବେଶି ପଚାରନ୍ତି ମୋର ସୁବିଧା ଅସୁବିଧା କଥା । ଘରେ ଆମର କିଏ କିଏ ଅଛନ୍ତି, ବାପାଙ୍କ ବିଷୟରେ, ପୁରୀରେ ଆମର ଘର କୋଉଠି, ଏମିତି ଅନେକ ଅନେକ ପ୍ରଶ୍ନ । କେତେଥର ମତେ ଅଫିସରୁ ସେ ଘରକୁ ତାଙ୍କର ଡାକି ନିଅନ୍ତି । ହୋଟେଲରେ ନ ଖାଇ ତାଙ୍କ କ୍ୱାଟରରେ ଦିନେ ଦିନେ ମତେ ରାତ୍ରୀଭୋଜନ କରିବାକୁ ପଡ଼େ । ବଡ଼ ଅଫିସର ବୋଲି ତାଙ୍କର ଗର୍ବ ନାହିଁ । କହନ୍ତି– ଅଫିସରେ ଯାହାକିଛି ପ୍ରଭେଦ ବା ବଡ଼ସାନର ହିସାବ । ଘରକୁ ଆସିଗଲେ କି ବାହାରେ ବଡ଼ସାନର ପ୍ରଭେଦ ନଥାଏ । ସମସ୍ତେ ଗୋଟିଏ ଶ୍ରେଣୀର ଅନ୍ତର୍ଭୁକ୍ତ । ଚାକିରିଆ । ବଡ଼ସାନର ଭେଦାଭେଦ କେବଳ ଅଫିସରେ କେଇବର୍ଷର ଅନୁଭୂତି ନେଇ । ଭଗବାନବାବୁଙ୍କ ଭଳି ତାଙ୍କର ସ୍ତ୍ରୀ ମଧ୍ୟ ଅତି ସୁନ୍ଦର ଲୋକ । ସଦାବଳେ ହସ ହସ ଓ ମେଳାପି । ତିନିତିନିଟା ଛୁଆର ମା’ ହେଲେଣି । ଚାକରବାକରଟିଏ ଘରେ ରଖି ନାହାନ୍ତି । ଅଫିସରୁ ଗୋଟିଏ ପିଅନ ଆସି ବଜାର ସଉଦା କରି ଦେଇଯାଏ । ଭଗବାନବାବୁ ଅନେକଥର ଲଗେଇଲେଣି– ପିଲାପିଲି କେହି ନଥିଲେ ସେତେବେଳେ ଚଳିଯାଉଥିଲେ, ଘରେ ଲୋକସଂଖ୍ୟା ବଢ଼ିଲେ କାମ ବଢ଼ିଯାଏ । ବିଶେଷତଃ ଛୋଟ ଛୋଟ ପିଲାଙ୍କ ପାଇଁ ଜଣେ ଲୋକ ଦରକାର । ଘରକାମ ଓ ପିଲାଙ୍କ କାମ ଏକାଠି କରିପାରିବା ମୁସ୍‌କିଲ । ପିଲାମାନେ ବଡ଼ ହୋଇସାରିଲା ପରେ ଯାଇ ନିଃଶ୍ୱାସ ମାରିବାକୁ ସମୟ ମିଳିବ । ସେତେବେଳକୁ ବୟସ ଗଡ଼ିଯାଇଥିବ । ଜୀବନ ଆରମ୍ଭ କଲାବେଳେ ମଣିଷର ସଜଫୁଟା ମନ, ପିଲାମାନଙ୍କର ଜଞ୍ଜାଳରେ ଘାରିହୋଇ ଭିନ୍ନ ଆକାର ଧାରଣ କରେ । ସେଥିରେ ଆବେଗ ନଥାଏ, ନଥାଏ ଚଞ୍ଚଳତା କି ଭିନ୍ନ ଭିନ୍ନ ରୂପରେ ଜୀବନର ସ୍ୱାଦ ଅନୁଭବ କରିବା । ଭଗବାନବାବୁ କହନ୍ତି ଯେତେଦିନ ପାରିବା ସେଟାକୁ ବଜାୟ ରଖିବା । ତାଙ୍କର ସ୍ତ୍ରୀ କିନ୍ତୁ ନଛୋଡ଼ବନ୍ଧା । କାହାକୁ ହେଲେ ସେ ଯାଏ ଘରେ ରଖେଇ ଦେଇ ନଥିଲେ । ତାଙ୍କ ମତ୍ତରେ– ବାହାର ଲୋକ ଘରେ ଆସି ରହିଲେ ଘରର ଘୋଡ଼୍‌ ରହିବନି । ଯୋଉ ଲୋକଟିକି ବିଶ୍ୱାସ ପାଇଁ ଘରେ ରଖାଯାଏ ସେଇଲୋକ ପଦାରେ ଯାଇ ଘରର ଇଜ୍ଜତ ବିକ୍ରୀ କରେ । ତାଙ୍କ ଘରକୁ ଯେତେଥର ମୁଁ ଆସିଛି, ଦେଖିଛି– ସ୍ତ୍ରୀ ତାଙ୍କର ପିଲାଟିଏ କାଖରେ ଯାକି ଥିବେ । ଆର ଦି’ଟାଙ୍କୁ କୁହାବୋଲା କରି ସାନ୍ତ୍ୱନା ଦଉଥିବେ, କୁଣ୍ଢେଇ ଧରେଇ ଦେଇଥିବେ କି ଆଗରେ ତାଙ୍କର ଖାଇବା ଜିନିଷ ରଖି ଦେଇଥିବେ, ହଇରାଣ ହରକତ ହେଉଥିବେ, ସଦାବେଳେ ଖାଲି ନସରପସର ଘର ଗୋଟାକର କାମ, ବାହାର ଲୋକ ପୁଣି ଅଛନ୍ତି ତାଙ୍କ ପାଇଁ ଚା’ ଜଳଖିଆ, ସବୁଠୁ ବଡ଼କାମ ହେଲା କଂସାବାସନ ମଜା ଓ ପିଲାଙ୍କୁ ଖୁଆଇପିଆଇ ଠିକ୍‌ ସମୟରେ ସ୍କୁଲ ଛାଡ଼ିବା । ଯେତେ ଅସୁବିଧା ହେଲେ ବି ସେଇ ତାଙ୍କର ଜୀଦ୍‌ । ବେମାର ପଡ଼ିଲେ ଅଲଗା କଥା । ଗୋଡ଼ହାତ ଚଳୁଥିଲା ପର୍ଯ୍ୟନ୍ତ ସେ ଆଉ କାହାକୁ ଘରେ ରଖେଇ ଦେବେନି । ଅଫିସ ପିଅନ ବଜାର ସଉଦା କରି ଯାଉଛି । ଯାହା ବୋଲହାକ ବି କରିଦିଏ । ଅଧିକା ଲୋକର ଆଉ ଦରକାର କ’ଣ ?

 

ଭଗବାନ ବାବୁଙ୍କ ଘରକୁ ଦି’ ତିନି ଥର ଯାଇଥିଲି– କେବଳ ଜାଣିଥିଲି ତାଙ୍କର ପିଲା ତିନୋଟି । ଘରେ ଆଉ କାହାକୁ ଦେଖିନି କି କାହାର ପାଟିତୁଣ୍ଡ ଶୁଣିନି । ଥରେ ବେଶି ରାତି ହୋଇଯାଇଥିଲା । ସେଦିନ ଅଫିସରେ ଡାଇରେକ୍ଟର ବି ଥିଲେ । ଅଫିସର ଅନ୍ୟମାନଙ୍କୁ ଯେତେ କହିଲେ ବି ସେମାନେ ରହିଲେନି । କେବଳ ମୁଁ, ଭଗବାନବାବୁ ଓ ଡାଇରେକ୍ଟର । ସେଦିନ କାମ ସାରୁ ସାରୁ ରାତି ଆସି ଦଶ ବାଜିଲା । ଭଗବାନବାବୁ ଓ ମୁଁ ସାଙ୍ଗ ହୋଇ ଆସିଲୁ । ଡାଇରେକ୍ଟର ଚାଲିଗଲେ ତାଙ୍କ କାର୍‌ରେ । ଭଗବାନବାବୁ ସେଦିନ ଆଉ ମତେ ହୋଟେଲକୁ ଛାଡ଼ିଲେନି । କହିଲେ ଘରେ ଖାଇଦବା । ମୁଁ କ୍ୱାଟରରୁ ଧୂଆଧୋଇ ହୋଇ ଯେତେବେଳେ ତାଙ୍କ ଘରେ ଆସି ପାଦ ଦିଏ, ଦେଖିଲି– ଆଉ ଗୋଟିଏ ଝିଅପିଲା କ୍ୱାଟର ବାରଣ୍ଡାରେ ବସିରହିଛି । ମୁଁ ଫାଟକ ମେଲେଇ ଘର ଭିତରେ ପ୍ରବେଶ କଲାବେଳକୁ ସିଏ ଯାଇ ଭିତରେ । ସାଙ୍ଗେ ସାଙ୍ଗେ ଆସି ଗଲେ ଭଗବାନବାବୁ । ସେଦିନ ମୁଁ ପଚାରିଲି– ସେ ଝିଅଟି କିଏ ସେ ? କେବେହେଲେ ତ ମୁଁ ଦେଖିନି ? ଭଗବାନ ବାବୁ ଡାକ ଛାଡ଼ିଲେ । ମତେ ଆସି ସେ ନମସ୍କାର ହେଲା । ସେଦିନ ଜାଣିଲି ନାଁ ତାର ଚାରୁ । ଭଗବାନବାବୁଙ୍କ ସାନଭଉଣୀ ।

 

ସେଇ ଚାରୁ ସାତ ଆଠବର୍ଷ ହେଲା ମତେ ଗୁଡ଼େଇ ତୁଡ଼େଇ ଧରିଛି । କାଲିକା ଘଟଣା ଭଳି ଜଣାପଡ଼ୁଛି । ବର୍ଷେ ଅନ୍ତରରେ ତିନୋଟି ଛୁଆ । ଚାରୁ ବିଷୟ ମୋର କଳ୍ପନାର ବାହାରେ ଥିଲା । ଭଗବାନବାବୁ ସେତେବେଳେ ତାଙ୍କ ଭଉଣୀ ପାଇଁ ଅନ୍ୟଆଡ଼େ ବୁଝାସୁଝା କରୁଥିଲେ । ମୋ ବିଷୟରେ କିନ୍ତୁ ଭାବି ନଥିଲେ । କେଜାଣି ତାଙ୍କ ମନ ଭିତରେ କେତେବେଳେ କ’ଣ ଭାବନା ଆସିଥିବ ମୁଁ କହି ପାରିବିନି । ତାଙ୍କ ସ୍ତ୍ରୀ ହୁଏତ ତାଙ୍କୁ କହିଥିବେ । କିନ୍ତୁ ମୁଁ ଚାକିରି କରିବା ଆରମ୍ଭରୁ ସେ ଯେ ମତେ ଏଇଥିପାଇଁ ଭଲପାଉଥିଲେ ବା ମୋ ଉପରେ ଭଲ ନଜର ରଖିଥିଲେ, ଏକଥା କହିଲେ ଭୁଲ ହେବ । ସେସବୁ ହେଲା ଭାଗ୍ୟର ଖେଳ । ନଖୋଜିଲାବେଳେ କିଏ ଆପେ ଆପେ ଆସି ଜୂଟିଯାଏ । କାହାକୁ ଖୋଜି ଖୋଜି ଜୀବନସାରା ବିତିଗଲେ ବି ତା’ର ଦେଖାମିଳେନି-

 

ସେଦିନ ଭଗବାନବାବୁଙ୍କ ଘରୁ ଖାଇ ସାରି ଫେରୁ ଫେରୁ ଏଗାରଟା ରାତି । ଯେତେଥର ତାଙ୍କ ଘରକୁ ଯାଇଛି ଭଗବାନବାବୁଙ୍କ ସ୍ତ୍ରୀ ମୋ ସାଙ୍ଗେ ସିଧାସଳଖ କଥା ହୁଅନ୍ତିନି କି ମୋ ସାମ୍ନାକୁ ଆସନ୍ତିନି । ସେଦିନ କିନ୍ତୁ କୃତ୍ରିମ ପରଦାଟା ଆଉ ରହିଲାନି । ଭଗବାନବାବୁ ତାଙ୍କୁ ଭାରି ଖପା ହେଲେ । କହିଲେ– ମୁଁ ତାଙ୍କର ସାନ ଭାଇ ଭଳି । ଲୁଚାଲୁଚି କଲେ ସେ ଆଉ ଆସିବେନି କି ମତେ ଆଉ ଡାକିବେନି । ଭଗବାନବାବୁ ଓ ମୁଁ ଏକାସାଙ୍ଗରେ ଖାଇ ବସିଲୁ । ତାଙ୍କର ସ୍ତ୍ରୀ ସିଧା ଆମକୁ ପରଶିଲେ । ଖାଇବାକୁ ଦେଲାବେଳେ କେତେ କଥାବାର୍ତ୍ତା । ଦିଅର ଭାଉଜ ଥଟ୍ଟା ହେଲାଭଳି । କହିଲେ– କେତେଦିନ ଭୁବନେଶ୍ୱରର ଅପନ୍ତରୀଆ ଜାଗାରେ ଏକା ଏକା ଏମିତି ପଡ଼ିଥିବ । ହାତକୁ ଦି’ହାତ ହୋଇପଡ଼ ପଚାରିଲେ ପୁରୀର ଆମ ଘର କଥା । ବାପା ବୋଉଙ୍କ କଥା । ଘରେ ଆଉ କିଏ କିଏ ସବୁ ଅଛନ୍ତି ? ମତେ ଭାରି ଭଲ ଲାଗିଲା– ତାଙ୍କର କିଛି ହେଲେ ବଡ଼ାଣିଆ ପଣ ନାହିଁ । ବାହାର ଭିତର ଏକାକାର । ବଡ଼ ଖୋଲାଲୋକ ସେମାନେ । ସ୍ୱାମୀ ସ୍ତ୍ରୀ ଏକା ଧରଣର । ସେଇଦିନଠୁ ମୁଁ ତାଙ୍କୁ ନୂଆବୋଉ ବୋଲି ଡାକିଲି । ନାଁ ତାଙ୍କର ବୁଢ଼ୀ-। ସେ ହେଲେ ମୋର ଅତି ଆଦରର ବୁଢ଼ୀ ନୂଆବୋଉ ।

 

କେବଳ ଅତି ଆଦରର ନୁହଁନ୍ତି ସେହିଦିନଠୁ ସେ ହେଲେ ମୋର ଅତି ଆପଣାର ବୁଢ଼ୀ ନୂଆବୋଉ । ଆଗେ ଭଗବାନବାବୁଙ୍କ ସାଙ୍ଗେ ତାଙ୍କ ଘରକୁ ଆସିଲେ ମତେ କେମିତି ଅଡ଼ୁଆ ଅଡ଼ୁଆ ଲାଗେ । ଏଣିକି ଭଗବାନବାବୁ ସାଙ୍ଗରେ ଆସିବା ଆଉ ଦରକାର ନାହିଁ । ଅନେକ ଥର ମୁଁ ଆପେ ଆପେ ଆସିଛି । ଖାଲିଟାରେ ଆସିବାକୁ ଭଲ ଲାଗେନି । କୋଳରେ ତିନି ତିନିଟା ଛୁଆ । ଆସିଲାବେଳେ ବିସ୍କୁଟ, ଲଜେନ୍‌ସ ଆଦି ସାଙ୍ଗରେ ନେଇ ଆସେ । ବୁଢ଼ୀ ନୂଆବୋଉ ବଡ଼ ବିରକ୍ତ ହୁଅନ୍ତି । ଥରେ କହିଲେ– ସେସବୁ ଆଣିଲେ ଆଉ ଆସିବନି । ଭାଇଙ୍କି କହିଦେବେ ବୋଲି ଡରେଇଲେ । ମୁଁ କହିଲି– ପିଲାଙ୍କ ପାଇଁ ଆଣିଛି । ସେ କହିଲେ–ଖାଲି ଦିନେ ଦି’ଦିନ ଆଣିଲେ ହବନି । ସବୁଦିନ ଆଣି ଦେଇପାରିବ କି ? ପିଲାମାନଙ୍କୁ ସେ ସବୁଦିନ କିଣି ଦେଇପାରିବେନି । ତେଣୁ ତାଙ୍କୁ ପିଲାଦିନୁ ସେପରି ଅଭ୍ୟାସ କରେଇବା ଭଲ ନୁହେଁ । ବୁଢ଼ୀ ନୂଆବୋଉ ଏସବୁ କଥା ରାଗରେ କି ଅଭିମାନରେ କହୁ ନ ଥିଲେ । ଯାହା କହୁଥିଲେ ଠିକ୍‌ ଠିକ୍‌ କଥା ତା’ପରେ କହିଲେ– ହଁ କେତେବେଳେ କେମିତି ନେଇଆସିଲେ ସେ ମନା କରିବେନି । କିନ୍ତୁ ଅଭ୍ୟାସ କରେଇବା ଭଲ ନୁହେଁ ।

 

ବୁଢ଼ୀ ନୂଆବୋଉ ଆଇ.ଏ. ପାଶ କରି ବି.ଏ. ପଢ଼ୁଥିଲେ । କଟକ କ୍ରାଏଷ୍ଟ କଲେଜରେ ଭଗବାନବାବୁଙ୍କ ସାଙ୍ଗରେ ତାଙ୍କର ବିଭାଘର ପଡ଼ିଲା ମାସେ ଭିତରେ ବିଭାଘର ହୋଇଗଲା । ଭଗବାନବାବୁ ସେତେବେଳେ ଭୁବନେଶ୍ୱରରେ ତାଙ୍କ କ୍ୱାଟରରେ ଏକେଲା ଥଆନ୍ତି । ମେସରେ ଖିଆପିଆ । ବୁଢ଼ୀ ନୂଆବୋଉ ଆସିଲାପରେ ତାଙ୍କ ଘରଟିକି ସେ ସଜାଡ଼ି ନେଇଛନ୍ତି । ଭଗବାନବାବୁଙ୍କର ଘର ବାଲିପାଟଣା । ଗାଁରେ ବାପାବୋଉ ଅଛନ୍ତି । ଜମିବାଡ଼ି ଅଛି । ମାସକୁ ମାସ ସେ ଗାଁକୁ ଟଙ୍କା ପଠାନ୍ତି । ଚାଉଳ, ମୁଗ ଆଦି ଗାଁରୁ ଆସେ । କେତେବେଳେ ମୋଟାମୋଟି ଟଙ୍କା ଦରକାର ପଡ଼ିଲା– ବନ୍ଧୁବାନ୍ଧବରେ କାହାର ବାହାଘର କି ଶୁଦ୍ଧଘର ଧାନ ରୁଆରୋଇ ହେଲାବେଳେ କି ବେଉସଣ ପଡ଼ିଲାବେଳେ ଗାଁରୁ ଖବର ଆସିଲେ, ଭଗବାନବାବୁ ଜାଣିବା କିଛି ଦରକାର ନାହିଁ, ବୁଢ଼ୀ ନୂଆବୋଉ ସେ ଖର୍ଚ୍ଚବାର୍ଚ୍ଚ ତୁଲେଇଥାଆନ୍ତି । ସେ କହନ୍ତି– ଅନ୍ୟମାନଙ୍କୁ ନିଜର ସୁବିଧା ଅସୁବିଧା କହି ଲାଭ ନାହିଁ । ସେମାନେ ଜାଣିବା ଦରକାର । ବୁଢ଼ୀ ନୂଆବୋଉ ଆସିଲାଦିନୁ ଭଗବାନବାବୁଙ୍କ ଉପରେ ଘରର ଚିନ୍ତା କିଛି ଆଉ ପଡ଼ିନି । ସିଏ ଭଲ ତ ତାଙ୍କର ଚାକିରି ଭଲ । ସକାଳୁ ସକାଳୁ ଅଫିସ୍‌ ଯାଇ ରାତି ଅଧବେଳକୁ ସେ ଫେରନ୍ତି । ଘରର ଯାହାକିଛି ଜଞ୍ଜାଳ ଆଦି ସବୁ ବୁଢ଼ୀ ନୂଆବୋଉଙ୍କ ଉପରେ ।

 

ଘର ଗୋଟାକର ଜଞ୍ଜାଳ ମୁଣ୍ଡେଇ ବୁଢ଼ୀ ନୂଆବୋଉ କି ଉପାଦାନରେ ଗଢ଼ା କେଜାଣି ସଦାବେଳେ ସେ ହସ ହସ । ସଜ ମଲ୍ଲୀଫୁଲ ଭଳି ଦି’ଭଡ଼ା ମଖମଲ ରଙ୍ଗର ଧଳା ଦାନ୍ତ ଦେଖେଇ କେତେବେଳେ ସେ କଥା ହଉ ହଉ ହସି ଦିଅନ୍ତି, ଜଣାପଡ଼େ–ତାଙ୍କର ପର ଆପଣା ବୋଲି କେହି ନାହାନ୍ତି । କଥା ଛଳରେ ମୁହୂର୍ତ୍ତକ ଭିତରେ ସେ ପରକୁ ଆପଣାର କରନ୍ତି । ଏତେ ପାଠ ପଢ଼ିଛନ୍ତି ବୋଲି କେହି କହିବେନି । କାମଦାମ ଆଦିରୁ ଜଣାପଡ଼େ– ସେ ଯେପରି ଗୋଟିଏ ଗାଉଁଲି ଝିଅ । ତିନୋଟି ଛୁଆର ମା’ ହେଲେଣି, ଜଣାପଡ଼େ ଅବା ଅଳ୍ପବୟସୀ । ବାପଘରର ଖାନଦାନୀ ଅଛି । ବାପା ତାଙ୍କର ଡେପୁଟି କଲେକ୍ଟର ହୋଇ ରିଟାୟାର୍ଡ଼ କରିଥିଲେ, ଭାଇ ଦି’ଜଣ ଇଞ୍ଜିନିୟର, ଶାଶୁଘରର ସମ୍ପତ୍ତିବାଡ଼ି ବି କମ୍‌ ନାହିଁ, ଭଗବାନ ବାବୁ ହଜାରେ ବାରଶ ଯାଏ ଦରମା ପାଇଲେଣି, ବୁଢ଼ୀ ନୂଆବୋଉଙ୍କୁ ଦେଖିଲେ ଜଣାପଡ଼େ ସେ ଭାରି ସାଧାସିଧା ଲୋକ । କୋଉଥିରେ ତାଙ୍କର ଗର୍ବ ନାହିଁକି ବଡ଼େଇ ପଣନାହିଁ । ଯୋଉମାନେ ଅଳ୍ପ ପାଣିରେ ଶଫରୀ ଭଳି ତାଙ୍କ ଆଗରେ ଫର୍‌ ଫର୍‌ ହୁଅନ୍ତି ସେମାନେ ଆପେ ଆପେ ଧରା ପଡ଼ିଯାଆନ୍ତି । ତାଙ୍କର କାହା ସାଙ୍ଗରେ କଳିକଜିଆ ନାହିଁକି ମୁହଁ ଫୁଲା ଫୁଲି ନାହିଁ । କିଛି ନା କିଛି ଘର କାମରେ ସଦାବେଳେ ସେ ବ୍ୟସ୍ତ ଥାଆନ୍ତି । ମିଛରେ ସମୟ ନଷ୍ଟ ନକରି ପରଚର୍ଚ୍ଚା କରିବାକୁ ସାଇପଡ଼ିଶାରୁ କେହି କେହି ସ୍ତ୍ରୀ ଲୋକ ବୁଲିଆସିଲେ ସେ ହସି ହସି ତାଙ୍କୁ ବିଦାୟ ଦିଅନ୍ତି ନିଜ କାମରେ ନିଜେ ଲାଗିଥାଆନ୍ତି ।

 

ବୁଢ଼ୀ ନୂଆବୋଉଙ୍କ ପାଖକୁ ଯେତେଥର ମୁଁ ଯାଇଛି ସଦାବେଳେ ତାଙ୍କଠୁ କିଛି ନା କିଛି ଶିଖିବାର ଥାଏ । ମନେ ମନେ ମୁଁ ଭାବେ– ଭଗବାନବାବୁ ବୁଢ଼ୀ ନୂଆବୋଉଙ୍କୁ ପାଇ ପ୍ରକୃତରେ ଭାଗ୍ୟବାନ ହୋଇପାରିଛନ୍ତି । ଭୁବନେଶ୍ୱରକୁ ଆସିବା ମୋର ମାସ ଗୋଟେ ଯୋଡ଼େ ହୋଇଛି କି ନାହିଁ । ଭଗବାନବାବୁଙ୍କ ଘରକୁ ଆସିବା ସେମିତି ଅଳ୍ପ କେଇଥର । କିନ୍ତୁ ଏଇ ଅଳ୍ପ ସମୟ ଭିତରେ ମୁଁ ଏମାନଙ୍କ ସାଙ୍ଗେ ବାନ୍ଧି ହୋଇସାରିଲିଣି ।

 

ଘରକୁ ମାସକୁ ମାସ ଟଙ୍କା ପଠେଇଛି । ପ୍ରତି ସାତଦିନରେ ଥରେ ଘରୁ ଚିଠି ଆସେ ଯିବାକୁ । ସମୟ ମିଳିଲେତ ? ବିନି ଓ ଟୁନି ବେଳେବେଳେ ମୋ ଆଗରେ ଆସି ଆକସ୍ମିକ ଭାବରେ ଛାୟାମୂର୍ତ୍ତି ଭଳି ଠିଆ ହୋଇଯାଆନ୍ତି । ସେମାନଙ୍କର ବି କିଛି ଖବର ନାହିଁ । ରବିବାରକୁ ଲଗେଇ ଥରେ ଦି’ ଦିନ ଛୁଟି ପଡ଼ିଲା । ଭଗବାନବାବୁଙ୍କୁ ଆଗରୁ କହିଥିଲି ପୁରୀ ଯିବି ବୋଲି । ଶନିବାର ଦିନ ଚାରିଟାବେଳେ ବସ୍‌ ଧରି ଆସିଲି । ଯିବି ବୋଲି ଘରେ ଆଗରୁ ଖବର ଦେଇ ନଥିଲି ।

 

ମୋତେ ଦେଖି ଦେଇ ସମସ୍ତେ ଆଶ୍ୱସ୍ତ ହେଲେ । ସେ ରବିବାର ଦିନ ମୁଁ ପୁରୀ ନ ଯାଇଥିଲେ ସୋମବାର ଦିନ କେହିଜଣେ ହେଲେ ଭୁବନେଶ୍ୱର ଯାଇଥାଆନ୍ତ । ବୋଉ ମନରେ ପାପଛୁଉଁଥିଲା । କେତେଜଣଙ୍କୁ ବୋଉ କହିଥିବାର ମୁଁ ଶୁଣିଲି–ସେ ତ କେବେ ହେଲେ ଘରକୁ ନ ଆସି ରହିପାରିବନି । ମାମୁଁଙ୍କୁ କହୁଥିଲି– ଭୁବନେଶ୍ୱର ଯାଇ ଦେଖି ଆସିବାକୁ । ସେ କିନ୍ତୁ ରୋକ୍‌ ଠୋକ୍‌ ମନା କରିଦେଇଥିଲେ । ତାଙ୍କ ମତରେ– ମୁଁ ପିଲାଦିନେ ତାଙ୍କର ବୋଲି ମାନୁଥିଲି । ବଡ଼ ହୋଇ, ଚାକିରି କରିସାରିଲା ପରେ ବଡ଼ମାନଙ୍କୁ ଆଉ ମାନୁନି । ବୋଉ ଆଗରେ ସେ କୁଆଡ଼େ କହିଲେ– ମୋ ପାଖକୁ ଗଲେ ମୁ ତାଙ୍କୁ ଅପମାନ ଦେଇ ଛାଡ଼ିବି । ଏସବୁ କଥା ବୋଉ ମତେ କହିନି । ମୁଁ ପରସ୍ପରରେ ଶୁଣିବାକୁ ପାଇଲି । ବାପା ବି ବହୁତ ବ୍ୟସ୍ତ ଥିଲେ । ଅନେକ ଦିନ ହେଲା ଖୋଜୁଥିଲେ । ଘରେ ଖାଇସାରି ବିଶ୍ରାମ ନେଲା ପରେ ବୋଉ ରାତିରେ କହିଲା– ତୋ ମନ ଯାହା ତୁ ପଛେକର, ପଇସାପତ୍ର ଘରକୁ ନପଠା ପଛେ, ରବିବାରକୁ ରବିବାର ଆସୁଥିବୁ । ଅଫିସ୍‌ କାମ ନେଇ ସେମାନଙ୍କୁ ଯେତେ ବୁଝେଇଲେ ବି ସେମାନେ ବୁଝିବାକୁ ନାରାଜ୍‌ ବୋଉକୁ କହିଲି– ରବିବାର ଦିନ ଆସିବାକୁ ଚେଷ୍ଟା କରିବି । କାମ ନଥିଲେ । ଦି’ମାସ ଧରି ମୁଁ ଘରକୁ ଆସି ନଥିଲି । ବୋଉ କହିଲା– ଯେମିତି ଅବା ଯୁଗେ ଅବା ତାକୁ ଲାଗିଲାଣି । ମନେ ମନେ ଭାବିଲି– ପ୍ରଥମରୁ ପ୍ରଥମରୁ ସମସ୍ତଙ୍କୁ ଏମିତି ଲାଗେ । ତା’ପରେ ସବୁକିଛି ଅଭ୍ୟାସରେ ପଡ଼ିଯାଏ । ଦିହଘଷା ହୋଇଯାଏ । ମଣିଷ ପ୍ରଥମରୁ ପ୍ରଥମରୁ ଭାବିଥାଏ ସବୁ କିଛି ତାର ଅସହ୍ୟ । କିନ୍ତୁ ପରେ ପରେ ସେ ଅନୁଭବ କରେ– ସବୁ କିଛି ଅନାୟାସରେ ସେ ସହ୍ୟ କରିପାରୁଛି । ମଣିଷର ଏ ହେଲା ଅବା ଯୁଗ ଯୁଗର ସଂସ୍କାର ।

 

ବଜାରଆଡ଼େ ଯାଇ ଅଳ୍ପ ବୁଲି ଆସିବି ବୋଲି ମୁଁ ଯେତେବେଳେ ପ୍ୟାଣ୍ଟସାର୍ଟ ପିନ୍ଧେ, ସେତେବେଳେ ରାତି ନଅଟା । ବୋଉ ରୋଷେଇ ଘରେ ବ୍ୟସ୍ତ ଥିଲା । କହିଲା– ଏତେ ରାତି ହେଲାଣି । ସକାଳେ କୁଆଡ଼େ ଯିବୁ । ଶୀଘ୍ର ଶୋଇପଡ଼ । ତା’ ସାଙ୍ଗେ ସେ କହିଲା– ସୁରବାବୁଙ୍କ ଘର କେହି ହେଲେ ଏଠାରେ ନାହାନ୍ତି । ଘର ତାଙ୍କର ଚାବି ପଡ଼ିଛି । ସୁରବାବୁଙ୍କ ଶଶୁର ଗଲା ସାତ ଆଠଦିନ ତଳେ ଗାଁରେ ମରିଗଲେ । ତାଙ୍କର ଘରେ ଆଉ କେହି ନାହାନ୍ତି । ଯୋଡ଼ିଏ ବୋଲି ଝିଅ । ସବୁ ସୁରବାବୁଙ୍କ ଉପରେ । ତା’ପରେ ତାଙ୍କ ସମ୍ବନ୍ଧରେ କେତେ କେତେ କଥା ସେ ଆପେ ଆପେ କହିଲାଗିଲା । ମତେ କିଛି ଶୁଭୁ ନ ଥାଏ । ଯାହା କହୁଥାଏ କିଛି ଖରାପ ନୁହେଁ । ବରଂ ତାଙ୍କ ଘର ବିଷୟରେ ସେ ତାରିଫ୍‌ କରୁଥାଏ । ତା’ସହିତ ସେ କହି ଚାଲିଲା– ମାମୁଁଙ୍କ କଥା । ସୁରବାବୁଙ୍କ ସାଙ୍ଗେ ତାଙ୍କର କେମିତି କଳି ଲାଗିଲା । ବୋଉ କଥାରୁ ଜଣାପଡ଼ିଲା– ମାମୁଁଙ୍କ କଥା ତାକୁ କେମିତି ଭଲ ଲାଗୁନି । ବଡ଼ କଳିଆ ଲୋକ । ମୁଁ ଭୁବନେଶ୍ୱର ଗଲାଦିନଠୁ ସେ ସର୍ବମୋଟ ଦି’ଥର ଆମ ଘରକୁ ଆସିଛନ୍ତି । ଖବରଦେଲେ ମଧ୍ୟ ତାଙ୍କର ଆଉ ଦେଖାନାହିଁ ।

 

ବାହାରକୁ ଯିବା ମୁଁ ବନ୍ଦକଲି । ମୋର ଅସଲ ଉଦ୍ଦେଶ୍ୟ ଥିଲା– ସୁରବାବୁଙ୍କ ଘର ଆଡ଼େ ଯାଇ ବୁଲି ଆସିବା । ଘରକୁ ଆସୁ ଆସୁ ବୋଉର କଥା ଭାଙ୍ଗିବା ଭଲ ନୁହେଁ । କିନ୍ତୁ ବୋଉଠୁ ସୁରବାବୁଙ୍କ ସମ୍ୱନ୍ଧରେ ଶୁଣିବାକୁ ମତେ ଭଲ ଲାଗିଲାନି । ଘଟଣାଟା କ’ଣ ଜାଣିବାକୁ ଆଉ ବାକୀ ରହିଲାନି । ମୁଁ ନ ଥିଲାବେଳେ ମାମୁଁ ତାଙ୍କ ଘର ସମ୍ୱନ୍ଧରେ ଅନେକ ଅନେକ କଥା ଗପିଛନ୍ତି । ଗୁଡ଼ାୟ ଖରାପ କଥା ନିଶ୍ଚୟ ସେ ଗପିଥିବେ । ମୋ ଚରିତ୍ର ସହିତ ବିନି, ଟୁନିଙ୍କି ଆଣି ଯୋଖିଥିବେ । କ’ଣ ତାଙ୍କର ଦରକାର ଅଛି ? ବୋଉ ତାଙ୍କଠୁ ଅନେକ କିଛି ମୋ ବିଷୟରେ ଯେ ଶୁଣିଛି ଏ ବିଷୟରେ ମୋର ଆଉ ସନ୍ଦେହ ରହିଲାନି । ସବୁକଥାତକ ହଜମ କରିଦେଇ ସେ କହିଲା କେବଳ ସୁରବାବୁଙ୍କ ଘର ବିଷୟରେ । ଲୁଙ୍ଗି ବଦଲେଇ ମୁଁ ଅଗଣା ଚଉକି ଖଣ୍ଡକରେ ବସିଥାଏ । ଭାବୁଥାଏ କେତେ ଆକାଶ ପାତାଳ । ବିନି, ଟୁନି, ବୁଢ଼ୀ ନୁଆବୋଉ ଓ ଚାରୁ । ଜଣଙ୍କ ପରେ ଜଣେ ମୋ ସାମ୍ନାରେ ଛାୟାମୂର୍ତ୍ତି ଭଳି କ୍ଷଣକ ପାଇଁ ମୁହଁ ଦେଖେଇ ପୁଣି ଛପି ଯାଉଥାଆନ୍ତି-। ଭାବି ଭାବି ମତେ ବଡ଼ ହାଲିଆ ଲାଗିଲା । ବୋଉ ଡାକିଲା ମାତ୍ରେ ଖାଇବସିଲି । କାହା ସାଙ୍ଗେ କିଛି ଆଉ କଥାବାର୍ତ୍ତା ନକରି ମୁଁ ଶୋଇଗଲି । ସବୁକିଛି ଭୁଲିଯିବା ପାଇଁ ।

 

ସକାଳୁ ସକାଳୁ ସାଇକେଲଟି ଧରି ମୁଁ ବୁଲିବାହାରି ପଡ଼ିଲି । ରେଷ୍ଟୁରେଣ୍ଟରେ ଚା’କପେ ଦି’କପ୍‌ ଖାଇ ସିଗାରେଟ୍‌ ଟାଣି, ଗପ ଜମେଇ ରାଜନୀତି ଚର୍ଚ୍ଚା ସାଙ୍ଗକୁ ବଜାରର ଚଢ଼ା ଦରଦାମ୍‌ ଫୁଟବଲ କ୍ରୀକେଟ ଖେଳର ପରିସ୍ଥିତି, ଅତ୍ୟାଧୁନିକ ଫିଲ୍ମର କଥାବସ୍ତୁ, ଚିତ୍ରତାରକା ମାନଙ୍କର ବ୍ୟକ୍ତିଗତ ଜୀବନର କାହାଣୀ, ସମାଜର ସମ୍ମାନନୀୟ ଶ୍ରେଣୀ ଅସାଧୂ ବ୍ୟବସାୟୀ ଓ କଳାବଜାରୀମାନଙ୍କର ଧନ ଦଉଲତ ଓ ନେତାମାନଙ୍କର ଧନ ଉପାର୍ଜନର କରାମତି, ସେଇମାନଙ୍କର କୋଠାବାଡ଼ି, ବ୍ୟାଙ୍କ୍‍ବାଲାନ୍‌ସ ଓ ସୁଖସ୍ୱାଚ୍ଛନ୍ଦ୍ୟମୟ ଜୀବନ ସାଙ୍ଗକୁ ଖଟିଖିଆ ଓ ମୂଲିଆମାନଙ୍କର ସମାନ୍ତରାଳ ହା–ହୁତାଶମୟ ଜୀବନସାଙ୍ଗେ ତୁଳନା କରି, ବୁହେ ଆଲୋଚନା, ସମାଲୋଚନା, ପାଟିତୁଣ୍ଡ, କଳିଗୋଳ ସାଙ୍ଗକୁ ଦେଶ ବିଦେଶର କାହାଣୀ ସବୁ ଚା’ ଓ ସିଗାରେଟ ଧୂଆଁ ସାଙ୍ଗେ ମିଶି ରବିବାର ସକାଳଟା ରେଷ୍ଟୁରେଣ୍ଟରେ, ବାଟରେଘାଟରେ, ବଜାରରେ ? ବନ୍ଧୁ ମେଳରେ ନକଟିଲେ ମତେ ଜଣାପଡ଼େ ରବିବାରଟା ଅସାରରେ ଅବା କଟିଗଲା । କଥାବାର୍ତ୍ତା ସାରି ରବିବାରର ଖବର କାଗଜ ଦି’ତିନିଟା ଧରି ମୁଁ ଘରେ ଆସି ସେଦିନ ଖବର କାଗଜରେ ଆଖିପକେଇଛି କି ନାହିଁ ଦାଣ୍ଡ ଦୁଆରଟା କିଏ ଜଣେ ଆସି ଖଟ୍‌ ଖଟ୍‌ କଲା । ରୀନା ବୋଧେ ସେତେବେଳେ ଘରକାମରେ ବ୍ୟସ୍ତଥିଲା । ଉଛୁର.. ଦେଖି ମୁଁ ଦୁଆର ଫିଟେଇ ଦେଇ ଆଶ୍ଚର୍ଯ୍ୟ ହୋଇଗଲି । ଭଗବାନବାବୁ ଓ ବୁଢ଼ୀ ନୂଆବୋଉ । ସେମାନେ ଆମ ଘର ଦେଖିଲେ କେମିତି ? ପଚାରି ପଚାରି ଆସିଥିବେ । ପୂରୀ ଆସିବେ ବୋଲି କିଛି ତ କହୁ ନ ଥିଲେ ? ଏମିତି ନାନା ପ୍ରକାର ପ୍ରଶ୍ନ ମନ ଭିତରେ ଆସୁ ନ ଆସୁଣୁ ତାଙ୍କୁ ନମସ୍କାର କରି ବୋଉ ବୋଲି ମୁଁ ବଡ଼ ପାଟିରେ ଡାକ ଛାଡ଼ିଲି । ବାପାଙ୍କୁ ଖବର ଦେଲି । ମୁହୂର୍ତ୍ତକ ଭିତରେ ସମସ୍ତେ ଜାଣିଗଲେ ସେମାନଙ୍କ ସାଙ୍ଗେ ମୋର ସମ୍ପର୍କ । ରୋଷେଇବାସ ସରିଆସିଥିଲା । ବୋଉ ଓ ରୀନା ଜୋର୍‌ସୋରରେ ଲାଗିଗଲେ । ବୁଢ଼ୀ ନୂଆବୋଉ ବସିବା ଲୋକ ନୁହଁନ୍ତି । ସିଏ ବି ବୋଉ ସାଙ୍ଗରେ ମିଶିଗଲେ । ଅଳ୍ପସମୟ ଭିତରେ ବୁଢ଼ୀ ନୂଆବୋଉ, ବୋଉକୁ ଆପଣାର କରିଦେଲେ । ଭଗବାନବାବୁ ବାପାଙ୍କ ସାଙ୍ଗେ କଥାହେଉଥାଆନ୍ତି । କହିଲେ– ପୁରୀ ଆସିବେ ବୋଲି ସେମିତି କିଛି ଯୋଜନା ନଥିଲା । ରବିବାର-। ଛୁଟିଦିନଅଫିସରେ କାମଦାମ ବି ନାହିଁ । ଠିକ୍‌ କଲୁ– ଜଗନ୍ନାଥ ଦର୍ଶନ କରିଯିବୁ । ଖାଇସାରିଲା ପରେ ପରେ ଦେଉଳ ବୁଲାବୁଲି କରି ଫେରିଯିବୁ । ଘରେ ଝିଅଟା ଥିବ ଏକୁଟିଆ ।

 

ଭୁବନେଶ୍ୱରରେ ଭଗବାନବାବୁଙ୍କ ଘର କଥା ମୁଁ ଜାଣିଛି । ଶୀଘ୍ର ସେମାନେ ଫେରିଯିବା ଦରକାର । ଚାରୁ ଥିବ ଏକାକୀ । ଖିଆପିଆ ସରିଲା ପରେ ବୁଢ଼ୀ ନୂଆବୋଉ ବାପା ବୋଉଙ୍କୁ ମୁଣ୍ଡିଆ ବିଦାୟ ନେଲେ । ବାପାବୋଉଙ୍କୁ ମଉସା ମାଉସୀ ବୋଲି ଡାକୁଥାଆନ୍ତି । କହିଲେ– ଆସନ୍ତା ରବିବାର ହେଉ କି ତା’ ଆର ରବିବାର ହେଉ ସେମାନେ ଭୁବନେଶ୍ୱର ଆସନ୍ତୁ । ବୁଲାବୁଲି କରି ଯିବେ । ବୁଢ଼ୀ ନୂଆବୋଉ ବୋଉର ହାତଧରି, ରୀନାର ଓଠ ଟିପି ଓ ବାପାଙ୍କୁ ମୁଣ୍ଡିଆ ମାରୁ ମାରୁ ନିମନ୍ତ୍ରଣ କରିଦେଇ ଗଲେ । ସେମାନଙ୍କ ସାଙ୍ଗେ ମୁଁ ବି ଦେଉଳ ଗଲି । ଦିଅଁ ଦର୍ଶନ କରି ଭଗବାନବାବୁ କହିଲେ– ବସ୍‌ଷ୍ଟାଣ୍ଡକୁ ଯିବା ଆଗରୁ ରିକ୍‌ସାଟା ଖାଲି ସମୁଦ୍ରକୂଳ ରାସ୍ତାଦେଇ ବୁଲେଇ ନେଇଯିବା । ମୁଁ ସାଇକେଲ ଧରି ରିକ୍‌ସା ପଛେ ପଛେ ଚାଲିଥାଏ । ପୁରୀ ଛାଡ଼ିଲାବେଳକୁ ସେଦିନ ଚାରିଟା ବାଜିବ । ସନ୍ଧ୍ୟା ଆଗରୁ କ୍ୱାଟରରେ ପହଞ୍ଚିଯିବା ଦରକାର । ବସ୍‌ଷ୍ଟାଣ୍ଡରେ ସେଦିନ ତାଙ୍କୁ ଛାଡ଼ିଦେଇ ଆସିଲାବେଳେ ଭଗବାନବାବୁ ପଚାରିଲେ– କେଉଁଦିନ ଆସିବ ?

 

ମୁଁ କହିଲି– ମଙ୍ଗଳବାର ଦିନ ସନ୍ଧ୍ୟା ବସ୍‌ରେ ନମସ୍କାର ହେଲି ।

 

ବୁଢ଼ୀ ନୂଆବୋଉ ହସି ହସି କହିଲେ– ସିଧା ସେଦିନ ବସ୍‌ଷ୍ଟାଣ୍ଡରୁ ଆମ ଘରକୁ ଆସିବ-। ଆଉ କୁଆଡ଼େ ଯିବନି । ଗଲେ ମାଡ଼ ଖାଇବ ।

 

ମୁଁ ହସି ପକେଇଲି । ଏତିକିବେଳେ ବସ୍‌ ଛାଡ଼ିଦେଲା । ସାଇକେଲ ମାରି ଘରଆଡ଼େ ଫେରୁ ଫେରୁ ଓଲଟିପଡ଼ି ବସ୍‌ ଆଡ଼ିକି ଅନେଇଲି । ସେତେବେଳକୁ ବସ୍‌ଟା ଅଦୃଶ୍ୟ ହେଲାଣି ।

 

ଘରେ ଆସି ପହଞ୍ଚିଲାମାତ୍ରେ ରୀନା କହିଲା– ଆସନ୍ତା ରବିବାର ଦିନ ଭୁବନେଶ୍ୱର ଯିବାକୁ । ମୁଁ ଭାବିଲି– ରୀନା ତ ଅନେକଥର ଯାଇଛି । ଯିବାକୁ ଏତେ ତରତର କାହିଁକି ? କ’ଣ ତାକୁ ପଚାରିବାକୁ ଯାଉଥିଲି । ଦେଖିଲାବେଳକୁ ସେ ଯାଇ ତଳଘରେ । ଦଉଡ଼ି ଦଉଡ଼ି ଯାଉଥିଲା । ହସି ହସି ।

 

ମୁଁ ଲୁଗା ବଦଳିଛି କି ନାହିଁ ବୋଉ ଆସିଲା । ତଳଘରେ ସେ ଶୋଇଥିଲା । ନସରପସର ହୋଇ ମୋ ପାଖକୁ ଆସି କହିଲା– ବାପା ବି ରାଜି ଅଛନ୍ତି । ତୁ ଶନିବାର ଦିନ ଆସିବୁ । ରବିବାର ସକାଳୁ ସମସ୍ତେ ଆମେ ବାହାରିବୁ । ରାତି ସରିକି ଫେରି ଆସିବୁ । ବୋଉ ପଚାରିଲା– ଭଗବାନବାବୁଙ୍କ ଭଉଣୀକି ତୁ ଦେଖିଛୁ । ଭାଉଜତ ଏମିତି । ନଣନ୍ଦଟି ନିଶ୍ଚେ ଭଲପିଲା ହୋଇଥିବ । ମୁଁ କ’ଣ କହିବି ଶୁଣିବ ବୋଲି ସେ ମୋ ଆଡ଼ିକି ଚାହିଁଥାଏ ।

 

ବଡ଼ ଆଶ୍ଚର୍ଯ୍ୟ କଥା– ଏମାନେ ତା’ହେଲେ ସ୍ୱତଃସିଦ୍ଧ ହୋଇ ସାରିଲେଣି । ବୋଉକୁ କହିଲି ମୁଁ ତାକୁ ଦେଖିବି । ଜାଣିଛି ଖାଲି ତାଙ୍କର ଗୋଟିଏ ସାନ ଭଉଣୀ ଅଛି । ଇଚ୍ଛାହେଲା– ସେମାନେ ବୁଲି ଆସିଲେ । ବଡ଼ ଭଲଲୋକ ସେମାନେ । କାହିଁ, ସେ ବିଷୟ ତ କେବେହେଲେ ପଡ଼ିନି ।

 

ବାପା ଉପରଘରୁ ଡାକ ଛାଡ଼ିଲେ । କହିଲେ– ବସ୍‌ । ଭାବିଥିଲି ସେ ବୋଧେ ପଚାରିବେ ନୂଆ ଚାକିରି କଥା । ସେମିତି କିଛି ସେ ପଚାରିଲେନି । ଯାହା ପଚାରିଲେ କେବଳ ଭଗବାନବାବୁଙ୍କ ବିଷୟରେ । ଘର ତାଙ୍କର କୋଉଠି ? ମାମୁଁଘର କୋଉ ଗାଁ ? ଭଗବାନବାବୁଙ୍କର ଶଶୁରଘର ବିଷୟ । କିଏ ସବୁ ତାଙ୍କର ଅଛନ୍ତି ? ବନ୍ଧୁବାନ୍ଧବ କୋଉ ଜାଗାରେ-? ଏମିତିଗୁଡ଼ାଏ ଅବାନ୍ତର ପ୍ରଶ୍ନ । ବାପା ତ ପଚାରୁଛନ୍ତି । କ’ଣ ବୋଲି ମୁଁ ଆଉ କହିବି-?

 

ସେମାନଙ୍କର କଥାବାର୍ତ୍ତାରୁ ଧାରଣା କରିଦେଲି– ଭଗବାନବାବୁଙ୍କ ଭଉଣୀ ସମ୍ୱନ୍ଧରେ ସେମାନେ ବୋଧେ ମନେ ମନେ ପକ୍‌କା କରି ସାରିଲେଣି । ରୀନା ଓ ବାପା ବୋଉଙ୍କ କଥାରେ ମୁଁ ତୋଟି ଭିତରେ କେବଳ ହସୁଥାଏ । ବୋଉକୁ ଚା’ କପେ ମାଗିଲି । ଚା’ ସାଙ୍ଗକୁ ସେ ଜଳଖିଆ ବି ଆଣିଲା । ଜାମା ପ୍ୟାଣ୍ଟ ପିନ୍ଧି ପୁଣି ବାହାରିଲି ବଜାରଆଡ଼େ ।

 

ବଜାର ଯିବା ରାସ୍ତାରେ ନଯାଇ ମୁଁ ଚାଲିଥାଏ ବିପରୀତ ଦିଗରେ । ଟୁନିଘର ବାଟେ । ବିନି ସାଙ୍ଗେ କଥା ହେବାର ନିଶା ସେତେବେଳେ ମତେ ଅବା ଘାରିଥିଲା । ଘରେ ଶୁଣିଥିଲି ସେମାନେ ସବୁ ନାହାନ୍ତି । ସେପଟ ରାସ୍ତାରେ ମୋର ଆଉ କିଛି କାମ ନାହିଁ । ତଥାପି ମୁଁ ଚାଲିଥାଏ-। ଅଜାଣତରେ । ଲକ୍ଷ୍ୟହୀନ ଭାବରେ ।

 

ତାଙ୍କ ଘରପାଖରେ ହେଲାବେଳକୁ ଚାବି ଝୁଲୁଛି । ମନେ ପଡ଼ିଗଲା ଟୁନି । ଛାଟିପିଟି ହୋଇ ଦଉଡ଼ି ପଳେଇଛି । ସିଧାଯାଇ ତଳ ଘରେ । ମନ ଭିତରର ପୃଷ୍ଠା କେଇଟା ଓଲଟେଇ ଓଲଟେଇ କେଇପାଦ ତାଙ୍କ ଘରଠୁ ଆଗେଇ ଗଲି । ପୁଣି ଫେରିଲି । ବଜାର ଆଡ଼େ ଚାଲିଲି । ପାଦ ଗଣି ଗଣି ଏକାକୀ ।

 

ମଙ୍ଗଳବାରଦିନ ସନ୍ଧ୍ୟା ବସ୍‌ରେ ଭୁବନେଶ୍ୱର ଫେରି ସିଧାଚାଲିଲି ଭଗବାନବାବୁଙ୍କ ଘରକୁ । ବୁଢ଼ୀ ନୂଆବୋଉ ମତେ ଅପେକ୍ଷା କରିଥିଲେ । ସେତେବେଳଯାଏ ଭଗବାନବାବୁ ଅଫିସରୁ ଆସି ନଥିଲେ । ମୁଁ ଦୁଆର ମୁହଁରେ ଡାକିଲାବେଳେ ଲକ୍ଷ୍ୟ କରିଛି– ଚାରୁ ସେତେବେଳେ ଦାଣ୍ଡଘର ଚଉକିରେ ବସି ସିଲେଇ କରୁଥିଲା । ସେ ବୋଧେ ଜାଣିଥିଲା– ମୁଁ ସେଦିନ ଯିବି ବୋଲି-। ନୋହିଲେ ଦାଣ୍ଡଦୁଆରକୁ ଆସିଥାଆନ୍ତା । ମୁଁ ଡାକିଲା ମାତ୍ରେ ସେ ଘର ଭିତରକୁ ଚାଲିଗଲା । ମୁହଁ ପୋତି ପୋତି । ଦଉଡ଼ୁ ନଥିଲା–ଅଥଚ ବେଗେ ମୋ ଆଡ଼େ ଚାହିଁନି । ଅଥଚ ଭଲଭାବରେ ମତେ ଦେଖିନେଇଛି ମୁଁ ତାକୁ ଦେଖିନି । ପଛଆଡ଼ୁ ତା’ର ଶାଢ଼ୀଘେରା ଶରୀରଟିକି ଲକ୍ଷ୍ୟ କରୁଥିଲି ।

 

ବୁଢ଼ୀ ନୂଆବୋଉ ଭ୍ରୂଲତା ନଚେଇ ବାପାବୋଉଙ୍କ କଥା ପଚାରିଲେ । କହିଲେ– ରୀନା କ’ଣ କରୁଥିଲା ? ଭଲ ଝିଅଟିଏ । ସେଦିନ ଆମ ଘରର ଖା’ପିଅକୁ ଭାରି ପ୍ରଶଂସା କଲେ । ମୁଁ ଅଳ୍ପ ସମୟ ବିଶ୍ରାମ ନେଇଛି କି ନାହିଁ– ଚା’ ଆଣି ଦେଲେ । ମତେ ତାଙ୍କ ଘରେ ବେଶି ସମୟ ବସିବାକୁ ଭଲ ଲାଗୁ ନଥାଏ । ଭଗବାନବାବୁଙ୍କ ଅନୁପସ୍ଥିତି ଯୋଗୁଁ । ତା’ଛଡ଼ା ମୁଁ ଏକପ୍ରକାର ଧାରଣା କରି ନେଇଥିଲେ ଯେ ମୋର ବିଭାଘର ପ୍ରସ୍ତାବ ଚାରୁ ସାଙ୍ଗରେ ଲାଗିଛି କେହି ସେଯାଏଁ ପାଟିଖୋଲି କିଛି କହି ନଥିଲେ ବି ଦି’ପଟ ଲୋକଙ୍କର ମନ ଭିତରେ କଥାଟା ଉଁକି ମାରୁଥିଲା । ସମୟ ମିଳିଲେ କଥାଟା ବାହାରି ପଡ଼ିବ । ସେଥିପାଇଁ ମତେ କେମିତି ଲାଜ ମାଡ଼ୁଥାଏ । ବୁଢ଼ୀ ନୂଆବୋଉଙ୍କୁ କହିଲି– ମୁଁ ଘରୁ ଆସେ ।

 

ସେ କହିଲେ– ଶୀଘ୍ର ଆସିବ । ତୁମେ ଆସିଲାଯାଏ ଆମେ ସବୁ ଉପାସ ଥିବୁ ।

 

ମୁଁ ହସି ହସି ଫାଟକ ଦେଇ ଆସିଲି ମୋର କ୍ୱାଟରକୁ ।

 

ଅଫିସ କାମ ଓ ଆମ ଘର ବିଷୟରେ ଭଗବାନବାବୁଙ୍କ ସାଙ୍ଗରେ କଥାବାର୍ତ୍ତା କରି ସେଦିନ ରାତିରେ ଫେରୁ ଫେରୁ ସାଢ଼େ ଦଶ । ବୁଧବାରଠୁ ଶନିବାର ସକାଳଯାଏ କେତେବେଳେ ଯେ କଟିଗଲା ଜାଣିପାରିନି । ଶନିବାର ଦିନ ଅଫିସ୍‌ରେ ଭଗବାନବାବୁ କହିଲେ ସେ ଗୋଟିଏ ଗାଡ଼ି ଠିକ୍‌ କରିଛନ୍ତି । ସେଦିନ ସନ୍ଧ୍ୟାବେଳେ ସେ ଗାଡ଼ିଧରି ମୁଁ ପୁରୀ ଆସିଲି । ରବିବାର ସକାଳୁ ସକାଳୁ ବାପା, ବୋଉ, ରୀନାକୁ ଧରି ମୁଁ ଭୁବନେଶ୍ୱର ଆସିଲି । ବୋଉ ମତେ ଲୁଚେଇ ମାମୁଁଙ୍କ ପାଖକୁ ଖବର ଦେଇଥିଲା । ସେ ମନାକରି ପଠେଇଲେ । ତାଙ୍କଠୁ ଖବର ଆସିଲା ପରେ ମୁଁ ଜାଣିବାକୁ ପାଇଲି । ବୋଉ ଉପରେ ବିରକ୍ତ ହେଲି– କାହିଁକି ସେ ତାଙ୍କୁ ଖବର ଦଉଥିଲା ? ଯାହାହଉ, ସେ ଯିବେ ବୋଲି ମନା କରିଛନ୍ତି ଭଲ ହୋଇଛି । ସକାଳ ସାଢ଼େ ନଅ ବେଳକୁ ଆମେ ସମସ୍ତେ ଭଗବାନବାବୁଙ୍କ ଘରେ ଯାଇ ଓହ୍ଲେଇଲୁ । ଗାଡ଼ିଟା ଦିନସାରା ଆମପାଇଁ ଠିକ କରି ଦେଇଥିଲେ ଭଗବାନବାବୁ । ଆମ ଅଫିସକୁ ଜଣେ ଭଦ୍ରଲୋକ ଆସନ୍ତି । ତାଙ୍କ ସାଙ୍ଗେ ଭଗବାନବାବୁଙ୍କର ବେଶ୍‌ ଭଲ ପଡ଼େ । ଆମ ଅଫିସ ଜରିଆରେ ତାଙ୍କର କେତେଗୁଡ଼ିଏ କାମ ଥିଲା । ତା’ଛଡ଼ା ଭଗବାନବାବୁ ଆଜେବାଜେ ଲୋକଙ୍କୁ ପାଟିଶୁଣାନ୍ତିନି । ଗାଡ଼ିଟା ଆମ୍ଭ ସମସ୍ତିଙ୍କି ବଡ଼ ସାହାଯ୍ୟ କଲା । ଖଣ୍ଡଗିରି, ଧଉଳିପାହାଡ଼, ନନ୍ଦନକାନନଠୁ ଆରମ୍ଭ କରି ଭୁବନେଶ୍ୱରର ପ୍ରଧାନ ପ୍ରଧାନ ରାସ୍ତା ଆଦି ଦିନସାରା ବୁଲାବୁଲି କରି ଦିନଟା କେତେବେଳେ ଯେ କଟିଗଲା ଆମେ ଜାଣିପାରିଲୁନି । ସକାଳଓଳି ଭଗବାନବାବୁ ଘରେ ରହିଲେ । ସମସ୍ତଙ୍କୁ ସାଙ୍ଗରେ ନେଇ ମୁଁ ଚାଲିଲି ନନ୍ଦନକାନନ । ବୁଢ଼ୀ ନୂଆବୋଉ ସାଙ୍ଗରେ ବାହାରିଲେ । ଚାରୁଯିବାକୁ ମନା କରୁଥିଲେ । ରୀନା ଓ ବୋଉ ଜୀଦ୍‌ ଧରିଲେ । ଉପରଓଳି ମୁଁ ଘରେ ରହିଲି । ଭଗବାନବାବୁ ସାଙ୍ଗରେ ଗଲେ । ଚାରୁକୁ ସେମାନେ ପାଖରୁ ଛାଡ଼ିବାକୁ ନାରାଜ । ସନ୍ଧ୍ୟାବେଳେ ଖିଆପିଆ ସାରି ସମସ୍ତେ ସେଇ ଗାଡ଼ିରେ ପୁରୀ ଫେରିଲୁ । ଆସିଲାବେଳେ ମୁଁ ଭଗବାନବାବୁଙ୍କ ସାଙ୍ଗେ ବାହାରେ କଥା ହେଉଥିଲି-। ବାପା ବି ଥିଲେ । ବୋଉ, ବୁଢ଼ୀ ନୂଆବୋଉଙ୍କୁ ପାଖକୁ ଡାକିଲା । ଚାରୁକୁ ବି ଡାକିଲା-। ପୁରୀରୁ ବାହାରିଲାବେଳେ ବୋଉ ଜାଣିଥିଲା ନାଁ– କ’ଣ ସାଙ୍ଗରେ ନୂଆ ସୁନା ମୁଦିଟିଏ ନେଇଥିଲା । ଚାରୁକୁ ପିନ୍ଧେଇଦେଲା । ମୁଣ୍ଡରେ ଓ ପିଠିରେ ତା’ର ହାତବୁଲେଇ ଆଣିଲା । ଚାରୁ ମୁଣ୍ଡିଆ ମାରିଲାବେଳେ କେତେ କେତେ କଲ୍ୟାଣ ତା’ଉପରେ ଢାଳିଲାଗିଲା । ରୀନା, ଚାରୁକୁ ଚାହିଁ ମୁରୁକି ମୁରୁକି ଖାଲି ହସୁଥାଏ । ଗଲାଠୁ ଆସିଲାଯାଏ ଚାରୁକୁ କେବଳ ନୂଆବୋଉ ବୋଲି ଡାକୁଥାଏ । ବାପା ଭଗବାନବାବୁଙ୍କୁ ପକ୍‌କା ଜବାବ୍‌ ଦେଇଗଲେ । କେହି କିଛି ମତେ ପଚାରିନାହାନ୍ତି । ପଚାରିବା ଦରକାର ନାହିଁ । ସମସ୍ତଙ୍କର ମନ ମାନିଛି । ମୁଁ କେବଳ ନିମିତ୍ତ ମାତ୍ର । ଅଳ୍ପ ସମୟ ଭିତରେ ସବୁ କିଛି ଫଇସଲା ହୋଇଗଲା । ଏ ପ୍ରସ୍ତାବରେ ମୁଁ ମୋର ମତ୍ତ କ’ଣ ଜାଣିବାର ପ୍ରୟୋଜନ ନାହିଁ । ଯୋଉମାନେ ଜନ୍ମ ଦେଇଥିଲେ ସେଇମାନେ ଭାଗ୍ୟ ନିର୍ଣ୍ଣୟ କରି ଚାଲିଗଲେ । ସେଥିରେ ମୁଁ ସୁଖୀ ହେଲି କି ଦୁଃଖୀ ହେଲି ମୁଁ ନିଜେ ବି କହିପାରିବିନି । ଗାଡ଼ିରେ ସମସ୍ତଙ୍କୁ ସାଙ୍ଗରେ ଧରି ଆମେ ପୁରୀ ଆସିଲୁ । ଭଗବାନବାବୁ ବି ଆସିଲେ । ଘରେ ଖିଆପିଆ ସାରି ସେଇ ଗାଡ଼ିରେ ପୁଣି ଭୁବନେଶ୍ୱର ଫେରିଗଲୁ ।

 

ବୋଉ ମାମୁଁଙ୍କ କଥା ଭଲଭାବରେ ଜାଣେ । ଭିତରେ ପଶି କିଛିହେଲେ ଅନର୍ଥ ବାହାର କରିବେ । ସେ ଯେ ମୋର କିଛି ଅମଙ୍ଗଳ ଇଚ୍ଛା କରୁଥିଲେ ଏମିତି ନୁହେଁ । ସେହେଲେ ବଡ଼ ମାମଲତ୍‌କାର ଲୋକ । ତାଙ୍କର ଇଚ୍ଛାଥିଲା– ସବୁକଥାରେ ସେଇ କେବଳ ବାହାଦୁରୀ ଦେବେ । ନିଜର ବଡ଼ପଣିଆ ଦେଖେଇ ପାରିବେ । ସ୍ୱର୍ଗରୁ ତୋଳି ଆଣିଲାଭଳି କଥାଗୁଡ଼ା ସେ କହନ୍ତି । କୋଉ ବଡ଼ ବଡ଼ ଜାଗାରେ ତାଙ୍କର ବନ୍ଧୁ ବାନ୍ଧବ ସବୁ ଅଛନ୍ତି । ଗରିବ ହୋଇଗଲେ କ’ଣ ହେଲା । ଘରର କୁଳୀନତା ହେଲା ବଡ଼କଥା । ବିଭାଘରରେ ଦିଆନିଆ ବେଳେ ଆଉ କେହି କଥାବାର୍ତ୍ତା କରିବା ଉଚିତ ନୁହେଁ । ସେ ବିଷୟଟା ତାଙ୍କୁ ଛାଡ଼ିଦବା ଦରକାର । କେତେ କେତେ ବିଭାଘର ସେ ଉଠେଇଚନ୍ତି । ଲୋକବାକର ଦରକାର ନାହିଁ । ସେ ଏକାକୀ ନିଜେ ନିଜେ । କେହି ଯେବେ ତାଙ୍କୁ ଅସମ୍ମାନ କଲା ସବୁ ଭାଙ୍ଗିରୁଜି ସେ ଛାରଖାର କରିଦେବେ । ସେଠି ଭଲମନ୍ଦର ଆଉ ପ୍ରଶ୍ନ ନାହିଁ । ସବୁକିଛି ସେ ନିଜେ କରିବେ ଓ ବାହାଦୁରୀ ଷୋଳଅଣା ଆଦାୟ କରିବେ । ମାମୁଁ କିନ୍ତୁ ଜାଣିପାରନ୍ତିନି ଯେ ତାଙ୍କର ଏଇ ଧରଣର ବାହାଦୁରୀ କଥା ସବୁ କେହି ହେଲେ ପସନ୍ଦ କରନ୍ତିନି । ମୁହଁରେ ତାରିଫ୍‌ କରନ୍ତି । ତାଙ୍କ ପଛଆଡ଼େ କିନ୍ତୁ ହସନ୍ତି । ବୋଉ ଜାଣିଥିଲା ଯେ ତାଙ୍କୁ ନ ପଚାରି ଏ ବିଭାଘରଟା ଠିକ୍‌ ହୋଇଛି । ସେ ନାନା ଅନଥ ସେଥିରୁ ବାହାର କରିବେ । ବିଭାଘର ଭାଙ୍ଗିବାକୁ ବି ଚେଷ୍ଟା କରିବେ । ବୋଉର ଇଚ୍ଛାଥିଲା– କଥାଟା ସେ ଆପେ ଆପେ ଜାଣିବେ । ସମୟ ଆସୁ । ସେଇ ଠିକ୍‌ ତାଙ୍କୁ ବାଗେଇ ନବ । ତା’ଛଡ଼ା ବୋଉକୁ ବଡ଼ଭଉଣୀ ହିସାବରେ ମାମୁଁ କିଛି କହନ୍ତିନି । ସେ ଜାଣେ– ତାଙ୍କୁ କେମିତି ବାଗେଇ ହବ । ସେଇଥିପାଇଁ ସେ ପ୍ରଥମେ ପ୍ରଥମେ ତାଙ୍କୁ ଏ ପ୍ରସଙ୍ଗରେ କିଛି କହି ନଥିଲା ।

 

ମଝି ରବିବାରରେ ମୁଁ ଆଉ ଘରକୁ ଆସିଲିନି । ଅଫିସରେ ଜରୁରୀ କାମ ଥିଲା । ତା’ଛଡ଼ା ଗୁରୁବାରଦିନ ପହିଲା ପଡ଼ୁଥିଲା । ଭାବିଥିଲି– ଟଙ୍କାଟା ସାଙ୍ଗରେ ଧରି ଶନିବାରଦିନ ପୁରୀ ଯିବି । ତା’ଛଡ଼ା ଘରୁ ମୁଁ ଚିଠି ପାଇଥିଲି । ଭଗବାନବାବୁ ବାପାଙ୍କ ପାଖକୁ ଲେଖିଥିଲେ– ବିଭାଘର ବିଷୟରେ । ପାଞ୍ଜି ଦେଖି ସେ ଯୋଗ ଲଗ୍ନ ଠିକ୍‌ କରନ୍ତୁ । କାମଟା ଶୀଘ୍ର ଉଠେଇଦବା ଦରକାର । ଭଗବାନବାବୁଙ୍କ ଘରକୁ ଆଗେ ଅନେକଥର ମୁଁ ଯାଆସ କରେ । ଇଆ ଭିତରେ ଯିବା ଆସିବା ମୁଁ କମେଇ ଦେଇଛି । ବୁଢ଼ୀ ନୂଆବୋଉ ଅନେକଥର ଖବର ପଠେଇଛନ୍ତି । ଜାଣିଶୁଣି ମୁଁ ଯାଏନି । ସେମାନେ ଖରାପ ଭାବନ୍ତିନି । ଧରି ନିଅନ୍ତି– ଲାଜ ମାଡ଼ୁଛି ବୋଲି ମୁଁ ବେଶି ଯାଆସ କରୁନି । ବାପା ଜରୁରୀ ଚିଠି ଦେଇଥିଲେ । ରବିବାର ଦିନ ଗଲେ ସେ ଯାହା କିଛି ଠିକ୍‌ କରିବେ । ମୋ ସାଙ୍ଗେ ଆଲୋଚନା କରି ।

 

ଦିନେ ସଅଳ ସଅଳ ଅଫିସ୍‌ରୁ ଫେରି ଠିକ୍‌ କଲି ମାର୍କେଟ ବିଲ୍‌ଡ଼ିଂ ଆଡ଼େ ବୁଲି ବାହାରିବି । କିଛି କିଣାକିଣି ନ ଥିଲା । କ୍ୱାଟରରେ ଆସି ସବୁ ଜିନିଷ ମୋର ଖୋଜି ବସିଲି । ଦେଖିଲି– ପେଷ୍ଟ ସରିଗଲାଣି । ବୁଲାବୁଲି କରିବା ହବ ଓ ପେଷ୍ଟଟା କିଣି ଆଣିବି ବୋଲି ଭାବି ଘୁରିଲାଗିଲି ଦୋକାନକୁ ଦୋକାନ । ସିଧା ରାସ୍ତା ଉପରେ କେତେ କେତେ କାର୍‌, ଅଟୋରିକ୍‌ସା, ଅସଂଖ୍ୟ ରିକ୍‌ସା, ମାଳ ମାଳ ସାଇକେଲ । ଦୋକାନରେ ସ୍ତ୍ରୀ ପୁରୁଷମାନଙ୍କର ଭିଡ଼ । ଜିନିଷପତ୍ରରେ ଦୋକାନସବୁ ଭର୍‌ପୁର । ଛାତଯାଏ ଲାଗିଛି । ଖାଲି ବିଜୁଳି ଆଲୁଅର ଲହଡ଼ି । ମାଳ ମାଳ ବିଜୁଳିବତୀ । ଧାଡ଼ି ଧାଡ଼ି, ଲଗାଲଗି, ଚାରିଆଡ଼େ । ଦୋକାନରେ, ଘରେ, ରାସ୍ତାଯାକ । କ୍ୟାପିଟାଲଟା ସନ୍ଧ୍ୟାବେଳକୁ ଅବା ହସି ଉଠିଛି । ଗୋଟିଏ ମାତ୍ର ମୋର ଜିନିଷ କିଣିବାର ଅଛି । ସକାଳ ପାଇଁ ପେଷ୍ଟ । ବୁଲାବୁଲି କରିସାରିଲା ପରେ ମୋର ସେଇ ଚିହ୍ନା ହୋଟେଲଟା । ଟ୍ରାଫିକ୍‌ ଛକପାଖରୁ ଅଳ୍ପ କେଇପାଦ ଆଗେଇଗଲେ ପଡ଼େ ଗୋଟିଏ ପ୍ରକାଣ୍ଡ ଦୋ’ତାଲା ହୋଟେଲ । ତାଆରି କରକୁ ଗୋଟିଏ ଛୋଟ ହୋଟେଲରେ ମୁଁ ଖିଆପିଆ କରେ ।

 

ଗୋଟିଏ ବଡ଼ ଦୋକାନ ଭିତରକୁ ପେଷ୍ଟ ଆଣିବି ବୋଲି ପଶିଯାଇ ମୁଁ ଆଶ୍ଚର୍ଯ୍ୟ ହେଲି-। ବ୍ଳାଉସ୍‌ ଉପରୁ ହୁଗୁଳି ଆସିଥିବା ଶାଢ଼ୀଟି ସଜାଡ଼ି ନେଇ ଇଆଡ଼ିକି ସିଆଡ଼ିକି ଚାହିଁ ଦୋକାନୀକି ବରାଦ ଦେଇ, ଝୁଲୁଥିବା ଶାଢ଼ୀ ସବୁକୁ ନଜର କରି, ଥାକ ଥାକ କନା ଓ ଶାଢ଼ୀ ଉପରେ ଆଖିପକେଇ, ଠିଆରହି, ଅଳ୍ପ ଘୁଞ୍ଚି ଘୁଞ୍ଚି ମୋ ଆଡ଼ିକି ସେ ଝିଅଟି ଆସିଲାବେଳକୁ ପଛଆଡ଼ୁ ମୁଁ ଟୁନି ବୋଲି ଡାକିଦେଲି । ପ୍ରଥମେ ସେ ଚାହିଁଲାନି । ତା’ପରେ ମୋ ଆଡ଼ିକି ଥରୁଟେ ଚାହିଁଦେଲା ବେଳକୁ ମୁଁ ଝାଉଁଳି ପଡ଼ିଲିଣି । ଝିଅଟି ଟୁନି ନୁହେଁ । ଅବିକଳ ତା’ରି ଚେହେରା, ତା’ରି ଚାଲି, ସବୁ ଆବଭାବ ତା’ର ଠିକ୍‌ ଟୁନିଭଳି । ତା’ ଆଡ଼ୁ ଆଖି ବୁଲେଇ ଆଣି ମୁଁ ଦୋକାନୀକି କହିଲି ପେଷ୍ଟ ଦବାକୁ । ଲାଜରେ ମୁହଁ ପୋତିଦେଇ । ଝିଅଟି ମୋ ଆଡ଼ିକି କଟମଟ କରି ଅନେଇ ଶାଢ଼ୀ କିଣିବାରେ ଲାଗିଗଲା । ପେଷ୍ଟର ଦାମ ଦେଇ ମୁଁ ଲାଙ୍ଗୁଡ଼ ଜାକି ଶୀଘ୍ର ସେ ଦୋକାନରୁ ପଳେଇ ଆସିଲି । ମୁହୂର୍ତ୍ତକ ଭିତରେ ମାର୍କେଟ ବିଲଡ଼ିଂ ପାରହୋଇ ମୁଁ ଯାଇ ରାସ୍ତା ଉପରେ । ମୋର ହୋଟେଲ ଆଡ଼େ ମୁହେଁଇଲି ।

 

ଚାକିରି କରିବାର ସେତେବେଳେ ତିନି ମାସ ଉପରେ ଆସି ହେଲାଣି । ସେମାନଙ୍କ ସାଙ୍ଗେ ଆଉ ଦେଖାହୋଇନି । କେବେ ପୁଣି ଦେଖାହେବ କି ନାହିଁ ସନ୍ଦେହ । ମୁଁ ଖୋଜିଲାବେଳକୁ ସେମାନଙ୍କର ଦେଖାନାହିଁ । ସେମାନେ କେବେ ମତେ ଯଦି ଖୋଜନ୍ତି ମୋର ହୁଏତ ଦେଖା ମିଳିବନି-। ମନକଥା ମୋର ମନରେ ରହିଯିବ । ଟୁନି ତ ସହଜେ ଝିଅ ପିଲା । ପାଟି ଖୋଲି କହିବ ଅବା କେମିତି ? ଚାକିରି କରିବା ଆଗରୁ ଦିନଥିଲା ଟୁନିକି କେନ୍ଦ୍ର କରି ମୁଁ ମୋର ଭବିଷ୍ୟତ ଜୀବନର ସ୍ୱପ୍ନ ଦେଖୁଥିଲି । ତିନି ମାସ ଭିତରେ ସବୁକିଛି ଓଲଟପାଲଟ ହୋଇଯାଇଛି । ଯାହାର କେବେ ଦେଖା ନଥିଲା ସେ ଛିଡ଼ା ହେଲାଣି ଆସି ଆଗରେ ବାପା ବୋଉ ଭାଗ୍ୟ ମୋର ନିର୍ଣ୍ଣୟ କରି ସାରିଲେଣି । ଚାରୁଟି ବି ମନ୍ଦ ପିଲା ନୁହେଁ । କିନ୍ତୁ ଏତେ ଶୀଘ୍ର ମୁଁ ଯେ ବନ୍ଦୀ ହୋଇଯିବି ସେକଥା ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି । ମୋର ଆଖି ଆଗରେ ସବୁ କିଛି ଆପଣା ଛାଏଁ ଠିକ୍‌ ହୋଇଗଲା । ଚିରାଚରିତ ଧାରାରେ ମୁଁ ପଡ଼ି ଚାଲିଲି । ତାକୁ ଏପଟସେପଟ କରିବା ମୋର ସାଧ୍ୟାତୀତ । ନୀରବ ଦର୍ଶକ ଭଳି ସବୁ କିଛି ହୋଇଗଲା । ଅନ୍ୟ କିଛି ନ ଭାବି ମୁଁ ଭାଗ୍ୟକୁ ଆଦରି ନେଇଥିଲି । ଯାହା ହବାର କଥା ନିଶ୍ଚୟ ହେବ । ଯେତେ ଚେଷ୍ଟାକଲେ ବି ଅନ୍ୟଥା କରିହବନି ।

 

ବଡ଼ ଅପମାନର ଯୋଗ ଥିଲା । ସେ ସ୍ତ୍ରୀ ଲୋକ ଜଣଙ୍କୁ ପଛଆଡ଼ୁ ଡାକିଦେଲି । କ’ଣ ସେ ଭାବିଥିବେ କେଜାଣି ? ଭାଗ୍ୟ ଭଲ, କିଛି ଅପମାନ ଦେଇନାହାନ୍ତି । ଦୋକାନ ଭିତରେ ଯେବେ ବେଜିତ୍‌ କରିଥାଆନ୍ତେ ମୋର କିଛି କହିବାର ନଥିଲା । ଚାଲିଚଳଣ ଓ ଚେହେରା ଆଦି ସବୁକିଛି ତାଙ୍କର ଟୁନି ଭଳି ।

 

ଟୂନି ଆଉ ଚାରୁ । ଦିହିଙ୍କି ମନେ ମନେ ତୁଳନା କରିବାରେ ଲାଗିଲି । ଜଣେ କୁଳୁକୁଳୁ ସ୍ୱର୍‌ରେ ବହିଯାଉଥିବା ସ୍ରୋତସ୍ୱିନୀ ହେଲେ ଆଉ ଜଣେ ବନ୍ଧଘେରା ଗଭୀର ଜଳରାଶୀ । ଜଣଙ୍କୁ କେନ୍ଦ୍ରକରି ସ୍ୱପ୍ନ ଦେଖିହେବ କିନ୍ତୁ ଆରଜଣଙ୍କ ରକ୍ତମାଂସରେ ଗଢ଼ା ପିତୁଳାଟିଏ । ଚାରୁ ସାଙ୍ଗେ ମୋର ଭାଗ୍ୟଡ଼ୋରି ପ୍ରାୟ ବନ୍ଧା ସରିଛି । ଏଇ କେତେଦିନ ହେଲା ମନ ଭିତରେ ମୋର ତୁହାକୁ ତୁହା ସ୍ୱପ୍ନ । କେତେଦିନ ହେଲା ଭାବୁଥିଲି– ସେମାନଙ୍କୁ ଅନ୍ତତଃ ଖବର ନଦେଲେ ଟୁନିକି ପ୍ରବଞ୍ଚନା କଲାଭଳି ହବ । ସେମାନେ ଯେବେ ଆଗେଇ ଆସନ୍ତି ତା’ହେଲେ ମୋର କର୍ମପନ୍ଥା ମୁଁ ଠିକ୍‌ କରିବି । ଏବେ ବି ସମୟ ଅଛି । କିନ୍ତୁ ମୋ ଆଡ଼ୁ କିଛି ନୁହେଁ । ସେମାନଙ୍କ ଆଡ଼ୁ ଆଗ୍ରହ ପ୍ରକାଶ ପାଇଲେ ଯାହାକିଛି କରିବାର କରିବି । ଉପରେ ପଡ଼ି ବାପାବୋଉଙ୍କୁ କାହିଁକି ଅସନ୍ତୁଷ୍ଟ କରିବି ? ତା’ଛଡ଼ା ଭଗବାନବାବୁ ଓ ବୁଢ଼ୀ ନୂଆବୋଉ ମୋର ଶୁଭାକାଂକ୍ଷୀ । ସେମାନେ ତ ମତେ ବାଧ୍ୟ କରିନାହାନ୍ତି ?

 

ଏମିତି ଆକାଶ ପାତାଳ ଭାବି ଭାବି କେତେଦିନ ମୋର ବିତିଗଲା । ଭଗବାନବାବୁ ମତେ ଅନ୍ୟମନସ୍କ ଦେଖି କେତେଥର ବି ପଚାରିଲେଣି । କଥାଟାକୁ ମୁଁ ତାଙ୍କର ଆଡ଼େଇଦିଏ । ସେ କିନ୍ତୁ ଜାଣିପାରୁଥିଲେ– ବିଭାଘର ଠିକ୍‌ ହେଲାଦିନୁ ମୁଁ ଅନ୍ୟମନସ୍କ ଅଛି ।

 

ଆମ ଅଫିସର ଜଣେ ଭଦ୍ରଲୋକ । ନାଁ ତାଙ୍କର ଫକୀର ମିଶ୍ର । ଚାକିରି କରିବା ତାଙ୍କର ଚାରିପାଞ୍ଚବର୍ଷ ହେଲାଣି । ଅଫିସକୁ ଠିକ୍‌ ସମୟରେ ଆସିବେ । ଯିବେ ଠିକ୍‌ ସମୟରେ । ଅନର୍ଥକ କାହାସାଙ୍ଗେ ଗପସପ ନାହିଁ । ଚଉକିରୁ ଉଠି ବାହାରେ କାହା ସାଙ୍ଗେ କଥା ହେବା କି କ୍ୟାଣ୍ଟିନ୍‌ରେ ଯାଇ ଅନ୍ୟମାନଙ୍କ ଭଳି ଘଣ୍ଟା ଘଣ୍ଟା ବିତେଇବା କେହି କେବେ ଦେଖିନି । ସଦାବେଳେ ଅଫିସ କାଗଜପତ୍ର ଉପରେ ତାଙ୍କର ଆକ୍ଷି । କିନ୍ତୁ ମନରୁ କିଛି ଗୋଟିଏ ଲେଖିବା କି ନିଜର ମତାମତ ଲେଖିବା ଏଯାଏ ତାଙ୍କ ହାତରେ ହେଲାନି । ତାଙ୍କ ଉପରେ ଭଗବାନବାବୁ ବିରକ୍ତ-। ଡାଇରେକ୍ଟରଙ୍କର ମଧ୍ୟ ତାଙ୍କ ଉପରେ ଭଲ ମତାମତ ନାହିଁ । ଅଫିସ୍‌ ଭିତରେ ସେ ସବୁଠୁ ପୁରୁଣା ଲୋକ । ସମସ୍ତଙ୍କଠୁ ବେଶୀ ଦରମା ପାଆନ୍ତି । ଦରମା ତୁଳନାରେ କାମ ତାଙ୍କର ନୁହେଁ । ମୁଁ ଯାହାକୁ ଦି’ଘଣ୍ଟା ବସି ସାରିଦେବି ସେ ତାକୁ ଦିନଯାକ ଲାଗିଲେବି ପାରିବେନି । ବେଶ୍‌ ଫଟ୍‌ଫାଟ୍‌ । କଥାରେ ବାଟୁଳି ବାଜିବନି । ଡେଙ୍ଗା ଚଉହାତିଆ ମଣିଷ । ବେଶ୍‌ ପସନ୍ଦିଆ ଚେହେରା-। ଦେଖିଦେଲେ ଯେ କେହି ଭଲ ଧାରଣା କରିବ ଫକୀରବାବୁଙ୍କ ଉପରେ । କିନ୍ତୁ କାମ ଯୋଗୁଁ ହାକିମମାନେ ସମସ୍ତେ ତାଙ୍କ ଉପରେ ବ୍ୟସ୍ତ ।

 

ଅଫିସ୍‌କୁ ଆଉ ଗୋଟିଏ ବେଶି ଦରମାହାରର ବଡ଼ ପୋଷ୍ଟଟିଏ ସାଙ୍କସନ୍‌ ଆସିଲା । ଶହେ ଟଙ୍କା ଦରମା ବେଶୀ । ମୋର ଚାକିରି ତିନି ମାସ ହେଲେହେଁ ଭଗବାନବାବୁ ମୋ ନାଁ ସୁପାରିଶ୍‌ କରିଥାଆନ୍ତି । ଭଗବାନବାବୁଙ୍କ କଥାରେ ଡାଇରେକ୍ଟର ଏକମତ୍ତ । ଯୋଉଦିନ ମୁଁ ସେଇ ପୋଷ୍ଟ୍‌ଟି ପାଇଲି ସେଦିନ ଅଫିସ୍‌ରେ ଗୋଟିଏ ଖିଆ ପିଆ ହେଲା । ସମସ୍ତେ ଖୁସି ହେଲେ । ଅଫିସ୍‌ରେ କିନ୍ତୁ ଦେଖାମିଳିଲେନି ଫକୀର ବାବୁ । ସେଦିନ ଅଫିସରୁ ଫେରିଲା ବାଟରେ ମୋ ସାଙ୍ଗରେ ସେ ଦେଖାହେଲେ । କଥା ହୋଇ ମୋର ସାଙ୍ଗେ ସାଙ୍ଗେ ଆସିଲେ କ୍ୱାଟରକୁ । ମୋର ପ୍ରମୋଶନ ବିଷୟ କି ବେଶୀ ଦରମା ପାଇବା କଥା ସେ ପଚାରୁ ନ ଥାଆନ୍ତି । ଯାହା କିଛି କଥାବାର୍ତ୍ତା ମୋ ବିଭାଘର ବିଷୟରେ । କାହାଠୁ ଶୁଣିଲେ ସେ କେଜାଣି ? ମୁଁ ତ କହିନି ? ଭଗବାନବାବୁ ତ କହିବା ଲୋକ ନୁହଁନ୍ତି ? ସେ ପୁଣି ଜାଣିଲେ କେମିତି ? ମୁଁ ହଁ ନାଇଁ କରି ତାଙ୍କୁ ଜବାବ୍‌ ଦଉଥାଏ । ତାଙ୍କ କଥାବାର୍ତ୍ତା ମତେ ମୋଟେ ହେଲେ ଭଲ ଲାଗୁ ନ ଥିଲା । କଥାବାର୍ତ୍ତାରେ ସେ ମତେ ଜଣେଇ ଦଉଥାଆନ୍ତି ଯେ କେବଳ ଭଗବାନବାବୁଙ୍କର ଭଉଣୀ ପାଇଁ ମୋର ବିଭାଘର ଠିକ୍‌ ହୋଇଛି ବୋଲି ମୋ ମୁଣ୍ଡରେ ହାତୀ ସୁନାକଳସ ଢାଳିଲା ।

 

କଥାବାର୍ତ୍ତା ହୋଇ ସେ ଗଲା ପରେ ମୁଁ ଅନେକ ବେଳଯାଏ ତାଙ୍କ କଥା ଭାବିଲି । ଠିକ୍‌ ମନେ ପଡ଼ିଲା– ଗାଡ଼ିର ସେ ଡ୍ରାଇଭର କଥା । ସେଇ କେବଳ କହିଥିବ । ଆମର ଯିବା ଆସିବା, ବୁଲାବୁଲି ଇତ୍ୟାଦି ସବୁ ସେଇ ଦେଖିଛି । ଭାବିଲି–ଭଗବାନବାବୁଙ୍କୁ ଏ ବିଷୟରେ କହିବି ବୋଲି । ପୁଣି ଠିକ୍‌ କଲି– କହି ଲାଭ କ’ଣ ? ଯିଏ ଯାହା କହିବ କହୁଥାଉ ।

 

ବାପା ପାଞ୍ଜି ଦେଖା ଦେଖି କରି ଭଗବାନବାବୁଙ୍କ ପାଖକୁ ଚିଠି ଲେଖିଲେ । ମାସକ ଭିତରେ ବିଭା ଘର । ମୁଁ କିନ୍ତୁ ରାଜି ହେଲିନି । ଆଉ କେତେଦିନ ଗଡ଼େଇଦବାକୁ ମୋର ଇଚ୍ଛା ଥିଲା । ତାର ପ୍ରଧାନ କାରଣ ହେଲା ଟୂନି ଘରଆଡ଼ୂ କାଳେ କିଛି ଖବର ଆସିବ । ପୁରୀ ଆସିବା ଦୂରେ ଥାଉ ସେମାନେ ଗାଁ’ରୁ ଆଉ ପୁରୀ ଫେରି ଆସିଲେନି । ସୁରବାବୁଙ୍କର ଖୋର୍ଦ୍ଧା ବଦଳି ହୋଇଗଲା ବୋଲି ଶୁଣିଲି । ଖୋର୍ଦ୍ଧା ପାଖରେ ତାଙ୍କର ଶଶୁରଘର ଗାଁ । ଜମିଜମା ଆଦି ବୁଝିବା ହବ ଚାକିରି କରିବା ବି ହବ । ଟୁନି ପଢ଼ିଲା ଖୋର୍ଦ୍ଧା କଲେଜରେ । ସେମାନେ ଆଉ ଖବର ଅନ୍ତର ଆମର ବୁଝି ନାହାନ୍ତି କି ସେମାନଙ୍କ ସଙ୍ଗେ ମୋର ଦେଖା ହୋଇନି । ମାସକ ପରେ ତୀର୍ଥ ପଡ଼ିଲା-। ଭଲ ଜାତକ ମେଳ । କନ୍ୟା ଲଗ୍ନରେ ବିଭା । ମାମୁଁ ବି ଇଆ ଭିତରେ ଭଗବାନ ବାବୁଙ୍କ ସାଙ୍ଗେ ଭଲ ଭାବରେ ମିଳାମିଶା ଜମେଇ ସାରିଥିଲେ । ଡେରି କରି ଆଉ ଲାଭ ନାହିଁ । ଦି’ମାସ ଭିତରେ ଚାରୁ ସାଙ୍ଗରେ ମୋର ବିଭାଘର ସରିଗଲା । ସେତେବେଳକୁ ଚାକିରି ମୋର ଛ’ମାସ ହେବ ।

 

ବର୍ଷେ ଅନ୍ତରରେ ଗୋଟିଏ ଗୋଟିଏ କରି ଛ’ବର୍ଷ ଭିତରେ ତିନୋଟି ଛୁଆ ଚାରୁ ମୋର କୋଳରେ ଆଣି ଥୋଇଛି । ଚମର ପିତୁଳି ଗଡ଼ିଲା ଭଳି ସବାବଡ଼ଟି ଝିଅ । ତଳକୁ ତଳ ପୁଅ ଯୋଡ଼ିଏ । ରୀନାର ବିଭାଘର ସରିଗଲାଣି । ସବୁ କିଛି ଯୋଗାଡ଼ ଯନ୍ତ୍ର କରିଛନ୍ତି ଭଗବାନବାବୁ ଓ ବୁଢ଼ୀ ନୂଆବୋଉ । ସେମାନେ ସାହାଯ୍ୟ ନକରିଥିଲେ ଏତେବଡ଼ କାମଟେ ମୁଁ ଏକଲା ଉଠେଇ ପାରିନଥାନ୍ତି । ବାପା ବୋଉ ଇଆ ଭିତରେ ବୁଢ଼ା ବୁଢ଼ୀ ହେଲେଣି । ବାପାଙ୍କ ଅବସ୍ଥା ବିଶେଷ ସାଂଘାତିକ । କେତେବେଳେ କ’ଣ ଘଟିବ କିଛି ଠିକଣା ନାହିଁ । ପାଚିଲା ଫଳ । କେବଳ ଝଡ଼ି ପଡ଼ିବା କଥା । ସେମାନଙ୍କୁ ମୁଁ ଦି’ବର୍ଷ ହେଲା ଭୁବନେଶ୍ୱରରେ ଆଣି ରଖେଇଛି । ପୁରୀର ଘରବାଡ଼ି ଓ ଜମିଜମା କଥା ମୁଁ ନିଜେ ଯାଇ ବୁଝା ସୁଝା କରେ । ସଂସାର ବଳେଇଲାଣି । ଦାୟିତ୍ୱ ବି ବଢ଼ିଗଲାଣି । ନାଆର ଦି ମଙ୍ଗରେ ଚାରୁ ଆଉ ମୁଁ । ବାପା ବୋଉ ଓ ପିଲାମାନଙ୍କୁ ନେଇ ଆମର ସଂସାର ।

 

ଟୂନିକି ଇଆ ଭିତରେ କେବେ ଆଉ ଦେଖିନି । ସେମାନଙ୍କୁ ଖୋଜି ବାହାର କରିବାର ସୁଯୋଗ ବି କେବେ ମତେ ମିଳିନି ।

 

ଭଦ୍ରଲୋକ ଜଣଙ୍କ ହଲେଇ ନ ଦେଇଥିଲେ ମୁଁ ସେମିତି ବୋଧେ ଶୋଇରହିଥାଆନ୍ତି । ଗାଡ଼ିରୁ ଯିଏ ଯୁଆଡ଼େ ଗଲେଣି । ଇଞ୍ଜିନ୍‌ଟା ରଡ଼ି ଛାଡ଼ି ଛାଡ଼ି ଆଉ ଗୋଟିଏ ଲାଇନ୍‌ରେ ସେତେବେଳେ ଫେରିଆସୁଛି । ପ୍ଳାଟ୍‌ଫର୍ମ ଶୂନ୍‌ଶାନ୍‌ । ବେଶି ଲୋକବାକ ବୋଧେ ନଥିଲେ । ପ୍ଳାଟ୍‌ଫର୍ମରୁ ସିମେଣ୍ଟ ବେଞ୍ଚ୍‌ ଗୋଟିଏ ହେଲେ ଖାଲି ନାହିଁ । ଜଣେ ଜଣେ ଚାରିକାତ ଲମ୍ୱେଇ, କିଏ କିଏ ଅବା କୁକୁରଚେକା ମାରି ଅଧରାତିରୁ ଶୋଇଯାଇଛନ୍ତି । ଭଦ୍ରଲୋକ ଜଣକ ମୋରି ଭଳି ଶୋଇ ଯାଇଥିଲେ । କେହି ତାଙ୍କୁ ଉଠେଇ ନାହାନ୍ତି । ସେ ବୋଧେ ନିଜେ ଉଠିଥିବେ । ଭାବିଥିଲେ ସେ ପଛୁଆ ପଡ଼ିଗଲେ । ଆଉ ଆଉ କେହି ନାହାନ୍ତି ! ଯିବା ଆଗରୁ ମତେ ହଲେଇଦେବାରୁ ମୁଁ ଆଖି ମଳି ମଳି ଉଠି ବସିଲି । ତରତରରେ ମୋର ବେଡ଼ିଂଟା ସଜାଡ଼ି ଦେଲି । ବ୍ୟାଗ୍‌ ଓ ବେଡ଼ିଂକୁ କାଖରେ ଜାକି ମୁଁ ଚାଲିଲି ତାଙ୍କ ପଛେ ପଛେ । ପ୍ଳାଟ୍‌ଫର୍ମର ଚା’ ବିସ୍କୁଟ୍‌ ଦୋକାନରେ କିଏ ଜଣେ କୋଇଲା ଚୁଲି ଧରେଇଲାଣି । ଦେଖିଲି–ପୂର୍ବ ଆକାଶ ଫିକା ଦିଶିଲାଣି । ରାତିର ଘନଅନ୍ଧକାର ତା’ର ବେଶ ବଦଳି ଛାଡ଼ି ପଳେଇବାକୁ ସଜବାଜ ହେଲାଣି । ଘଣ୍ଟା ଦେଖିଲି–ଚାରିଟା ପଇଁଚାଳିଶ୍‌-। କଟକରୁ ସାଡ଼େ ଏଗାରଟାରେ ବାହାରିଥିଲି । ଯାହା ହଉ ଆସି ପହଞ୍ଚିଗଲି ।

 

ମୋର ପିଛା ଧରିଥିଲା ଅବା ଆଉ ଜଣେ । ଆସ୍ତେ ଆସ୍ତେ ପଦଚାଳି, ତୁନି ତୁନି, ମୋ ଆଡ଼େ ଚାହିଁ ଚାହିଁ ସିଏ ଆବା ଚାଲିଥିଲା । ପଛକୁ ଅନେଇ ଦେଖେତ– କେହି ହେଲେ ନାହାନ୍ତି । ବ୍ୟାଗ୍‌ ବେଡ଼ିଂ ଧରି ଆଗେଇ ଚାଲିଲି ଷ୍ଟେସନର ଫାଟକ ପାଖକୁ । ସେ ଭଦ୍ରଲୋକ ଜଣକ ଅଦୃଶ୍ୟ ହେଲେଣି । ଶୁଭିଯାଉଥିଲା ମୋ ପଛେ ପଛେ ଆସୁଥିବା ଲୋକଟିର ପଦଶବ୍ଦ । ସୋର ଶବଦ ନାହିଁ । ଧୀରେ ଧୀରେ ସେ ଚାଲିଛି । ପାଦ ଗଣି ଗଣି ।

 

ଷ୍ଟେସନ ଫାଟକ ପାଖରେ କେହି ହେଲେ ନଥିଲେ । ଏକମୁହାଁ ଚାଲିଲି ରିକ୍‌ସା ଖୋଜି ଖୋଜି । ସେମାନଙ୍କର ବି ଦେଖା ନାହିଁ । କେହି କୁଆଡ଼େ ନାହାନ୍ତି । ହାତରେ ମୋର ବ୍ୟାଗ୍‌ । କାଖରେ ବେଡ଼ିଂ । ବାହାରେ ଘୂରି ବୁଲୁ ବୁଲୁ ମନ ଭିତରେ ମୋର ପ୍ରତିଧ୍ୱନିତ ହେଲା– ‘ଶୀଘ୍ର ଆସିବେ’ । ଅଧଘଣ୍ଟେ ଭିତରେ ।

 

ପିଛା ଧରିଥିଲା ସେଇ ଟୁନି । ତା’ରି କଥା, ତା’ରି ଅନୁରୋଧ, ତା’ ପାଖରେ ଆସି ରହିବା ପାଇଁ କେତେ କେତେ ଅନୁନୟ ବିନୟ ମୋ କାନରେ ଖାଲି ଆସି ପ୍ରତିଧ୍ୱନିତ ହବାରେ ଲାଗିଥିଲା । ସେଇ ମୋର ପିଛା ଧରିଛି । ଟୂନି ରୂପରେ ମୋର ମୂର୍ତ୍ତିମନ୍ତ ମନ । ପୂର୍ବ ଆକାଶର ସଜଫୁଟା ସକାଳ ଭଳି ସେଇ ଟୂନି । ତରତରରେ ଘନ ଅନ୍ଧକାରର କବରୀ ସେତେବେଳେ ଅବା ଫିଟି ପଡ଼ୁଥିଲା ।

 

ଘରର ଛବି ଟିକି ନିଖି ଭାବରେ ମୋ ଆଖି ଆଗରେ ସେତେବେଳେ ଭାସିଗଲା । ଅପେକ୍ଷା କରିଥିବ ଚାରୁ । ପିଲା ତିନିହେଁ ଉଠି ନ ଥିବେ । ଚାରୁ ସକାଳୁ ସକାଳୁ ଘରକାମରେ ଲାଗିଯିବଣି । ବାପା ବୋଉ ଭୁବନେଶ୍ୱରରେ ମାସେ ହେଲା । ଚାରୁ ଆସି ପୁରୀରେ ଅଛି ପିଲା ତିନିଙ୍କି ସାଙ୍ଗରେ ଧରି । କାମ ସାରିଦେଇ ପୁଣି ଫେରିଯିବ । ବାପା ବୋଉ ଆଉ ପାରୁନାହାଁନ୍ତି । ଏକେଲା ତାଙ୍କୁ ଛାଡ଼ି ଦେଇ ଆସିବା ଚାରିଦିନ ହେଲାଣି । ପିଲାମାନେ କାନ୍ଦବୋବା କରୁଥିବ । ଚାରୁ ଲାଗିଯିବଣି ତାର କାମରେ ।

 

ଗାଡ଼ିରେ ଆଖିବୁଜି ଶୋଇ ରହିଥିଲା ବେଳେ ମନରେ ଆସି ଧକ୍‌କା ଖାଉଥିଲା ଭାବନାର ଲହଡ଼ି । କେତେବେଳେ ଶୋଇ ଯାଇଥିଲି ମନେ ନାହିଁ । ଉଠୁ ଉଠୁ ପୁଣି ସେଇ ଟୂନି । ପିଛା ଧରିଛି । ମନେ ମନେ ନିଜକୁ ମୁଁ ଧିକ୍‌କାର କଲି । ସେ ନିମନ୍ତ୍ରଣ କରିଥିଲା, କେତେ ସରାଗରେ ସେ ଡାକିଥିଲା, ସାଧାରଣ ସିଷ୍ଟାଚାର ମୁଁ ଭୁଲି ଗଲି । ନଯାଇ ବଡ଼ ଭୁଲ୍‌ କରିଛି । ଭୁଲ୍‌ଟା ମୋର ଅକ୍ଷମଣୀୟ । କ୍ଷଣିକର ନିଷ୍ପତ୍ତି । ଭୁଲ୍‌ଟାକୁ ଜୀବନରେ ଆଉ ସଂଶୋଧନ କରିହବନି ।

 

ଜୀବନରେ ଥରେ ଯୋଉ ଭୁଲ୍‌ କରିଛି ତାକୁ ଧୋଇପାରିବିନି । ସେ ପାପର ପ୍ରାୟଶ୍ଚିତ ନାହିଁ । କେହି ନ ଜାଣିଲେ ବି ସଦାବେଳେ ସେ ମୋର କଳଙ୍କ ହୋଇ ରହିଥିଇ । କାହିଁକି ପୁଣି ତାର ପୁନରାବୃତ୍ତି କରିଥାଆନ୍ତି ? ମୋ ବାଟରେ ମୁଁ ଚାଲିଲିଣି । ଟୁନି ତା’ ବାଟ ବାଛି ନେଇଛି । ପରସ୍ପରର ନିକଟବର୍ତ୍ତୀ ହେଲେହେଁ ଦୁଇଟି ସାମନ୍ତରାଳ ସରଳରେଖା । ଏକାଠି ମିଳିତ ହବାରେ ନୁହେଁ । ତା’ଠୁଁ ଦୂରେଇ ରହିବା ବରଂ ଭଲ । ନଯାଇ ଠିକ୍‌ କରିଛି । ଭୁଲ୍‍ଟା ଆଉଥରେ କରିବା ଭଲ ନୁହେଁ । ଭଲ ମନ୍ଦର ଭାବନା ସବୁ ମନ ଭିତରେ ମୋର ଆଉଟେଇ ବ୍ୟାଗ୍‌ ବେଡ଼ିଂ ଧରି ଷ୍ଟେସନ ବାରଣ୍ଡାରେ ଅପେକ୍ଷା କରିଥିଲାବେଳେ ଆଗରୁ ଛୁଟି ଆସିଲା ଗୋଟିଏ ରିକ୍‌ସା ।

ରିକ୍‌ସାଟିଏ ନପାଇଥିଲେ ହଇରାଣ ହୋଇଥାଆନ୍ତି । ବେଡ଼ିଂପତ୍ର ଧରି କେତେ ସମୟ ଏମିତି ଅପେକ୍ଷା କରିଥାଆନ୍ତି କେଜାଣି ? ଘରଆଡ଼େ ଗଲାବେଳେ ଦେଖିଲି ରାସ୍ତାସବୁ ନୀରବ, ନିର୍ଜୀବ ଓ ଶୂନ୍‌ଶାନ୍‌ । ବେଳେ ବେଳେ ପଛପଟୁ, ଆଗଆଡ଼ୁ ରିକ୍‌ସା କେଇଟା ଘଣ୍ଟିବଜେଇ ଦଉଡ଼ି ଆସୁଥାଆନ୍ତି । ସହରଟା ଶୋଇ ରହିଛି । ଉଠିପଡ଼ିବାକୁ ଇଚ୍ଛା, ଉଠିପାରୁନି ।

ଗାଡ଼ିଭିତରେ ଶୋଇ ରହିଥିଲାବେଳେ ଅଧା ନିଦ ଓ ଅଧା ଚେଇଁଲା ଅବସ୍ଥାରେ, ଅବଚେତନ ମନରେ ଘଟଣାର ପ୍ରବାହ ସବୁ ଢେଉ ଭାଙ୍ଗି ଭାଙ୍ଗି ମୋ ମନ–ଗହନରେ ଧକ୍‌କା ବାଜି ବାଜି ପୁଣି ଫେରିଯାଉଥିଲା । ବହିର ପୃଷ୍ଠାଗୁଡ଼ାକ ପଛଆଡ଼ୁ ଓଲଟେଇ ମୁଁ ଅବା ସେତେବେଳେ ପଢ଼ୁଥିଲି । ଛିନ୍ନ ପୃଷ୍ଠାଗୁଡ଼ିକ । ଚିରି ଉଡ଼ିଗଲାଣି । ସବୁ ଘଟଣା ଆଉ ମନେ ନାହିଁ । ଯାହା କିଛି ଲେଖାଥିଲା ଅଧ୍ୟାୟ ପରେ ଅଧ୍ୟାୟ, ମୋର ଜୀବନର ପ୍ରତିଲେଖ । ପଢ଼ି ଯାଉ ଯାଉ ଅତୀତକୁ ପୁଣି ନିରୀକ୍ଷଣ କରୁଥିଲି । ଶୋଇରହି । ଆଖି ବୁଜି ବୁଜି । ଶୋଇ ନ ଶୋଇ, ଆଖିବୁଜି ଅଥଚ ଚେଇଁରହି ।

ଘରେ ପହଞ୍ଚିବାକୁ ଗୋଟିଏ ଆଉ ଗଳି । ଦେଖିଲି–ଗଳି ମୁଣ୍ଡର ଚା’ ଦୋକାନରେ ଲୋକ କେଇଜଣ ରୁଣ୍ଡ ହୋଇଛନ୍ତି । ଦୋକାନୀ ରାହାଲଗେଇ ଛାଡ଼ିଛି ଗୋଟିଏ ସିନେମା ଗୀତ । ଦୋକାନ ସାମ୍ନାରେ ଦଶ ପନ୍ଦରଟା ରିକ୍‌ସା । ଲୋକଙ୍କୁ ସେମାନେ ଅପେକ୍ଷା କରିଥାଆନ୍ତି । ଦୋକାନଟା କୋଚଟ ମଇଳା କନା ଖଣ୍ଡେ ଧରି ତା’ଉପରେ ଢାଳିଲାଗିଛି ଗରମ ଚା’ । ବାମ୍ଫ ବାହାରୁଛି । ବହୁତ ଇଚ୍ଛାଥିଲା– ଗରମ ଚା’ରୁ କପେ ହବ ଖାଇ ଘରକୁ ଯିବି–ସିଗାରେଟ୍‌ ଟାଣି ଟାଣି । ମଇଳା ଚାହାଛଣା କନାଟାକୁ ଦେଖିଦେଇ ଖାଇବାକୁ ଇଚ୍ଛା ହେଲାନି । ରିକ୍‌ସା ଅଟକେଇଲି । ଲକ୍ଷ୍ୟକଲି–କାଚ ଆଲମାରୀରେ ମିଠାଅଛି । ଦୋକାନୀକି କହି କିଛି ସେଥିରୁ ଧରିଲି । ପିଲାମାନେ ଉଠିବେଣି । ସେମାନଙ୍କ ପାଇଁ କିଛି ଆଣିବାକୁ ମନେ ନାହିଁ । ଯାଉ ଯାଉ ସେମାନେ ବ୍ୟାଗ୍‌ ଦରାଣ୍ଡି ପକେଇବେ ।

ରିକ୍‌ସାଟାକୁ ବିଦାୟ କରିଦେଇ ଡାକିବାକୁ ଯାଉଛି ଆରପଟୁ ଦୁଆରଟା ହଠାତ୍‌ ଫିଟିଗଲା । ମୁଁ ତ ଡାକିନି ? କେମିତି ଜାଣିଲା ସିଏ କେଜାଣି ? ଦେଖିଛି– ଚାରୁ । ହଠାତ୍‌ ମତେ ଦେଖିଦେଇ ସେ ଚମକି ପଡ଼ିଲା । ଭାବିଲା, ବୋଧେ ଆଉ କିଏ ଜଣେ । ଦୁଆରଟା ଜୋର୍‌ରେ କିଳିଦେବାକୁ ଯାଉଥିଲା । ଚୋର କି ଆଉ କିଏ ଭାବି । ଭୟରେ ଥରି ଥରି ସେ ପଡ଼ିଯାଇ ଥାଆନ୍ତା-। ମୁଁ–ମୁଁ ବୋଲି କହି ଧରି ନପକେଇଥିଲେ ନିଶ୍ଚେ ସେ ପଡ଼ିଯାଇଥାଆନ୍ତା ।

ବଡ଼ଝିଅଟା ସେତେବେଳେ ଭେଁ କରି କାନ୍ଦିଉଠିଲା । ବୋଉକୁ ବୋଧେ ଖୋଜୁଥିଲା ।

ଚାରୁକୁ ଧରିପକେଇଲାବେଳେ ମତେ ଜଣାପଡ଼ିଲା– ଚାରୁ ବଦଳରେ ମୁଁ ଟୁନିକି ଅବା ଧରିଛି । ସୁରବାବୁଙ୍କ ଘରକୁ ଗଲାଦିନ ଟୁନି ଠିକ୍‌ ଏମିତି ଚିଠି ଧରି ଦାଣ୍ଡଦୁଆରକୁ ଦଉଡ଼ି ଆସୁଥିଲା । ମୁଁ ଆସିଛି ବୋଲି ଜାଣିନି । ନଜର ନାହିଁ । ଠିକ୍‌ ଯେମିତି ମୁଁ ତାକୁ ଧରି ପକେଇଥିଲି ।

 

ଚାରୁଯାଇ ସେତେବେଳେ ତଳଘରେ । ହସି ହସି । ଲାଜରେ ଭିଜି ଭିଜି ।

 

ଜଣାପଡ଼ିଲା– ଟୁନି ଅବା ତଳଘରେ ଲୁଚି ରହି ହସୁଥିଲା ।

Image